ଧଉଳୀ ଗଡ଼ର ଜୀର୍ଣ୍ଣ ପ୍ରାଚୀର ଗୁଡ଼ିକୁ ଅକାରଣ ଦର୍ପରେ ମାଟିରେ ମିଶାଇ ସାରି ନାଏବ ନାଜିମ ତକୀ ଖାଁ ଡେରା ପକାଇ ମୁରାଟି ବସିଥିଲା ରଥୀପୁର ଗଡ଼ରେ। ଓଡ଼ିଶା ଉପରେ ପଠାଣ ମୋଗଲଙ୍କ ଦୃଷ୍ଟି ପଡ଼ିବା ଦିନୁ ସୂର୍ଯ୍ୟବଂଶୀ ନରପତିମାନଙ୍କର କାଳର ରଗଡ଼ି ମୁଣ୍ଡିଆ ଉପରେ ନିର୍ମିତ ହୋଇଥିଲା। ବସ୍ତୁତଃ ସାରଙ୍ଗଗଡ଼ ଡେଇଁଲେ ରଥୀପୁର ଗଡ଼ ଥିଲା ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ସମେତ ଦକ୍ଷିଣ ଓଡ଼ିଶାର ପ୍ରଧାନ ରକ୍ଷା କବଚ। ଗଡ଼ ପାଚେରୀକୁ ଘେରି ଗଙ୍ଗୁଆ ନଦୀର ଗୋଟିଏ ଶାଖା ବହି ଯାଇଛି। ଏହି ଗଡ଼ରେ ପାଞ୍ଚ ହଜାର ଅଶୁଆର ଓ ଦଶ ହଜାର ପାଇକ ଥିଲେ। ଭିତର ଗଡ଼ ଖୋର୍ଦ୍ଧାର ପ୍ରଧାନ ଆଶ୍ରୟ ସ୍ଥଳ ହୋଇଥିବାବେଳେ ରଥୀପୁର ଖୋର୍ଦ୍ଧାର ମୁଖ୍ୟ ରାଜନୈତିକ ଓ ସାମରିକ କେନ୍ଦ୍ର ଥିଲା। ଏଇଠି ଖୋର୍ଦ୍ଧା ରାଜାଙ୍କ ସହ ଶେଷ ଲଢ଼େଇ ହେବ ବୋଲି ତକୀ ଖାଁ ସଜବାଜ ହୋଇ ଆସିଥିଲା। ମାତ୍ର ଗୁପ୍ତଚରମାନେ ଖବର ଦେଲେ ଯେ ଖୋର୍ଦ୍ଧା ପାଇକ ଆଉ ନାହାନ୍ତି ରଥୀପୁର ଗଡ଼ରେ। ଗଡ଼ରେ କାଉ ଉଡୁଛି।
କିନ୍ତୁ ଏ ଖବରକୁ ତକୀ ଖାଁ ବିଶ୍ୱାସ କରିପାରୁ ନ ଥିଲା। ଯେଉଁ ଖୋର୍ଦ୍ଧା ପାଇକମାନେ ମାନସିଂହଙ୍କ ଠାରୁ ଏ ପର୍ଯ୍ୟନ୍ତ ଦେଢ଼ ଶହ ବର୍ଷ କାଳ ବାରମ୍ବାର ଲଢ଼ି ଲଢ଼ି ଓଡ଼ିଶାରେ ମୋଗଲ ପଠାଣଙ୍କୁ ନାକେ ନାକେ ପାଣି ତେଣ୍ଡାଇ ଆସିଛନ୍ତି, ସେମାନେ ହଠାତ୍ ବିନା ପ୍ରତିରୋଧରେ ଦୁର୍ଗ ପରେ ଦୁର୍ଗ ଏପରି ଛାଡ଼ି ପଳାଇବେ, ଏହା ତକୀ ଖାଁ ବିଶ୍ୱାସ କରିପାରୁ ନ ଥିଲା। ସେଥିପାଇଁ ସେ ରଥୀପୁର ଗଡ଼ ପାଖରେ ଗୋଟିଏ ଆମ୍ବ ତୋଟାରେ ଛାଉଁଣୀ ପକାଇ ସେଠାରେ ଦିନଟିଏ ରହିଲା। ତଥାପି ରଥୀପୁର ଗଡ଼ରୁ ପ୍ରତିରୋଧର ସଙ୍କେତ ନଥିଲା। ଗଡ଼ ତ ଶୁନ୍ୟ। ପ୍ରତିରୋଧ କରନ୍ତା କିଏ ?
ତକୀ ଖାଁ ଆଦେଶ ଦେଲା, "ଗଡ଼ ବାହାର ବେଢ଼ାକୁ ମାଟିରେ ମିଶାଇ ଦିଅ। ତକୀ ଖାଁ ଆଦେଶରେ ଗଡ଼ ଧୂଳିସାତ୍ ହେଲା। ତା ପରେ ତକୀ ଖାଁ ଲସ୍କର ମାନଙ୍କ ଗହଣରେ ଗଡ଼ ମଧ୍ୟରେ ପ୍ରବେଶ କଲା।
କ୍ରମଶଃ...
୪.୧.୧୯

No comments:
Post a Comment