ଗାଁ ହେଉ କି ଅପନ୍ତରା ହେଉ ଚାଳ ଆସି ଏକ ଢିପ ଜାଗାରେ ଲାଗିଛି। ଗୋଟା ଗୋଟା ତାଳଗଛ ଠିଆ ହୋଇଛି, ଏବେ ବି ସେଥିରେ ପାଚିଲା ତାଳ ରହିଛି। ନାଗ ଅଇରି ଆଉ କଂସାରି ବଣ, ଛନଛନିଆଁ ଶାଗୁଆ ହୋଇ ଘଞ୍ଚ ଗିଲଗଛ, ଠାଏ ଠାଏ ଡେଙ୍ଗା ଡେଙ୍ଗା କିଆ, ମାଉଁସିଆ ପାପୁଲି ପରି ଚଟା ନାଗଫେଣୀ, ଚୂନ ଲେପିଲା ପରି ଖିରୀକୋଳି ଡାଙ୍ଗ, ଏପରିକି ଯେଉଁ ବିଛୁଆତୀ ବାଇଡଙ୍କ ଲଟେଇଛି, ସେ ବି ମନକୁ ସୁଖ ଦେଉଛି, ଆଣୁଛି ଆଶା, ନିର୍ଭର ଓ ବିଶ୍ୱାସର ଗୋଟାଏ ଜୀବନ, ଜୀବନ ଚେତନା। ସତେ କି ନିର୍ଜୀବ ରେଡ଼ିଓ ଯନ୍ତ୍ରରେ ପୁଣି ବିଜୁଳି ଶକ୍ତି ଖେଳିଗଲା, ନାନା ଭାବର ନାନା ସଙ୍ଗୀତ ସେଠି କୋଳାହଳ କରିଉଠିଲା। ସଜ ସକାଳ ସମ୍ଭାଷଣ ଜଣାଉଛି, ଢିପର ଢାଲୁ ସ୍ୱାଗତ କରୁଛି, ରାତି ଆଉ ଦୁଃସ୍ବପ୍ନ କଟାଇ ଦେଇ ପାରି କରି ଘେନି ଆସିଛି ସେହି ଅଦେଖା ଶକ୍ତି ଯେ ଟିକି ଚଢ଼େଇ ପାଇଁ ବି ଆଧାର ଯୋଗାଏ, ଅରକ୍ଷିତ ପାଇଁ ରଖିଥାଏ ଗଛର ଛାଇ।
୧୦.୫.୧୯

No comments:
Post a Comment