ଅନ୍ୟ ମୋଗଲ ଶାସକଙ୍କ ଭଳି ତକୀ ଖାଁ ମଧ୍ୟ ଶୁଣିଥିଲା ଜଗନ୍ନାଥଙ୍କ ପିଣ୍ଡ ଦୁର୍ଲ୍ଲଭ ଇନ୍ଦ୍ରନୀଳମଣିରେ ଗଠିତ। ଏହା ବ୍ୟତୀତ ବିଗ୍ରହ ମାନଙ୍କର କୁଣ୍ଡଳ, ତିଳକ, ଚନ୍ଦ୍ରିକା, ମାଳି, କିରୀଟ, ଓଢ଼ଆଣି ପ୍ରଭୃତି ଅଳଙ୍କାର ସୁଦୁର୍ଲ୍ଲଭ ମଣି ମୁକ୍ତା ମାନଙ୍କରେ ନିର୍ମିତ ହୋଇଥିବାର ସମ୍ବାଦ ତକୀ ଖାଁ ଗୁପ୍ତରେ ମଧ୍ୟ ସଂଗ୍ରହ କରିସାରିଥିଲା। ବସ୍ତୁତଃ ଅତୀତରେ ଉତ୍କଳର ଆଗଙ୍ଗା ଗୋଦାବରୀ ପରିବ୍ୟାପ୍ତ ସାମ୍ରାଜ୍ୟର ସବୁ ସମ୍ପଦ ଜଗନ୍ନାଥଙ୍କ ଠାରେ ନିବେଦିତ ହୋଇଥିବାରୁ ଜଗନ୍ନାଥ, ସାହାଜାହାନାବାଦ ଦିଲ୍ଲୀର ବାଦସା, ମୁର୍ଶିଦାବାଦର ନବାଵ ଅଥବା ଦକ୍ଷିଣରେ ନିଜାମ ଉଲ ମୂଲକଙ୍କଠାରୁ ସୁଦ୍ଧା ଦୁର୍ଲ୍ଲଭ ମଣି ମୁକ୍ତାରେ ଆହୁରି ବେଶୀ ବିଭବଶାଳୀ ଥିଲେ।
ଏ ସମ୍ପର୍କରେ ଜମାବନ୍ଦିର ଯେଉଁ ହିସାବ ମିଳିଥିଲା ତାର ହିସାବ ଲଗାଇବା ପରେ ତକୀ ଖାଁର ଆଖି ସେଇଠି ଲାଖି ଯାଇଥିଲା।
ସେହି ସମ୍ପଦ ଲୁଟିବା ପାଇଁ ରାଜୁ ଖାଁ, କଳାପାହାଡ଼ ଠାରୁ ଏ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହୋଇ ଆସିଅଛି।
ଏବେ ବି ଯେତିକି ସମ୍ପଦ ଅଛି, ସେତିକିରେ ବଙ୍ଗ, ବିହାର ଓଡ଼ିଶା ପୋତି ହୋଇଯିବ। ବସ୍ତୁତଃ ତକୀ ଖାଁର ସେହି ସମ୍ପତ୍ତି ଲୁଟ କରିବା ବ୍ୟତୀତ ଅନ୍ୟ କିଛି ଅଭିଳାଷ ନ ଥିଲା।
କିନ୍ତୁ ଅତୀତର ବହୁ ଅଭିଜ୍ଞତାରୁ ତକୀ ଖାଁ ବୁଝି ସାରିଥିଲା ମନ୍ଦିର ଆକ୍ରମଣ କରି, ଦେବତା ମାନଙ୍କୁ ଖୁନ୍ କରି ସେ ଉଦ୍ଦେଶ୍ୟ ସଫଳ ହେବାର ସମ୍ଭାବନା ବିରଳ; କିନ୍ତୁ ସେ ପନ୍ଥା ବାଦ ଦେଇ ଛଳେ ବଳେ କୌଶଳେ ଯଦି ଏ ଉଦ୍ଦେଶ୍ୟ ସିଦ୍ଧ ହୋଇପାରେ, ତାହେଲେ ତାହାଠାରୁ ବଳି ଅନ୍ୟ ଇମାନଦାରୀ କଥା ଆଉ କିଛି ହୋଇ ନ ପାରେ। ଏଇ ଉଦ୍ଦେଶ୍ୟ ସିଦ୍ଧି ପାଇଁ ସେ ଖୋର୍ଦ୍ଧା ରାଜା ରାମଚନ୍ଦ୍ରଦେଵଙ୍କୁ ଧର୍ମାନ୍ତରିତ କରାଇଥିଲା। ରାଜାଙ୍କୁ ନିଜ ଅକ୍ତିଆରରେ ରଖି ଜଗନ୍ନାଥଙ୍କ ଅଚଳାଚଳ ସମ୍ପତ୍ତି ହାତେଇବା ଥିଲା ତା'ର ଅସଲ ଉଦ୍ଦେଶ୍ୟ।
କ୍ରମଶଃ...
୧୨.୧.୧୯

No comments:
Post a Comment