Wednesday, 9 January 2019

*ବଡ଼ ଦେଉଳରେ ପତିତପାବନ*

ସେ ସୁଦୂର; ମାତ୍ର ଅନ୍ତରଙ୍ଗ। ସେ ଦୁର୍ଲଭ; ମାତ୍ର ଅନୁଗତ। ସେଇ ଜଗନ୍ନାଥ ଭକ୍ତର ଅଭିମାନ ରକ୍ଷା ପାଇଁ ରତ୍ନ ସିଂହାସନ ଉପରୁ ତ୍ରିଭୁବନ ଛାଡ଼ି ସିଂହଦ୍ଵାର ଗୁମୁଟରେ ଯାତ୍ରୀଙ୍କ ପାଦ ଧୂଳି ଉପରେ ଆସନ ପାରି ବସିଲେ। ଭକ୍ତର ସିଂହଦ୍ଵାରରେ ପ୍ରଭୁ ହେଲେ ଭକ୍ତ। ତାହା ଏମାନଙ୍କର ଚେତନ ଓ ଅବଚେତନକୁ ଆବେଗର ଉଦବେଳନ ମଧ୍ୟରେ ଏକୀଭୁତ କରିଦେଉଥିଲା।

ବଡ଼ ଦେଉଳରେ ଘନଘନ ହରିବୋଲ ହୁଳହୁଳି ଭିତରେ ଜଣେ ପଚାରିଲେ "ରାଜା ପରା ଜାତି ହାରି ପଠାଣ ହେଲେ। ସେ କି ଆଉ ରାଜସେବକ ? ବକ୍ସି ଭ୍ରମରବର ତ ଗଲେ ହାଣ ମୁଁହରେ। ରାଜାଙ୍କ ପାଇଁ ଜଗନ୍ନାଥ ପୁଣି କ'ଣ ପତିତପାବନ ହେଲେ ?"

ମେକାପ କହିଲେ, "ସେଥିପାଇଁ ପରା ବଳିଆରଭୁଜ କହିଲେ ମୁଁ ପତିତପାବନ ହେବି। ନୋହିଲେ ମୋ ସେବକ ରାଜା ରାମଚନ୍ଦ୍ରଦେଵଙ୍କୁ ପାବନ କରିବ କିଏ ? ତାଙ୍କୁ ମୋକ୍ଷ ଦେବ କିଏ ?

ଯାହାଙ୍କ ପ୍ରତି ଜଗନ୍ନାଥଙ୍କର ଅନୁଗ୍ରହ ହୁଏ, ବଂଶ, କୁଳ ନିର୍ବିଶେଷରେ ଓଡ଼ିଶା ସିଂହାସନ ତାଙ୍କରି ହୋଇଥାଏ। ଓଡ଼ିଶାର ସିଂହାସନ ସ୍ପର୍ଦ୍ଧା, କ୍ଷମତା ଓ ଅହଂକାରର ନୁହେଁ; ଜଗନ୍ନାଥଙ୍କ ସେବା ଓ ଅନୁଗ୍ରହଭାଜନତା ଉପରେ ଓଡ଼ିଶାର ସିଂହାସନ ପ୍ରତିଷ୍ଠିତ।

ମଙ୍ଗଳପୁର ଗାଁ ଦାଣ୍ଡ ବରଗଛ ତଳେ ଖଞ୍ଜଣୀରେ ଭଜନ ଆରମ୍ଭ ହୋଇଯାଇଥିଲା - "ବଡ଼ ଦେଉଳରେ ପତିତପାବନ
ବିଜେ ହୋଇଛି ହୋ ଦେଖ।

ଜୟ ଜଗନ୍ନାଥଙ୍କ ଜୟ
ଜୟ ଖୋର୍ଦ୍ଧା ରାଜା
ରାମଚନ୍ଦ୍ରଦେବଙ୍କ ଜୟ।"

କ୍ରମଶଃ...

୯.୧.୧୯

No comments: