ବିରଜାପ୍ରସାଦ ଗଡ଼ ଏକ ଭଗ୍ନ ସ୍ତୁପରେ ପରିଣତ ହୋଇ ସାରିଥିଲା। ଭାଲେରୀ ପର୍ବତମାଳା କୋଳରେ ଗୋଟିଏ ଅନୁଚ୍ଚ ପାହାଡ଼ ମୁଣ୍ଡିଆ ଉପରେ ଏହି ଗଡ଼ଟି ବହୁକାଳ ପୂର୍ବେ ନିର୍ମିତ ହୋଇଥିଲା। ଗଡ଼ ଉପରେ ଠିଆ ହେଲେ ଚାରିପଟେ ଆଖିରେ ପଡ଼େ ଘଞ୍ଚ ବନାକୀର୍ଣ୍ଣ ଉପତ୍ୟକା। ଉପତ୍ୟକାର ଚାରିପଟେ ରୁକ୍ଷ କଠୋର ପର୍ବତମାଳା ପ୍ରାଚୀର ପରି ଉଠିଯାଇଅଛି। ଗଡ଼ର ବାହାରବେଢ଼ା ବ୍ୟତୀତ ରାଜପ୍ରାସାଦ ରୂପେ ବ୍ୟବହୃତ ହେଉଥିବା ପଥର ଅଟ୍ଟାଳିକାମାନ ଭାଙ୍ଗି ଭୁଷୁୁଡ଼ି ପଡ଼ିଲାଣି।
ସମ୍ପ୍ରତି ଲଳିତା ମହାଦେଇ ସଙ୍ଗରେ ଲଗୁତି ଗହଣ ଓ କେତେକ ବିଶ୍ବସ୍ତ ପାଇକଙ୍କୁ ଧରି ସେହି ପ୍ରସ୍ଥରେ ରହୁଥିଲେ। ତା'ସାମନାରେ ଗୋଟିଏ ଅଙ୍ଗନ ଅତିକ୍ରମ କରିଯିବା ପରେ ବାହାର ସିଂହଦ୍ୱାରର ବାମ ପାଖେରେ ପଡ଼େ ବୀରଜାଇ ଓ ଦକ୍ଷିଣ ପାଖରେ ରୁଦ୍ରଶ୍ୱର ମହାଦେବଙ୍କ ମନ୍ଦିର।
ସେଦିନ ଲଳିତା ମହାଦେଇ ଆସନ ଉପରେ ରୁଦ୍ରାକ୍ଷମାଳା ରଖିଦେଇ ଅସ୍ଥିର ଭାବରେ ମନ୍ଦିର ବାହାରକୁ ହଠାତ୍ ଉଠିଆସିଲେ। ଏସନ ରଥଯାତ୍ରାରେ ଭାଗୀରଥି କୁମାର ଛେରାପହଁରା ପ୍ରଭୃତି ରାଜନୀତିମାନ ଯେପରି କରିପାରିବେ, ସେଥିପାଇଁ ବଡ଼ ପରିଚ୍ଛା ଗୌରୀ ରାଜଗୁରୁଙ୍କୁ ଧରି ସେସବୁ ବ୍ୟବସ୍ଥା ଆଗରୁ ଚୂଡ଼ାନ୍ତ କରିସାରିଥିଲେ। ଖୋର୍ଦ୍ଧା ସିଂହାସନ ଅଧିକାର କରିବା ପଥରେ ତାହା ପ୍ରଥମ ଓ ପ୍ରଧାନ ପଦକ୍ଷେପ। ରାମଚନ୍ଦ୍ରଦେଵଙ୍କ ପରିବର୍ତ୍ତେ ଭାଗୀରଥି କୁମାର ଜଗନ୍ନାଥଙ୍କ ଛେରାପହଁରା କରିଥିଲେ, ଖୋର୍ଦ୍ଧାର ପ୍ରକୃତ ରାଜା କିଏ, ସମବେତ ଦେଶବାସୀଙ୍କ ସମ୍ମୁଖରେ ତାହାର ଶେଷ ମୀମାଂସା ହୋଇପାରିଥାନ୍ତା।
କ୍ରମଶଃ...
୧୧.୧.୧୯

No comments:
Post a Comment