Sunday, 6 January 2019

*ହାଫିଜ କାଦର ଓ ତକୀ ଖାଁ ଭେଟ*

ଏହିପରି ସମୟରେ ଦିନେ ତକୀ ଖାଁ ନିଷ୍ଫଳ କ୍ରୋଧରେ ରକ୍ତଚାଉଳ ଚୋବାଉଥିବା ବେଳେ ଜଣେ ଲସ୍କର ଆସି ଖବର ଦେଲା, ଖୋଦ୍ ହାଫିଜ କାଦର ଜାହାଁଫନାଙ୍କ ଭେଟ ପାଇଁ ଗଡ଼ରେ ଆସି ପହଞ୍ଚିଛନ୍ତି, ପାରିଷଦ ଓ ଫୌଜଦାର ସ୍ତିମିତ, କ୍ଳାନ୍ତ ଆଖି ଏକ ଉତ୍ତେଜନାରେ ହଠାତ୍ ସ୍ପନ୍ଦିତ ହୋଇ ଉଠିଲା, ହାଫିଜ କାଦର ପ୍ରତି ଏବେ କି ଧରଣ ଶାସ୍ତି ବିଧାନ ହେବ ତାହା ଶୁଣିବା ପାଇଁ ଓ ଦେଖିବା ପାଇଁ ଦରବାରରେ ସମସ୍ତେ ଉଦ୍ ଗ୍ରୀବ ହୋଇ ଉଠିଲେ; କିନ୍ତୁ ଖବରଟା ପାଇ ତକୀ ଖାଁ ପ୍ରଥମେ ନିଜ କାନକୁ ବିଶ୍ୱାସ କରି ପାରିଲା ନାହିଁ।
ମାତ୍ର ସେତେବେଳକୁ ରାମଚନ୍ଦ୍ରଦେଵ (ହାଫିଜ କାଦର) ଶରାଵ ନିଶାରେ ଅର୍ଦ୍ଧ ଉନ୍ମତ ପରି ଢଳି ଢଳି ତକୀ ଖାଁ ସମ୍ମୁଖକୁ ଆସି ବିନା ଭୂମିକାରେ ତାଙ୍କୁ ଦୁଇ ବାହୁରେ କୁଣ୍ଢାଇ ପକାଇ  ଚିତ୍କାର କରୁଥିଲେ -
"ମୁଁ, ମୁଜରିମ, ମୁଁ ଅପରାଧୀ, ମୋର ଗୋସ୍ତାଜୀ
ମାଫ କରନ୍ତୁ ନାହିଁ ଜାହାଁଫନା। ମୋର ବିରାଦର, ମୋର ବଡ଼ଭାଇ, ଜାହାଁଫନାଙ୍କ ଠାରେ ମୁଁ ଢେର କସୁର କରିଛି, ମୋତେ ଶୂଳୀରେ ଚଢ଼ାନ୍ତୁ, ହଁ ଶୂଳୀରେ ଚଢ଼ାନ୍ତୁ ମୋତେ।"
ତକୀ ଖାଁ ବ୍ୟାପାରଟା କଣ ଘଟିଗଲା ବୁଝିବା ପୂର୍ବରୁ, ରାମଚନ୍ଦ୍ରଦେଵ ସେହିପରି ପ୍ରଳାପ କରୁଥିଲେ "ହାପି ରିଜିଆ ବେଗମ, ଶୂଳୀରେ ଚଢ଼ିବା ପୂର୍ବରୁ ତୁମ ସହିତ ଆଖିର ମୁଲାକାତ୍ ସୁଦ୍ଧା ହୋଇ ପାରିଲା ନାହିଁ।

ରାମଚନ୍ଦ୍ରଦେଵ କଣେଇ କଣେଇ ଚାହିଁ ଦେଖିଲେ, ତକୀ ଖାଁ ଏ ନାଟକୀୟତାରେ ବେଶ ବିଭ୍ରାନ୍ତ ହୋଇ ପଡ଼ିଛି। କଣ୍ଠସ୍ୱର ଆଉରି ଗୋଟାଏ ପର୍ଦ୍ଦ ଉପରକୁ ବଢ଼ାଇ ସେ ପୁଣି ପ୍ରଳାପ ଆରମ୍ଭ କଲେ - "ଆଉ ଡେରି କାହିଁକି ଜାହାଁଫନା ? ଏଇ ମୁଁ ହାଫିଜ କାଦର, ଆପଣଙ୍କ ଛୋଟ ଭାଇ, ଆପଣଙ୍କ ଦରବାରରେ ହାଜର ଅଛି। ଜାହାଁଫନା ନିଜ ହାତରେ ଗୋଟାଏ ଖଣ୍ଡା ଚୋଟରେ ଏ ମୁଜରିମ୍ ର ମୁଣ୍ଡକୁ ଏଇ ମୁହୂର୍ତ୍ତରେ ମାଟିରେ ଲୁଟାଇ ଦିଅନ୍ତୁ। ମୁଁ ବେଆଦବ୍। ମୁଁ ମଝରିମ୍।

କ୍ରମଶଃ...

୬.୧.୧୯

No comments: