ଫୁଲଶରାର ତିନି ଖଣ୍ଡି ନାହା କେତେବେଳେ ଏକାଠି ଭେଟା ଭେଟି ହୁଏ, କେତେବେଳେ ତିନି ଦଳ ହୋଇ ତିନି ପଟେ କୁଆଡ଼େ କୁଆଡ଼େ ସେମାନେ ଛିନ୍ ଛତର ହୋଇ ରହନ୍ତି। ଡଙ୍ଗାଏ ଡଙ୍ଗାଏ ଜୀବନ, ପାଣି କାଦୁଅରେ କାମ, ମଣିଷଙ୍କୁ ଏଠୁ ନେଇ ସେଠି ଛାଡ଼ିବା, ସାହାଯ୍ୟ ଦେବା, ସାହସ, ସହାନୁଭୂତି ଦେବା ଏଇଥିରେ ଦିନ ସରିଯାଏ। କେତେ ସର୍ଦି, କାଶ, ଜ୍ଵର , ପେଟବ୍ୟଥା ଦେହେ ଦେହେ ଯାଇଛି। କେତେଦିନ କେତେ ରାତି ବିତିଛି, ଆଖି କସରା ପଡ଼ି ନାହିଁ। ପୁଞ୍ଜି ସରିଲେ ବି କାମ ଅଟକି ନାହିଁ। ଡାକିଲେ ଲୋକେ ଓ' କରିଛନ୍ତି। ଯାହାର ଅଛି ସେ ସାହାଯ୍ୟ ଦେବାକୁ ଆଗଭର ହୋଇଛନ୍ତି।
ଆଖି ଛଳ ଛଳ, ଓଠ ଥର ଥର, ଦାଣ୍ଡ କବାଟ ଖୋଲି କେତେଠିଁ ବାହାରି ପଡ଼ିଛି ଖଡୁ କାଚ ପିନ୍ଧା ଯୋଡ଼ା ହାତ,
"ଆହା, ନିଅ ନିଅ.."
ଏଥରକ ଲେଉଟି ଯିବାକୁ ପଡ଼ିବ। ବଢ଼ି ସାହାଯ୍ୟ ପାଇଁ ଚରିଆଡ଼େ ବ୍ୟାପକ ବ୍ୟବସ୍ଥା ହୋଇସାରିଛି। ସରକାରୀ ସାହାଯ୍ୟ ବ୍ୟବସ୍ଥା ବ୍ୟାପକ ଭାବେ ପହଞ୍ଚି ଯାଇଛି। କିଛି ବେସରକାରୀ ସାହାଯ୍ୟକାରୀ ସଂସ୍ଥା ମଧ୍ୟ ପହଞ୍ଚି ଗଲେଣି।
ଆଗେ ଲେଉଟିଲା ଖଣ୍ଡେ, ତା ପରେ ଆଉ ଖଣ୍ଡେ, ତା ପରେ ଦି' ଦିନି ଛାଡ଼ି ତୃତୀୟ ଦିନ ଲେଉଟିଲା ରବିର ଡଙ୍ଗା। ସେମାନେ ଦେଖିଥିବା କେତେ ଗାଁ, କେତେ ପାଟ, କାନ୍ଦୁରା କାକୁସ୍ଥ ବେଳର କେତେ କାଲୁବାଲୁ ଦୃଶ୍ୟ, ସବୁ ଏବେ ଅଦୃଶ୍ୟ ହୋଇଯିବ। ସେହି କଥା ରବି ଭାବୁଥିଲା, ଆସନ୍ତା ଦିନର ଛବି ଆଙ୍କୁଥିଲା। ସାମନାରେ ଥିଲା ସେଇ ଗୋଳିପାଣିର ସମୁଦ୍ର। ଜହ୍ନ ଆଲୁଅ ତେଜିଲା। ତଥାପି ଚାରିଆଡ଼େ ଅନ୍ଧାର ଅନ୍ଧାର ଦିଶୁଥିଲା।
ବିଲୁଆ ବୋବେଇଲେ, ସତେ ଯେପରିକି ୟେ ଖାଲି ବିଧି ରକ୍ଷା, ଅଳ୍ପ କେଇ ଜଣ, ଅନ୍ୟପଟୁ କେହି ପାଳି ଧରିବାକୁ ନାହାନ୍ତି, ବିଲୁଆ ବି ବଢ଼ିରେ ଭାସିଗଲେ।
"ପୁଣି କେବେ ଆସିବ ? ପୁଣି କେବେ ଆସିବ ??" ଦିନବେଳେ କେତେ ଗାଁର ଲୋକେ ଆଗ୍ରହରେ ପଚାରିଥିଲେ।
ରବି ମୌନ ରହି ହେତୁ କଲା, କେତେ ମୁହଁ, କେତେ ଆଖି, କେତେ ବିକଳ, କେତେ ଅଳି।
ସେମାନେ ସମସ୍ତେ ତା'ର ଆପଣାର।
୨୫.୫.୧୯

No comments:
Post a Comment