ତକୀ ଖାଁ କିଂକର୍ତ୍ତବ୍ୟବିମୂଢ଼ ପରି ରାମଚନ୍ଦ୍ରଦେଵଙ୍କୁ ନିଜ ପାଖରେ ଗୋଟିଏ ଆସନ ଉପରେ ବସାଇ କହିଲା - "ହୋସ ମେ ଆଓ ହାଫିଜ କାଦର।"
ରାମଚନ୍ଦ୍ରଦେଵ ଚାହିଁ ଦେଖିଲେ ଔଷଧଟା ଠିକ କାମ ଦେଇଛି। ସେ ପୁଣି ମାତାଲର ଅଭିନୟ କରି ଛାତି ଉପରେ ହାତ ପିଟି ପିଟି କହିଲେ "ହୋସ ନେଇଁ ବେହୋସ ଭି ନେଇଁ। ଜାହାଁଫନାଙ୍କର ଜଣେ ସୁଦ୍ଧା ଦୁଷ୍ମନ ଜିନ୍ଦା ଥିବା ଯାଏ ହାଫିଜ କାଦର କଦାପି ହୋସରେ ଥାଇ ନ ପାରେ।"
ତକୀ ଖାଁ ଚିତ୍କାର କରି କହିଲା "ଦୁଷ୍ମନ ତମେ ହାଫିଜ କାଦର ! ସେଇ ତ ମୋର ମୁସିବତ୍ ! ସିଂହଳ ବ୍ରହ୍ମପୁର ଗ୍ରାମରେ ପୀର ମୁଜାହିନ୍ଦ ଘାଜୀ ବେଗକୁ ଖୁନ୍ କଲା କିଏ ?
ରାମଚନ୍ଦ୍ରଦେଵ ନାଟକୀୟ ଢଙ୍ଗରେ ବୁଝାଇ ଦେଲେ ଯେ କିଏ ଏହି ଖୁନ୍ କରିଛି।
ତକୀ ଖାଁ ଆସନରୁ ଉଠି ରାମଚନ୍ଦ୍ରଦେଵଙ୍କୁ ଆଲିଙ୍ଗନ କରି ଉଛ୍ୱସିତ କଣ୍ଠରେ କହିଲା - ମୋତେ ମାଫ କର ହାଫିଜ କାଦର। ମୁଁ ନ ବୁଝି ନ ସୁଝି ତୁମକୁ କଏଦୀ କରିବା ପାଇଁ ହୁକୁମ ଦେଇ ସାରିଥିଲି। ଆଲ୍ଲାତାଲା ଜାଣନ୍ତି ତମ ପ୍ରତି ମୋର ଖାତିର କେତେ ! ତମ ମନ୍ସବଦାରୀ ମୁଁ ବଢ଼ାଇ ଦେଉଛି। ଏବେ କୁହ ସେ ବକ୍ସି ଗଲା କୁଆଡ଼େ ?
ରାମଚନ୍ଦ୍ରଦେଵଙ୍କ ଅଭିନୟରେ ତକୀ ଖାଁର ସବୁ ସନ୍ଦେହ ଦୂର ହୋଇଗଲା।
ଫୌଜଦାର ଓ ଲସ୍କର ସହାୟତାରେ ରାମଚନ୍ଦ୍ରଦେଵ ବକ୍ସି ଭ୍ରମରବର ଓ ଦେୱାନ କୃଷ୍ଣନରୀନ୍ଦ୍ର ଆଦିଙ୍କ କଟାମୁଣ୍ଡ ଗୋଟାଏ ବସ୍ତାରେ ଭର୍ତ୍ତି କରି ତକୀ ଖାଁ ପାଖକୁ ପଠାଇଲେ।
ତକୀ ଖାଁ ବୁଝିଗଲା - ମୋଗଲ ପ୍ରଭୁତ୍ୱ ଏବେ ନିଷ୍କଣ୍ଟକ।
ରାମଚନ୍ଦ୍ରଦେଵ ଆଶ୍ୱସ୍ଥ ହେଲେ - ଯେଉଁ ଦୁଇଗୋଟି ଚକ୍ଷୁ ଖୋର୍ଦ୍ଧା ଆକାଶରେ ଧୂମକେତୁ ପରି ରାମଚନ୍ଦ୍ରଦେଵଙ୍କ ପ୍ରତିଟି ମୁହୁର୍ତ୍ତକୁ ଉତ୍କଣ୍ଠିତ କରି ରଖିଥିଲା ଚିରକାଳ ପାଇଁ ତାହା ମୁଦିତ ହୋଇଗଲା।
ତକୀ ଖାଁ ଏବେ ଖୋର୍ଦ୍ଧା ଛାଡ଼ି କଟକ ବାହୁଡ଼ି ଗଲା। ଖୋର୍ଦ୍ଧା ପୁଣି ସ୍ୱସ୍ଥିର ଦୀର୍ଘଶ୍ଵାସ ଛାଡ଼ିଲା।
କ୍ରମଶଃ...
୭.୧.୧୯

No comments:
Post a Comment