Tuesday, 14 May 2019

*ଛବି ମନର କଥା*

ଧୋବେଇ ମିଶ୍ର କହିଲେ, "ତୁମ ଦେଉଳ ଭୁଷୁଡ଼ି ପଡ଼ିଛି, କୋଠା ଘର ଭାଙ୍ଗିଛି। ଶହ ଶହ ହଜାର ହଜାର ବର୍ଷ, ପୁରୁଷକୁ ପୁରୁଷ ହୋଇ ଏ ସଂସାରରେ ବିତେଇ, ଯେଉଁ ମହାନ ସତ୍ୟମାନ ଆବିଷ୍କାର କରି ରଖିଦେଇଗଲ ତୁମେ ତୁମର ଉତ୍ତର କାଳର ବଂଶଧରଙ୍କ ପାଇଁ, ସେ ସତ୍ୟ କାହିଁ ଧୂଳିରେ ହଜିଯାଇଛି। ଖାଲି ହିଂସା, ବାଦ, ସ୍ୱାର୍ଥ, ମୁଁକାର।  ଆମର ଏ ସାନ ସଳିତାକୁ ଆଶୀର୍ବାଦ କର, ବଳ ଦିଅ, ସାହସ ଦିଅ, ଶାନ୍ତି ଆସୁ ମଣିଷର ଭିତରେ ବାହାରେ ସମାଜରେ ସଂସାରରେ - ସବୁଠି ପୂରି ରହୁ ଶାନ୍ତି, ସମନ୍ୱୟ, ଆନନ୍ଦ ଆଉ ଭାଇପଣ।"

ଡେଙ୍ଗା ଦଧି ଗଉଡ଼ କହିଲା, "ହଁ ସେଇଆ, ଦୟାକର ଠାକୁରେ, ଭାଇପଣ ବଢୁ ଥାଉ, ଗୋଠ ବଢୁ ଥାଉ, ଜଣକ ପାଇଁ ଆଉ ଜଣକର ହୃଦ କାନ୍ଦୁଥାଉ, ସବୁ ତମରି, ସବୁ ସବୁରି, ତୋର ମୋର ଭେଦ ପଦଟାମାନ ମଣିଷ ଖାଲି ତୁଣ୍ଡରେ କଣ, ମୁଣ୍ଡରେ ବୋଲି ନ ପୂରାନ୍ତୁ।"

ରବି କହିଲା, "ଲୋକେ ଖୋଜୁଛନ୍ତି ବିନା ପରିଶ୍ରମରେ ସବୁ କାମ ହେଇଯାଉ। ଭଗବାନ ସବୁ ଆମ ପାଟିରେ ପୂରାଇ ଦିଅନ୍ତୁ; କିନ୍ତୁ ଆମେ କର୍ମଯୋଗରେ ବିଶ୍ୱାସ କରୁ।  ମଣିଷ ପରିଶ୍ରମ କରୁ ଉତ୍ପାଦନ କରିବା ଲାଗି, ପରର ଦୁଃଖ ମୋଚନ କରିବା ଲାଗି, ସଂସାରରେ ସ୍ନେହ ପ୍ରୀତି ବଢ଼ାଇବା ଲାଗି। ସେ ଆପଣା ପେଟ ପାଇଁ ଧନ୍ଦି ନ ହେଉ, ସେ ଧନ୍ଦି ହେଉ ପରିବାର ପାଇଁ, ସେ ପରିବାର ହେଉ ବିଶାଳ ସମାଜ। ସେଇ ଆଦର୍ଶକୁ ସତ କରି ଗଢ଼ିବାକୁ ଆମର ଦରକାର ହିମାଳୟ ପରି ଅଟଳ ବିଶ୍ୱାସ ଆଉ ଆଶା, ହାତରେ ବଜ୍ରର ବଳ.."

ଛବି ଚାହିଁ ଦେଖୁଥାଏ, ନିଆଁ ଜଳୁଛି। ଜାଳି ସଫା କରି ଦେଉଛି ଯାହା କିଛି ଥିଲା ସଂସ୍କାର, ସଙ୍କୋଚ ଆଉ ଶଙ୍କା। ନିଆଁରେ ଝଳି ଉଠି ଅନୁଭବ କରୁଛି ପବିତ୍ରତା, ଆନନ୍ଦ; ଅନୁଭବ କରୁଛି, ସେ ଏକ ଅଖଣ୍ଡ ତେଜର ସ୍ରୋତ, ଥିଲା, ଅଛି, ମାଡ଼ି ଚାଲିଥିବ ଯୁଗେ ଯୁଗେ। ଅନ୍ତର ଭିତରୁ ଆନନ୍ଦ ଛଳଛଳେଇ ଉଠୁଛି, ଝଳି ଉଠୁଛି ଆଶା, ବିଶ୍ୱାସ, ଆନନ୍ଦ ଆଉ ସ୍ନେହ। ଆଗେ ଯେଉଁ ବାଟ ଦିଶୁଥିଲା ସଞ୍ଜ ଅନ୍ଧାରରେ ଅରମା ଭିତରେ ମଡ଼ା ବାଟ ପରି ଅସ୍ପଷ୍ଟ ହୋଇ, ଦିଶି ଯାଉଛି ସେ ପରିଷ୍କାର, ଓସାର, ଫରଚା, ଲମ୍ବିଯାଇଛି ଦୂରକୁ ବୋଲି। ସେ ବାଟର ଭାଷା ହୃଦୟରେ ବାଜୁଛି, ମତାଉଛି, ପ୍ରଲୁବ୍ଧ କରୁଛି।

ସେହି ଭାଷା ହିଁ ରବି କହୁଛି। ସେ ରବିର କଥା ନୁହେଁ, ତାହାରି ମନର କଥା, ତାହାରି ମରମ ଭାବର ଅଖଳା ସୂଅ।

ରବି କହୁଛି, "ସଂସାରୀ ଲୋକ ଆନନ୍ଦ ଖୋଜେ। ଆପଣା ହାତରେ ଆନନ୍ଦର ସୂଅ ମୁହଁ ଚୁଣ୍ଟି ଦିଏ। ଯେତେବେଳେ ଆପଣା ଆପଣା ହୋଇ ସେ ନିଜ ପାଇଁ ଟାଣ ଖୋଳ ଗଢ଼େ, ନିବୁଜ କରି ଗଢ଼େ, ସେ ପାଏ ଅନ୍ଧାର, ଆଲୁଅ ନୁହେଁ, ତମସା। ସେ ପାଏ ଦୁଃଖ, ଆଖିରେ ପଡ଼େ ବାଡ଼ ଆଉ ସୀମା, ଖଣ୍ଡିଆ ଆଉ ଖାଲ, ଝୁରୁ ଝୁରୁ ହାଇଁ ପାଇଁ ହେଉ ହେଉ ଦିନ ସରିଯାଏ। ହିଂସା ଆସେ, କ୍ରୋଧ ଉପୁଜେ, ଶିଉଳି ଆଉ ଅରମା ଚେର ପରି ଲୋଭ ଗୁରେଇ ହୋଇଯାଏ। ଆନନ୍ଦ ତ ଚାରିଆଡ଼େ ପୂରି ରହିଛି, ସେ ମଣିଷର ନିଜ ଅନୁଭୂତି। ଭିତର ଓ ବାହାରର ସମ୍ପର୍କରୁ ତାର ଉତ୍ପତ୍ତି। ଗ୍ରହଣ କରିବାର ଉପାୟ ହିଁ ସହାନୁଭୂତି, ସ୍ନେହ। ସେ ସହାନୁଭୂତି କେବଳ ମଣିଷ ପ୍ରତି ନୁହେଁ, ପ୍ରକୃତି, ସୃଷ୍ଟି, ସବୁରି ପ୍ରତି, ସବୁରି ସମ୍ପର୍କରେ। ତେଣୁ ନିର୍ଜନରେ ବଣରେ ପଶୁ ପଥର ଗଛ ଚଢ଼େଇଙ୍କ ମଝିରେ ରହିଲେ ବି କେତେବେଳେ କେଉଁ ମଣିଷ ଆନନ୍ଦ ପାଇପାରେ, ଅତି ଆଧୁନିକ ସହରରେ ରହି ବି କେତେବେଳେ କେଉଁ ମଣିଷ ଆପଣାକୁ ଦେଖେ, ସମସ୍ତିଙ୍କଠୁଁ ଅଲଗା ଏକୁଟିଆ,  ଦୁଃଖ ହିଁ ପାଏ। ଅଥଚ ବଣ ଅପେକ୍ଷା ଗହଳି ଆଉ ସାଙ୍ଗ ମେଳରେ ହିଁ ମଣିଷ ପକ୍ଷରେ ଆନନ୍ଦ ପାଇବା ବେଶୀ ସହଜ, ବେଶୀ ସୁବିଧା, ତାର ଏଡ଼େ ବଡ଼ ପରିବାର, ଯେତେ ଯାହା ଯେଉଁମାନଙ୍କୁ ଦେଖୁଛି ସମସ୍ତେ ତ ତାଆରି, ସମସ୍ତିଙ୍କ ସୁଖ ପାଇଁ ସେ ଚିନ୍ତା କରିବ, ପରିଶ୍ରମ କରିବ, ହେଉ ପଛେ ନିଜେ ସେ ରୁଗ୍ଣ, ଖଞ୍ଜ, ଅନ୍ଧ କି ବଧିର, ଧନର ବିଷରେ ବୁଡ଼ି ଥାଉ କି ଦାରିଦ୍ର୍ୟର ପ୍ରଦାହରେ ସମସ୍ତିଙ୍କର ସୁଖ ଆଉ ମଙ୍ଗଳରେ ଧ୍ୟାନ ଲଗାଇ ସେ ନିଜେ ଶାନ୍ତି  ଆନନ୍ଦ ପାଉଥିବ, ଖାଲି ତୁଣ୍ଡ କଥାରେ ନୁହେଁ, ସହାନୁଭୂତି ଦେଇ କେଇଟା ଦୀର୍ଘଶ୍ଵାସ କି କେଇଟୋପା ଲୁହ ଢାଳିଲେ ନୁହେଁ, ସତକୁ ସତ ଆପଣାର ଦେହକୁ ମନକୁ ଶ୍ରମକୁ ଚିନ୍ତାକୁ ସମସ୍ତିଙ୍କର ମଙ୍ଗଳ ସାଧିବାକୁ ଉଦ୍ୟମରେ ଲଗାଇପାରିଲେ ପରିଣାମସ୍ୱରୂପ କାହାର କିଛି ହୋଇପାରୁ ବା ନ ହୋଇପାରୁ ତା ନିଜର ଜୀବନ ହେବ ମଧୁମୟ, ଆନନ୍ଦମୟ, ଶାନ୍ତିମୟ..."

୧୪.୫.୧୯

No comments: