"ଏ ! କୁଆଡ଼େ ଥିଲ, ମୁଁ କେତେ ଆଡ଼ ଖୋଜିଲିଣି।" ଦୁଲ କହିଲା, ମିଣିପେ ଆଜି ହାଣ୍ଡି ଧରିଛନ୍ତି ଯେ କତିରେ ପୂରେଇ ଦେଉ ନାହାନ୍ତି। ସେ ଯେଉଁ ନାଉରୀ ଜଣକଟି ଭାରି ନବଜିଆ, ସେ କହୁଛି କଣ ଶୁଣିଲଣି ନା ? ମଣିଷ କେତେ ହସିବ ! କହୁଛି, ଦେଖିବ ରଇଥା, ଏଡ଼େ ସୁଆଦ ରୋଷେଇ ତେମେ କେବେ ଖାଇ ନ ଥିବ। ତେମେ କୁଆଡ଼େ ଏଡ଼େ ପାରିବାର।"
ଛବି ହସି ହସି ଦୁଲକୁ ଦୁଇ ହାତରେ କୁଣ୍ଢେଇ ପକାଇଲା। ଦୁଲ ଭାବିଲା ଏହା ତାର ଅଖଳା ମନର ଅକପଟ ସ୍ନେହ ବୋଲି, ସେ କୃତଜ୍ଞ ହେଲା, ସେ ଗୌରବ ମଣିଲା, ସ୍ନେହରେ ଭାସି ଯାଇ ଇଚ୍ଛାକଲା କଣ ଏମିତି ବାଟ ଦିଶନ୍ତା, ଯହିଁରେ ସେ ଛବିର କିଛି ଉପକାର କଲେ ଛବିର ଆତ୍ମା ସନ୍ତୋଷ ହୁଅନ୍ତା।
ଛବି ଢେଉ ପରି ଫୁଲି ଉଠିଥିଲା। ଢେଉ ପରି ଅଜାଡ଼ି ହେଉଥିଲା।
ଦୁଲ ପାଖରେ ସେ ଖୋଜିଗଲା ତା ବାପାଙ୍କୁ। ନିଆଁ ପାଖରେ ସେହିମାନଙ୍କ ଦଳରେ ସେ ବସି ରହିଛନ୍ତି। ଚୂଲି ନିଆଁର ଧାସ ନାଲିଚା ରଙ୍ଗ ବୋଳିଲା ପରି କାହା କାହା ମୁହଁରେ କେଉଁଠି କେଉଁଠି ଲାଗି ରହିଛି। ରବିର କପାଳରେ ବି ନିଆଁ ଧାସ ପଡ଼ିଛି।
ରବି ଦେଖିଲା ଦେଉଳ ଦୁଆରମୁହଁରେ ଦୀପଟିଏ ଉଜ୍ଜ୍ୱଳ ହୋଇ ଜଳୁଛି, ଦୀପର ଶିଖା ଧମକିଲା ପରି ନାଚୁଛି।
ଛବି ବି ସେହି ଦୀପ ଜଳୁଥିବା ଦେଖୁଛି, କାହିଁ ତା ପ୍ରଶ୍ନର ଉତ୍ତର ?
ଗହଳି ଭିତରୁ ତା ବାପା କହୁଛନ୍ତି, "ମନା କରୁଥିଲି, ଆସିଲୁ। ତେଣେ ତୋ ବୋଉକୁ ଆଜି ନିଦ ହେବ ନାହିଁ।"
ଛବି ତାର ବୋଉକୁ ମନେ ପକେଇଲା। ଲାଗିଲା, ସତେ କି ସେ ଅଜାଣତରେ ଦୋଷ କରି ପକାଇଛି। ବୁଲିପଡ଼ି ଅନାଇଁ ଦେଲା, ଦେଖିଲା ରବି ତାହାରି ଆଡ଼କୁ ଚାହିଁଛି। ମୁହଁକୁ ତଳକୁ କରି ଦୁର୍ବଳ କଣ୍ଠରେ ସେ ବାପାଙ୍କ କଥାର ଉତ୍ତର ଦେଲା, "ମୁଁ କଣ ଜାଣିଥିଲି ?"
ବାପା - "ବଡ଼ଙ୍କ କଥା ମାନିଥାନ୍ତୁ, ଅଇଛା କେଡ଼େ ସୁନ୍ଦର ଖାଇ ପିଇ ଘରେ ଶୋଇ ଥାଆନ୍ତୁ।"
ଛବି - "କଣ ଆଉ ଅସୁବିଧା ହେଲା କି ? ଘର କଣରେ ବସିଥିଲେ ଏମିତି ଦିନଟିଏ କେବେ ମିଳିଥାନ୍ତା ? ୟେ ତ ସତେ କି ଯାତ୍ରା ଦେଖା !"
ସେ ଦେଖିଲା, ତା କଥାକୁ ସବୁ ହସୁଛନ୍ତି। ତାକୁ ଲାଜ ମାଡ଼ିଲା।
ଖାଇବା ପିଇବା ପର୍ବ ସରିବା ପରେ ତାକୁ ଲାଗିଲା ପକ୍ଷୀରାଜ ଘୋଡ଼ା ଚଢ଼ି ରଜା ପୁଅ ଉଡ଼ିଯିବ କି ?
ରଜା ଝିଅକୁ ଘୋଡ଼ା ପିଠିରେ ବସାଇ ଘେନି ଉଡ଼ିଯିବ।
ପୁରୁଣା ଦେଉଳ ଯେପରି କି ପ୍ରାଚୀନ କାଳର ଅଜା, ବଡ଼ ଗାଁ ପରି ବଢ଼ି ଉଠିଥିବା ତାର ବଂଶର ସୁଖ ଦୁଃଖ ଚିନ୍ତାରେ ତାର ଚିନ୍ତାଗ୍ରସ୍ତ ଭାବ, ତାର ଏ ସିଧା ଠିଆ ଧ୍ୟାନସ୍ଥ ଅବସ୍ଥା ସଂସାରୀ ଧ୍ୟାନର। ସଂସାର ଓ ସମୟ ସେଠି ଦାଗ ରଖି ଯାଇଛି କେତେ ପୋଡ଼ି ଓ ପାଣି ମାଡ଼ର। ତଥାପି ତାର ଦମ୍ଭ ନଇଁ ନାଇଁ, ନିଷ୍ଠା ନଇଁ ନାଇଁ, ସତର୍କତା ହୁଗୁଳା ହେଉ ନାହିଁ....
ଏଇ ଭିତରେ ଚାଉଁକିନା ତାର ବୋଉ ମନେ ପଡୁଛି। କେଡ଼େ ଦକଦକରେ ତା ବୋଉ ଆଜି ରାତି କାଟୁଥିବ, ଆଖିରୁ ଧାର ବୋହୁଥିବ, କେତେ ଠାକୁରଙ୍କୁ ମାନସିକ ଯାଚି ସାରିଥିବ, ନଲଟଣ ଜାଳି ବାଟକୁ ଅନାଇଁ ବସି ରହିଥିବ, ଘଡ଼ିଘଡ଼ିକେ ଛାନିଅଁ ପଶିଯାଉଥିବ କଣ ହେଲା କି ?
୧୮.୫.୧୯

No comments:
Post a Comment