ରାତି ଅଧରେ ଚବର ଚବର ଶୁଭିଲା। ଆସି ପହଁଚିଲା ଛବି, ତା ସଙ୍ଗରେ ଆଉ ଗୋଟାଏ କିଏ ମାଇପିଟିଏ ଛୁଆଟିଏ କାଖେଇଛି। ବାଟ ମୁହଁରୁ କୁହାଟ ଶୁଭିଲା ଆଉମାନଙ୍କର, "ଥାଅ ଗୋ, ଆମେ ଯାଉଛୁ।"
ଛବି କହିଲା, "ବୋଉ, ଇଏ ଯଶୋମତୀ, ପାଣ ଘର ବୋହୂ, ୟାଙ୍କର ଘର ଦୁଆର ସବୁ ପରା ଭାସି ଯାଇଛି। ଆଲୋ ପିଣ୍ଡାକୁ ଉଠିଆ, ସେଠିଟାରେ କାଇଁକି ଠିଆ ହେଇ ରହିଲୁ ମ -"
ସିନ୍ଧୁ ଚୌଧୁରୀ କହିଲେ, "ହଁ, ଉଠିଆ ମା, ଆହା ! ଛୁଆଟି ବି ଜୁଡୁବୁଡୁ - ଆ।"
ଛବି ବୋଉ କାବା ହୋଇ ଜଣକଠୁଁ ଆର ଜଣକୁ କାବା ହୋଇ ଅନାଇଲେ। ସତୁରାର ନାତୁଣୀ ବୋହୂ ଦୋ ଦୋପାଞ୍ଚ କରୁଛି, ଭରସୁ ନାହିଁ। ପୁଣି ପିଣ୍ଡା ଉପରୁ ତଳକୁ ଓହ୍ଲାଇ ପଡ଼ି ଛବି ତାର ହାତ ଧରି ଓଟାରି ଆଣିଲା। କହିଲା, "ଆ ତୁ ମଠେଇ ହଉଚୁ କାହିଁକି ?"
ଛବି ଘରେ ହେଁସ ପାରିଦେଲା। ବାଉଁଶ ଅଲଗୁଣିରୁ ଓଟାରି ଆଣି ଖଣ୍ଡେ କନ୍ଥା ଓ ଖଣ୍ଡେ ଶୁଖିଲା ଶାଢ଼ୀ ଆଣି ଥୋଇ ଦେଲା। କହିଲା, "ଲୁଗା ପାଲଟି ପକା, ଶୋଇ ପଡ଼, ଏଇ ତୋର ଘର।" ସିନ୍ଧୁ ଚୌଧୁରୀ କହିଲେ, "ହଁ ମା, ଏଇ ତୋର ଘର।" ଛବି ଡିବି ଲଗାଇ ଦେଲା।
ତା ପରେ ସେମାନେ ସେଘରୁ ଚାଲି ଆସିଲେ। ପିଣ୍ଡାରେ ଆସୁ ଆସୁ ସିନ୍ଦୁ ଚୌଧୁରୀ କହିଲେ, "ପାଲୁଣି ବେଶରେ ବିଜେ କରିଛୁ ମା ତାରା, ମା ଲକ୍ଷ୍ମୀ, ତୋର ଦୟା।"
ଛବି କହିଲା, "ଆଜି ଏମିତି ରାତିରେ କେତେ ମା ତାରା କେତେ ମା ଲକ୍ଷ୍ମୀ ଦରଦର ବରଷାରେ ଅନ୍ଧାରରେ ଏଣେ ତେଣେ ବୁଲୁଛନ୍ତି, ଦେଖନ୍ତ ଯଦି ସେ ଦଶା ବାପା, କେତେ କହିପୋଛି ଗୋଟାକୁ ସାଙ୍ଗରେ ନେଇ ଆସିଲି, ଆହୁରି କେତେ ଅଛନ୍ତି, କେତେ କେତେ, କଣ ହେବ ତାଙ୍କ ଅବସ୍ଥା, ଘରେ ଲହଡ଼ି ଖେଳୁଥିବ -"
ସିନ୍ଧୁ ଚୌଧୁରୀ କହିଲେ - "ଯିଏ ଏ ଦଶା କରିଛନ୍ତି, ସେଇ ସମ୍ଭାଳିବେ। ସବୁ ତାଙ୍କ ଇଚ୍ଛା। ତୁ ମୋତେ ଯାହା କହିବୁ, ମୁଁ ତା କରିବି ମା ! ଲୋକଙ୍କର ଏ ଦୁର୍ଦ୍ଦଶା ଘଡ଼ି ବେଳେ - ଆଉ କିଏ କୋଉ କଥାକୁ ପଚାରେ ! ମଣିଷ ଜୀବନ କଲବଲ ହଉଚି, ସେଠି କି ଧର୍ମ, କି ମୋକ୍ଷ, କି ଘରକରଣା ! କୁଆଡୁ ମାଡ଼ି ଆସିଚି ଏ ପ୍ରଳୟ ବଢ଼ି, ଏଥିରେ ସମସ୍ତିଙ୍କର କର୍ତ୍ତବ୍ୟ ଅଛି, କିଏସେ ହେଲେ ସେ କର୍ତ୍ତବ୍ୟକୁ ବାଁଖାଡ଼ିଆ ଦେଲେ ଭଗବାନ ସହିବେ ନାହିଁ।"
ଛବି କହିଲା, "ଅଇଛା ନିଦ, ଆଉ କିଛି କାମ ନାଇଁ। ପୁଣି ଭୋର ପାହାନ୍ତିଆରୁ ଉଠି ସେଠିକି ଯିବାକୁ ପଡ଼ିବ।"
ବିଛଣା ଛୁଉଁ ଛୁଉଁ ନିଦ ହୋଇଗଲାଣି ଛବିର। କିନ୍ତୁ ଛବି ବୋଉର ନିଦ ନାଇଁ। ସେ ଶୁଣୁଛି ବରଷା ଅଜାଡ଼ି ହେବାର ଦୁଲ ଦୁଲ ଶବ୍ଦ, ସେ ଭାବୁଛି - ଏଇ ଡିହରେ ଏଇଠି, ଯେଉଁଠି ବଡ଼ବଡୁଆ ଅଛନ୍ତି, ଯେଉଁଠି କେତେ ହୋମ, କେତେ ପୂଜା, କେତେ ବନ୍ଦାଣ, କେତେ ଓଷା, ସେ ଡିହରେ ପାଣ ପଶିଛି। ଯୋଉ ଝିଅଟା କେଡ଼େ ଆଡ଼ମ୍ବରରେ ବିଭା ହୋଇଯାଇଥାନ୍ତା, ତାକୁ ବାଇ ଲାଗିଛି, ପାଣି କାଦୁଅରେ ସେ ପଦାରେ ବୁଲୁଛି, ଛୁଆଁ ଅଛୁଆଁ ଭେଦ ବିଚାର ନାହିଁ। ବାପ ତ ଏଥିରେ ଖୁସି।
ପୁଣି ସେ ଭାବୁଛନ୍ତି - ଏତେ ବର୍ଷ ଏ ଛୁଆଁ ଅଛୁଆଁ ଧରି ହେଲା କଣ ? ଏତେ ବଡ଼ ଖାନ୍ଦାନ ଥିଲା, ଉଭା ଯେତେ ଥିଲା ପୋତା ସେତେ ଥିଲା, ଗଦା ଗଦା ଲୋକ ରାତି ପାହିଲେ ଆସି ଯେଝା ଯେଝା କାମରେ ଲାଗିଯାଉଥିଲେ। ହାଣ୍ଡି ହାଣ୍ଡି ଦୁଧ, ଏଡ଼େ ମୋଟ ସର। କାଟି କାଟି ଖାଇବାକୁ ନଉତି ନଉତି ଥଲ ଥଲ ଦହି। ମହଣ ମହଣ ବଡ଼ ମାଛ, ପୁରୁଷେ ଉଞ୍ଚରେ ଘର ଭର୍ତ୍ତି ହୋଇ ଆମ୍ବ, କାନ୍ଦି କାନ୍ଦି କଦଳୀ, ଯେଉଠିକି ଚାହିଁଦେଲେ ଖାଲି ଜିନିଷ। ଫାଟି ପଡୁଛି, ବୋହିଯାଉଛି, ପୋଇଲି ପରିବାରୀ ଯାହା ବୋହି ନେଉଥିଲେ ଆଜି ତା ଖାଉନ୍ଦେ ଆଖିରେ ଦେଖିବାକୁ ସାତ ସପନ।
ହୁକୁମ ରଡୁ ରଡୁ ତଣ୍ଟି ପଡ଼ି ଯାଏ, ଫୁଲ ଗୁନ୍ଥୁ ଗୁନ୍ଥୁ ହାତ ଘୋଳି ହୁଏ, ଆଉ ସେ ଯେଉଁ ଖନ୍ଦାଶାଳର କାମ, ମାଛ କାଟୁ କାଟୁ ତ ମୁଣ୍ଡେ ବେଳ, ସେ କଣ ସାମାନ୍ୟ କାମ ! ଏତେ ପ୍ରାଣୀ କୁଟୁମ୍ବ ଖାଇବେ, ତାର ତିନି ଗୁଣ ବାହାରର ଲୋକେ, ଅତିଥି ଅଭ୍ୟାଗତ, ବଡ଼ ଘର, ବଡ଼ ନଜର, ବଡ଼ ରୋଷେଇ, ସବୁ ତ ବଡ଼।
ରାତି ସାରା ଏଇ କଥା ସବୁ ହିସାବ କିତାବ କରି ଛବି ବୋଉ ଶେଷ ନିଷ୍କର୍ଷରେ ପହଞ୍ଚିଛି ଯେ ଜାତି ଅଜାତି ବୋଲି କିଛି ନାହିଁ, ସବୁଠୁ ବଡ଼ ଧର୍ମ ମଣିଷକୁ ଭଲ ପାଇବା।
ଆଉ ଥରକୁ ବରଷା ଅଜାଡ଼ିଲା ବେଳକୁ ତାଙ୍କୁ ବି ନିଦ ହୋଇଯାଇଥିଲା।
୬.୫.୧୯

No comments:
Post a Comment