ଖୋର୍ଦ୍ଧା ରାଜାଙ୍କ ଯବନୀ ରାଣୀ ଗଞ୍ଜେଇସା ପୀରଙ୍କ ପାଖକୁ ଆସିଥିଲେ। କାରଣ ତାଙ୍କର ହୀରାବସା ମୁଦିଟି ଗାଧୋଇବା ବେଳେ ଗୋସଲଖାନାରେ ହଜି ଯାଇଥିଲା, ଗଞ୍ଜେଇସା ପୀରଙ୍କ ମହିମାରେ ସେ ତାକୁ ଫେରିପାଇଥିବାରୁ ଦୁଆ କରିଥିଲେ। ଗଞ୍ଜେଇସାଙ୍କ ପାଖରେ ଦୁଆ ଦେଇ କଟକ ଫେରିବା ବାଟରେ କଳା ମେଘ ଘୋଟି ଆସିଲା। ଭୀଷଣ ପବନ ବହିବାକୁ ଲାଗିଲା। ସେ ଆଉ ଫେରିବା ଚିନ୍ତା ନ କରି ରଥୀପୁର ଗଡ଼ରେ ଆଶ୍ରୟ ନେଲେ।
ଦୈଵ ଯୋଗକୁ ସେଦିନ ରଥଯାତ୍ରା ପାଇଁ ପୁରୀ ଯିବା ବାଟରେ ରାମଚନ୍ଦ୍ରଦେଵ ସେଠାରେ ଅଟକିଥିଲେ। ଦୁହିଁଙ୍କ ମିଳନ ସେଦିନ ନିତାନ୍ତ ଅପ୍ରତ୍ୟାଶିତ ଥିବାରୁ ତାହା ଅତ୍ୟନ୍ତ ମଧୁମୟ ହୋଇ ଉଠିଥିଲା। ଝଡ଼ରେ ଦୁଇଟି ନୀଡ଼ହରା ପକ୍ଷୀ ପରି ରାମଚନ୍ଦ୍ରଦେଵ ଓ ରିଜିଆ ସେ ରାତିଟି ରଥୀପୁର ଗଡ଼ରେ ଆଶ୍ରୟ ନେଇଥିଲେ। ରାତିରେ ଝଡ଼ ଓ ମେଘ କଟିଯିବା ପରେ ଆକାଶ ପୁଣି ଶାନ୍ତ ହୋଇ ଉଠିଥିଲା। ରିଜିଆ ରାମଚନ୍ଦ୍ରଦେଵଙ୍କୁ ପୁଣି ଅନୁନୟ କରିଥିଲେ ରଥରେ ଜଗନ୍ନାଥଙ୍କୁ ଥରେ ଦେଖିବା ପାଇଁ। ମାତ୍ର ସେ ଜାଣିଥିଲେ ତକୀ ଖାଁର କଡ଼ା ତାଗିଦ ଥିଲା ଯେ ଘାଜିସା ପୀରଙ୍କ ପାଖରେ ଦୁଆ ଦେଇ ସାରି ସିଧା କଟକ ୱାପସ୍ ଆସିବା ପାଇଁ।
ଏତିକିବେଳେ ରିଜିଆ ସେହି ବିନିଦ୍ର ପ୍ରହରରେ ରାମଚନ୍ଦ୍ରଦେଵଙ୍କୁ ସତର୍କ କରାଇ ଦେଲେ ଯେ ଅମିନଚାନ୍ଦ କିପରି ନିଯୁକ୍ତି ପାଇଲା ଏବଂ ସେ କିପରି ଜଗନ୍ନାଥ ମନ୍ଦିରକୁ ଅକ୍ତିଆର କରିବାକୁ ଯାଉଛି। ସେଥିପାଇଁ ପିପିଲିର ମୋଗଲ ଲସ୍କର କିପରି ବୃଦ୍ଧି କରାଯାଉଛି। ଅମିନଚାନ୍ଦ କିପରି ସାଙ୍ଗରେ ଫୌଜ ଧରି ରଥଯାତ୍ରା ଦେଖିବା ବାହାନାରେ ପୁରୀ ଅଭିମୁଖେ ରବାନା ହୋଇଛି।
ଏହାଶୁଣି ରାମଚନ୍ଦ୍ରଦେଵଙ୍କ ମନରେ ଆକାଶ ହଠାତ୍ ଅନ୍ଧକାର ହୋଇଗଲା।
କ୍ରମଶଃ..
୧୭.୧.୧୯

No comments:
Post a Comment