ରାମଚନ୍ଦ୍ରଦେବଙ୍କର ଚିନ୍ତା - ତକୀ ଖାଁ ଶିଶୁପାଳଗଡ଼ ଡେଇଁଲା କିପରି ?
ବକ୍ସି ଭ୍ରମରବର ତାଙ୍କୁ ଆଗୋଳିଲେ ନାହିଁ କାହିଁକି ??
ଜଣେ ବିଶୋୟୀ ବିଷର୍ଣ୍ଣ କଣ୍ଠରେ କହିଲେ, "ତକୀ ଖାଁର ଲସ୍କରମାନେ ଶିଶୁପାଳଗଡ଼ ସୀମା ମାଡ଼ିବାକୁ ପ୍ରଥମେ ଭରସୁ ନ ଥିଲେ। ଅତୀତରେ ବହୁ ଦନ୍ତା ଦନ୍ତା ଫୌଜଦାର ଶିଶୁପାଳଗଡ଼ରେ ପାଇକମାନଙ୍କ ମାଡ଼ରେ ମୁହଁ ମାଡ଼ି ପଡ଼ିଛନ୍ତି। କଳାପାହାଡ଼ ସୁଦ୍ଧା ଶିଶୁପାଳଗଡ଼ ଯୋଗୁ ଲିଙ୍ଗରାଜଙ୍କ ମନ୍ଦିରରେ ଟିପ ଦେଇ ପାରି ନ ଥିଲା। ସେଥିପାଇଁ ତକୀ ଖାଁର ଲସ୍କରମାନେ ଅତି ସନ୍ତର୍ପଣରେ ଶିଶୁପାଳଗଡ଼ ଆଡ଼େ ପାଦେ ପାଦେ ଆଗୋଉ ଥିଲେ। କଣ୍ଟି ବାଉଁଶର ଘଞ୍ଚ ବଣ ଭିତର ଶିଶୁପାଳଗଡ଼ର ମାଟି ପାଚେରୀର ଉପରିଭାଗ ବ୍ୟତୀତ ସେମାନଙ୍କୁ ଆଉ କିଛି ଦେଖାଯାଉ ନ ଥିଲା। ମାତ୍ର ପାଚେରୀ ଉପରେ ଢଣୁଆ, ଧନୁଆଁ ଅଥବା ନଳିଆ ପାଇକ ଗୋଟିଏ ହେଲେ ଆଖିରେ ପଡୁ ନ ଥିଲେ। ତକୀ ଖାଁ କୁ ଆଗୋଳିବା ପାଇଁ ବିଲେଇଛୁଆଟିଏ ସୁଦ୍ଧା ଦେଖା ନ ଥିଲା। ଶିଶୁପାଳଗଡ଼କୁ ଜଳାଇବା ପାଇଁ ତକୀ ଖାଁ କୁ ବଡ଼ ମୌକା ମିଳିଗଲା। ଆଖିବୁଜା ଗୁଳିମାଡ଼ ଚାଲିଲା। ବାଉଁଶ ବଣ ହୁତୁହୁତୁ ହୋଇ ଜଳିଲା। ଲସ୍କରମାନେ ଗଙ୍ଗୁଆ ନାଳ ପରିଖା ଅତିକ୍ରମ କଲାବେଳେ ମଧ୍ୟ ଢେଣୁଆ ପାଇକମାନଙ୍କ ଅମୋଘ ଶର ସେମାନଙ୍କ ଉପରେ ବୃଷ୍ଟି ହେଲା ନାହିଁ। ଶିଶୁପାଳଗଡ଼ର ସିଂହଦ୍ଵାର ଖୋଲା ରହିଥିଲା। ଲସ୍କରମାନେ ଆଲ୍ଲା ହୋ ଆକବର ଧ୍ୱନି ଦେଇ
ଗଡ଼ ଭିତରକୁ ପାଣି ସୁଅ ପରି ମାଡ଼ି ଆସିଲେ।
କ୍ରମଶଃ...
୧.୧.୧୯

No comments:
Post a Comment