ଯବନୀର ଦାକ୍ଷିଣ୍ୟରେ ଲଳିତା ମହାଦେଇ ବଞ୍ଚି ରହିବେ ଏହାର କଳ୍ପନା ସୁଦ୍ଧା ବଜ୍ର ପରି ତାଙ୍କୁ ବାରମ୍ବାର ଆଘାତ କରୁଥିଲା। ସେଦିନ ଲଳିତା ମହାଦେଇଙ୍କର ଯେଉଁ ଦୁଇ ଆନତ ନେତ୍ରରେ ଥିଲା ରୋମାଞ୍ଚର ଆନନ୍ଦାଶ୍ରୁ, ଏବେ ସେଠାରେ ଫୁଟିଥିଲା ପ୍ରତିହିଂସାର ବହ୍ନି। ସେଦିନର ସ୍ନିଗ୍ଧ ଗୌର ତନୁ ଈର୍ଷାର ପ୍ରବାହରେ ତମ୍ବାର ବର୍ଣ୍ଣ ଧାରଣ କରିଥିଲା।
ରାମଚନ୍ଦ୍ରଦେଵଙ୍କୁ ତନ୍ତ୍ର ବଳରେ ମୂକ, ସ୍ତମ୍ଭିତ ଓ ବାତୁଳ କରିବା ପାଇଁ ଲଳିତା ମହାଦେଇ ବ୍ରତ ଚାରିଣୀ ପରି, ବୀରଜାଇଙ୍କ ମୂର୍ତ୍ତି ସମ୍ମୁଖରେ କୁଶାସନରେ ବସି ଆଜି ମଧ୍ୟ ନିୟମିତ ଦଶ ହଜାର ସଂଖ୍ୟାରେ ବଗଳାମୁଖୀଙ୍କ ବୀଜମନ୍ତ୍ର ଜପୁଥିଲେ -
"ରାମଚନ୍ଦ୍ରଦେଵସ୍ୟ ବୁଦ୍ଧି ନାଶାୟ ନାଶାୟ
ଜିହ୍ଵା କିଳୟ କିଳୟ ହିଂ୍ର ଫଟ୍ ସ୍ୱାହା।
ଆଜି କିନ୍ତୁ ରୁଦ୍ରାକ୍ଷମାଳା ଗଡ଼ାଇ ମନ୍ତ୍ର ଜପ କଲାବେଳେ ଲଳିତା ମହାଦେଇଙ୍କ ଧ୍ୟାନ ନେତ୍ରରେ ବୈରୀ ଜିହ୍ଵା - ମଦ୍ ଗର ଧାରିଣୀ ବଗଲା ଦେବୀଙ୍କ ପରିବର୍ତ୍ତେ, ନାନା ଚିନ୍ତା ଓ ଦୁଶ୍ଚିନ୍ତା ଭାସି ଉଠୁଥିଲା। ସେଥି ସହିତ ବେଳେବେଳେ ନାଚି ଉଠୁଥିଲା ରାମଚନ୍ଦ୍ରଦେଵଙ୍କ ଦୁଇଟି ବିଷର୍ଣ୍ଣ ଆଖି। ପୁରୀରୁ ଖବର ନେଇ ଆସିଛି ପୁଣି ବାଣପୁରର ଚର, ଜଗନ୍ନାଥ ପତିତପାବନ ରୂପେ ମହାରାଜାଙ୍କୁ କୁଆଡ଼େ ଦର୍ଶନ ଦେଇଛନ୍ତି। ସେଥିପାଇଁ ଚାରିଆଡ଼େ ମହାରାଜାଙ୍କର ଜୟଜୟକାର। ଏକାଦଶୀ ରାତ୍ରିରେ ଶ୍ରୀମନ୍ଦିର ଚୂଡ଼ାକୁ ମହାଦୀପ ଉଠିବା ବେଳେ ମହାରାଜା ରାମଚନ୍ଦ୍ରଦେଵ ଜାତି ହାରିବା ଦିନୁ, ଚୁନାରାମାନେ ତାଙ୍କ ନାମରେ ଡାକ ଦେବା ବନ୍ଦ କରି, କେବଳ ହରିବୋଲ ଧ୍ୱନି ଦେଉଥିଲେ। ମାତ୍ର ସେମାନେ ଏବେ ପୁଣି ଡାକ ଦେଲେଣି - ମହାପ୍ରଭୁ ! ଖୋରଧା ମହାରାଜା ରାମଚନ୍ଦ୍ରଦେଵଙ୍କୁ ଶଙ୍ଖେ ପୂରାଇ ଚକ୍ର ଆଢୁଆଳ କରନ୍ତୁ। ହରିବୋଲ।
କ୍ରମଶଃ...
୧୦.୧.୧୯

No comments:
Post a Comment