ରଥଯାତ୍ରା ସାରି ଦକ୍ଷିଣରୁ ଆସିଥିବା ଯାତ୍ରୀମାନେ ଚିଲିକା କୂଳ ରାସ୍ତାରେ ଫେରନ୍ତି। ସେଇ ରାସ୍ତାରେ ଜଣେ ମୋଗଲ ଲସ୍କର ଘୋଡ଼ାରେ ଚଢ଼ି ଚିକାକୋଲରୁ କଟକ ଯିବା ବାଟରେ ଅନହୁତି ସରଦେଈ ଚଟୀ ଘରେ ଗୋଟିଏ ଦିନ ରହିଥିଲା। ନିର୍ଜନ ମଧ୍ୟାହ୍ନ। ଚୈତାଳୀ ପବନଟା ଅନେକ ନାଚି ନାଚି ନବ କୁସୁମିତ ପଳାଶ ଓ ଶାଳ୍ମଳୀ ଶାଖାରେ ଦଣ୍ଡେ ଝିମେଇ ପଡ଼ିଥିଲା। ହାଣ୍ଡିଭଙ୍ଗା ବରଗଛରୁ ରାଶି ରାଶି ଶୁଖିଲା ପତ୍ର ଅତୀତର ସ୍ମୃତି ପରି ତଳେ ଝରି ପଡୁଥିଲା। ସରଦେଈର କଳସୀରେ ସେଦିନ ମଧ୍ୟାହ୍ନରେ କିନ୍ତୁ ସତେସତେ ଟୋପିଏ ହେଲେ ପାଣି ନ ଥିଲା; କିନ୍ତୁ କଳସୀ ଧରି ବାମ୍ଫୀରୁ ପାଣି ଆଣିବା ପାଇଁ ତାକୁ ଅତ୍ୟନ୍ତ କୁଣ୍ଠା ଲାଗୁଥିଲା। ସେହି ଲସ୍କରଟିକୁ ଦେଖିବା ବେଳୁ କେଜାଣି କାହିଁକି ସରଦେଈ ଏକ ଅଶରୀରୀ ଆତଙ୍କରେ ମନେ ମନେ ଝାଉଁଳି ପଡ଼ିଥିଲା।
ବାମ୍ଫୀ ପାଖକୁ ଅଙ୍କା ବଙ୍କା ପାଦଚଲା ବାଟରେ ସରଦେଈ କଳସୀ କାଖରେ ରଖି ଯିବାବେଳେ, ଅନ୍ୟ ଦିନମାନଙ୍କ ପରି ସେଦିନ ସ୍ବପ୍ନାବିଷ୍ଟ ତନ୍ଦ୍ରାଳସତାରେ ତାର ପାଦ ଦୁଇଟି ଛନ୍ଦି ହୋଇ ପଡୁ ନ ଥିଲା; କିମ୍ବା ବେକ ବଙ୍କେଇ ପଛକୁ ଚାହିଁବା ପାଇଁ ସେ ମନେ ମନେ ସାହସ ଖୋଜି ପାଉ ନଥିଲା। ତଥାପି କେତେବେଳେ ନିଜର ଅଜ୍ଞାତସାରରେ ପଛକୁ ଫେରି ଚାହିଁବା ବେଳକୁ, ଘୋଡ଼ା ପିଠି ଉପରେ ସେ ଲସ୍କର ତାକୁ ଅନୁସରଣ କରୁଥିବାର ଦେଖି, ସରଦେଈ ଭୟରେ ଜଡ଼ ହୋଇ ପଡ଼ିଥିଲା। ଜଗୁନିର ନାଁ ଧରି ସେ ଆର୍ତ୍ତନାଦ କରି ଉଠିଲା। କିନ୍ତୁ ଜଗୁନିର ଦେଖା ନ ଥିଲା। ଲସ୍କରର ଦୁଇ କ୍ଷୁଧିତ ଆଖି ବ୍ୟାଧର ଶର ପରି ତାକୁ ବିଦ୍ଧ କରିବା ପାଇଁ ଯେପରି ତାର ପଛେ ପଛେ ଅନୁଧାବନ କରୁଥିଲା। ବସ୍ତୁତଃ ବ୍ୟାଧଭୀତା ହରିଣୀ ପରି ସରଦେଈ ଯେତିକି ଆର୍ତ୍ତ ଚିତ୍କାର କରୁଥିଲା, ଲସ୍କରର ହିଂସ୍ରଲୋଲୁପତା ସେତିକି ବୃଦ୍ଧି ପାଉଥିଲା।
କ୍ରମଶଃ...
୨୪.୧.୧୯

No comments:
Post a Comment