ପୁଣି ଦିନେ ସନ୍ଧ୍ୟାବେଳେ ମେଘ ଘଡ଼ଘଡ଼ିରୁ ରକ୍ଷା ପାଇବା ପାଇଁ ଜଣେ ଅସୁଆର କଳା ଘୋଡ଼ା ଚଢ଼ି ସେହି ନୂଆ ଚଟୀଘର ପାଖରେ ଅଟକିଗଲା। ତା' ପଛରେ ଆଉ ଦୁଇ ଜଣ ଅସୁଆର ମଧ୍ୟ ପହଞ୍ଚିଲେ। ପ୍ରଥମ ଅସୁଆର ଥିଲା ଖୋର୍ଦ୍ଧାର ଯୁବରାଜ ଭାଗୀରଥୀ କୁମାର। ପଛରେ ଆସିଥିଲେ ଲଳିତା ମହାଦେଈଙ୍କ ଅତି ବିଶ୍ୱସ୍ତ ଲୋକ ବଂଶୀଧର ଶ୍ରୀଚନ୍ଦନ ଓ ଜଗନ୍ନାଥ ପରିଚ୍ଛା। ତାଙ୍କ ପଛକୁ ଆଉ ପଚାଶ ଜଣ ବାଣପୁରିଆ ପାଇକଙ୍କୁ ମଧ୍ୟ ପଠାଇଥିଲେ ଲଳିତା ମହାଦେଈ। ଏ ସମସ୍ତଙ୍କୁ ସେ କହିଥିଲେ ପୁରୀ ଯାଅ, ଯେମିତି ବି ହେଉ ରାମଚନ୍ଦ୍ରଦେଵଙ୍କୁ ପରାସ୍ତ କର ଏବଂ ଭାଗୀରଥୀକୁ ରାଜା କରାଅ। ସେଣେ ତକୀ ଖାଁ ମଧ୍ୟ ସେହି ଉଦ୍ଦେଶ୍ୟରେ ଅମିନଚାନ୍ଦକୁ ପୁରୀ ପଠାଇଥିଲା।
ମାତ୍ର ଘଟଣା ଘଟିଗଲା ଅନ୍ୟ ପ୍ରକାର।
କନ୍ଦା ନଈ ପାର ହେଉ ହେଉ ମାଲୁଦ ପଠାଣ ଫୌଜଦାର ଏମାନଙ୍କୁ କୟଦୀ କଲା।
ତକୀ ଖାଁ ପାଖକୁ ଖବର ପଠାଇବା ପରେ ସେ ନିର୍ଦ୍ଦେଶ ଦେଲା ସେମାନଙ୍କୁ ଛାଡ଼ିଦେବା ପାଇଁ। କାରଣ ସେ ଭାବିଥିଲା ମିଳିତ ଆକ୍ରମଣ କରି ରାମଚନ୍ଦ୍ରଦେଵଙ୍କ ଠାରୁ ରାଜସେବାର ଅଧିକାର ଛଡ଼ାଇ ନେବା ସମ୍ଭବ।
ଏଭଳି ଅଭାବନୀୟ ପରିସ୍ଥିତି କାରଣରୁ ରଥଯାତ୍ରା ସମୟ ଗଡ଼ିଯାଉ ଥାଏ। ମାତୁଳ ସମ ବଂଶୀ ଶ୍ରୀଚନ୍ଦନ କହିଲେ, "ଦିନ ବୁଡ଼ିଗଲା। ଝଡ଼ ରାତି। ଡେରି କରିବାକୁ ଆଉ ବେଳ ନାହିଁ। ଶୀଘ୍ର ଚାଲ।"
ଭାଗିରଥୀ - ଏମିତି ଅନ୍ଧାରରେ ଆମକୁ ମାଲୁଦ ଫୌଜଦାର କୟଦୀ କଲା। ଆମେ ଆଉ ଅନ୍ଧାର ରାତିରେ ମାଣିକପାଟଣା ଯାଇପାରିବୁ ନାହିଁ। ଆପଣମାନେ ଆଗରେ ଯାଆନ୍ତୁ ଡଙ୍ଗା ପ୍ରସ୍ତୁତ କରି ରଖିଥିବେ। ପାଦଚଲା ପାଇକମାନେ ପହଞ୍ଚିବା ପୂର୍ବରୁ କାଲି ସକାଳେ ଆମେ ପହଞ୍ଚି ଯିବୁ। ଏବେ ଏଇ ଚଟୀ ଘରେ ଆମେ ରହି ଯାଉଛୁ।
ଝଡ଼ର ବେଗ ଶାନ୍ତ ପଡ଼ିଥିଲା। ମେଳା ମେଳା ଛିଣ୍ଡା ମେଘ ଗହଳି ଭିତରେ ଶୁକ୍ଳ ସପ୍ତମୀ ତିଥିରେ ଜହ୍ନ ଭାସି ଭାସି ଯାଉଥିଲା। ଚିଲିକାର ଜଳରାଶି ମେଘଛାଇ ଆଉ ଜହ୍ନ ଆଲୁଅରେ ଦୋସଡ଼ା ତଳେ ନିଦେଇ ପଡ଼ିଥିଲା; କିନ୍ତୁ ଚିଲିକାର ଫେନଚୂଡ଼ ଊର୍ମି ଓ କେତେଟା ହଂସରାଳୀଙ୍କ ଆଖିରେ ତଥାପି ନିଦ ନ ଥିଲା। କଳା ମେଘ ଖଣ୍ଡେ ଜହ୍ନ ଉପରେ ଢାଙ୍କି ହୋଇଗଲା। ମେଘ ଯେତେ ଘନକୃଷ୍ଣ ହେଉ; ତା' ଚାରିପଟେ ମଧ୍ୟ ଆଲୋକର ଦୀପ୍ତି ଅଛି। ସବୁ ଦୁର୍ଯୋଗ ମଧ୍ୟରେ ସୁଦ୍ଧା ସୁଦିନର ଉଜ୍ଜ୍ୱଳ ସମ୍ଭାବନା ଅଛି।
ଭାଗୀରଥୀ କୁମାର ବିନିଦ୍ର ଆଖିରେ ଜହ୍ନ ଓ ଚିଲିକା ଆଡ଼େ ଚାହିଁ ସେଇସବୁ କଥା ଚିନ୍ତା କରୁଥିଲେ। ତାଙ୍କର ଚିନ୍ତା ସରଦେଈ ଆଡ଼େ ଧାବିତ ହେଉଥିଲା; ମାତ୍ର ବାଣପୁର ଗଡ଼ ସ୍ମରଣ ହେବା ମାତ୍ରେ କୋପିନୀ ମାଆ ଲଳିତା ଦେଈ ତାଙ୍କ ସମ୍ମୁଖରେ ଉଭା ହୋଇଯାଉଥିଲେ। ତାଙ୍କୁ ଲାଂଛିତା କରି ପିତା ରାମଚନ୍ଦ୍ରଦେଵ ଯବନୀ ବିବାହ କରିଛନ୍ତି।
ସେଥିପାଇଁ ମାଆ ତାଙ୍କର ପାଞ୍ଚାଳୀର ପଣ କରିଛନ୍ତି। ରାମଚନ୍ଦ୍ରଦେଵଙ୍କୁ ଖୋର୍ଦ୍ଧା ସିଂହାସନରୁ ବିତାଡ଼ିତ ନ କରିବା ଯାଏ ମୁକ୍ତକେଶୀ ରହିବେ।
ଆଜି ସନ୍ଧ୍ୟାରେ ସେହି ଅଶ୍ବାରୋହୀ ନବଯୁବାଟିକୁ ଦେଖିବା ବେଳୁ ସରଦେଈର ନିରୁତ୍ତପ୍ତ ନାରୀତ୍ବ କେତେବେଳେ ହଠାତ୍ ଚେଇଁ ଉଠିଥିଲା ଶ୍ରୀରାମଙ୍କ ସ୍ପର୍ଶରେ ପାଷାଣୀ ଅହଲ୍ୟା ପରି, ତାହା ସେ ଜାଣି ନ ଥିଲା।
କ୍ରମଶଃ...
୨୭.୧.୧୯

No comments:
Post a Comment