ଲସ୍କରକୁ ବାଟ ଛାଡ଼ି ଦେବାପାଇଁ ସରଦେଈ ବାଟ କଡ଼ରେ ଓଢ଼ଣା ଟାଣି ତଳକୁ ମୁଣ୍ଡ ନୁଆଁଇ ଠିଆ ହୋଇ ରହିଗଲା। ଆଃ... ଜଗୁନି ଯଦି ସେତେବେଳେ ସେଠି ପହଞ୍ଚି ଥାନ୍ତା !
ମାତ୍ର, ଅଦୃଷ୍ଟ ସେଦିନ ଦାଉ ସାଧିଲା। ଲସ୍କରର କଳା ଘୋଡ଼ାଟା ଦୁଇ ଗୋଡ଼ ଶୂନ୍ୟେ ଶୂନ୍ୟେ ଉପରକୁ ଉଠାଇ ସରଦେଈ ପାଖରେ ରହିଗଲା। ଲସ୍କର ଲଗାମଟା ହଠାତ୍ କଷି ଦେଇ ଥିବାରୁ ଘୋଡ଼ାଟା କ୍ରୁଦ୍ଧ ଓ କ୍ଷିପ୍ତ ହୋଇ ଉଠିଲା। ବେକ ବୁଲାଇ ଲଗାମକୁ ଦାନ୍ତରେ କାମୁଡ଼ି ଟୁକୁରା ଟୁକୁରା କରି ଛିଣ୍ଡାଇ ଦେଇପାରିଲେ, ଯେପରି ତାର ମନ ଶାନ୍ତ ହୁଅନ୍ତା।
ସରଦେଈ ଆର୍ତ୍ତନାଦ କରି ଉଠିଲା - "ଜଗୁନି...।"
ଲସ୍କରକୁ ଘୋଡ଼ା ପିଠି ଉପରେ ସାମନାରେ ଦେଖି ସରଦେଈ ଭୟରେ ପଥର ପାଲଟିଗଲା। ସେ ଜାଣେ ଏମାନେ ଚିକାକୋଲ ଲସ୍କର ଫୌଜଦାର। ଏମାନଙ୍କ ଲୋଲୁପତାରୁ ଆତ୍ମରକ୍ଷା କରିବା ସହଜ ନୁହେଁ। ଏମାନଙ୍କୁ ପୁଣି ସାତଖୁଣ ମାଫ। ଚଟୀଘରେ ସ୍ଥାନ ନ ଦେଇଥିଲେ ହୋଇଥାନ୍ତା। ମାତ୍ର ତାର କି ସାଧ୍ୟ ଥିଲା ?
ଭୟରେ ତାର କାଖରୁ କଳସୀଟା ତଳେ ପଡ଼ି ଚୂନା ହୋଇଗଲା। ସେତିକିବେଳେ ସେ ରାକ୍ଷସ ମୋଗଲ ଲସ୍କର ସରଦେଈକୁ ଘୋଡ଼ା ଉପରକୁ ଝାମ୍ପି ଆଣି ଅରଣ୍ୟ ଭିତରକୁ ଘୋଡ଼ା ଛୁଟାଇ ଦେଲା।
ସରଦେଈ ଚେତାଶୂନ୍ୟ ହୋଇ ଯାଇଥିଲା। ତାକୁ ବଳାତ୍କାର କରି ସେଇ ଅରଣ୍ୟରେ ଛାଡ଼ି ଯାଇଥିଲା ଲସ୍କର। ଚେତା ଫେରିବା ବେଳକୁ ପଶ୍ଚିମ ଆକାଶରେ ସୂର୍ଯ୍ୟ ଢଳି ପଡ଼ି ଥିଲେ। ସରଦେଈ ପାଗଳିନୀ ପରି ଅସଂଯତ ବେଶବାସରେ ଢଳି ଢଳି ଚଟୀ ଘର ଆଡ଼େ ଫେରି ଆସିଲା। ଜଗୁନିକୁ ଡାକିବା ପାଇଁ ତାର ସେତେବେଳେ ସାହସ ନ ଥିଲା। ଜଗୁନିକୁ ବରଂ ଚଟୀ ଘରେ ନ ଦେଖି ସରଦେଈ ମନେ ମନେ ଯଥେଷ୍ଟ ଆଶ୍ୱସ୍ତ ହୋଇଥିଲା।
ତା' ପରଦିନ କିନ୍ତୁ ଦାବାଗ୍ନି ପରି ବାଲୁଗାଁ ଅଞ୍ଚଳରେ ଲୋକେ ମୁଖେ ମୁଖେ ରଟିଗଲା, ସରଦେଈ ପଠାଣ ଲସ୍କରକୁ ଦେହ ଦେଇ ପତିତା ହୋଇଛି।
କ୍ରମଶଃ...
୨୫.୧.୧୯

No comments:
Post a Comment