Monday, 20 May 2019

*ପରକୁ ବୁଦ୍ଧି ବାଣ୍ଟିବାକୁ ସବୁ ଆଗୁସାର*

ସେତେବେଳେ ନାନା ଆଲୋଚନା ଶେଷରେ ଧୋବେଇ ମିଶ୍ର ଏ ସଂସାରର ପରିସ୍ଥିତି ବିଷୟରେ ଉପସଂହାର କହୁଥିଲେ। ସେ କହିଲେ, "ଚଳନ୍ତି ସୂଅରୁ ନିଜକୁ ଅଲଗା ରଖି ଟିକିଏ ଦୂରେଇ ଦେଖିଲେ ତ ସ୍ପଷ୍ଟ ଜଣା ପଡ଼ିଯିବ ଯେ ସବୁଠି ହିଂସା ଭେଦ ଓ ସ୍ୱାର୍ଥପରତା ହିଁ ବଢ଼ିଚାଲିଛି, ଘରେ, ଗାଁରେ, ସର୍ବତ୍ର ସବୁ କ୍ଷେତ୍ରରେ ଏଇଆ ହିଁ ଦିଶୁଛି। ହିଂସା, ଅଶାନ୍ତି, କଳି, ନିଷ୍ଠୁରତାର ବାଦବୁଦିଆ ଲାଗିଛି। ଯେ ଯାହାକୁ ଟପି ପାରିଲା ସେହି ତା ବହାଦୂରୀ। ଏମିତି ଚଳଣିରେ କିଛି ଉଦ୍ଦେଶ୍ୟ ଅଛି ? ମଣିଷ ନିଜକୁ ଗଢ଼ି ପାରିଲା ନାହିଁ, ଆଖିବୁଜି ଲାଗିପାଗି ଜିନିଷ ଗଢୁଛି, ନାନା ରକମର ଜିନିଷ। ନିଜକୁ ଆୟତ୍ତ କରି ପାରିଲା ନାହିଁ, ବାହାରର ଯେତେ ପ୍ରକାର ବସ୍ତୁ ଶକ୍ତିକୁ ଆୟତ୍ତ କରୁଛି, ବିଜ୍ଞାନ ବଢ଼ାଉଛି। ଗୋଟାଏ ଉପଗ୍ରହର ଉପଯୋଗ କରିପାରିଲା ନାହିଁ, ଆଉ କେତେଟା ଉପଗ୍ରହକୁ ଯିବାକୁ ଗୋଡ଼ ଟେକିଛି।"

ଛବି - "ଓଃ ଓଃ ଏ ହିଂସା ଦ୍ଵେଷ ଶୁଣି ଶୁଣି କାନ ଥୋବରା ହେଇଗଲାଣି। ନାନା ମନ୍ତ୍ର ପରି ଏହା ବି ଗୋଟେ ମନ୍ତ୍ର ହୋଇଗଲାଣି। ବାପରେ ! ଏ ମନ୍ତ୍ରରୁ ମଣିଷକୁ ରକ୍ଷା କର ହେ ଭଗବାନ !"

ରବି କେବଳ ଉତ୍ସୁକ ହୋଇ ଉହୁଙ୍କି ପଡ଼ି ଏ ଯୁକ୍ତିକୁ ଚାହିଁ ରହିଲା। କହିଲା, "ନା, ଏହା ମନ୍ତ୍ର ନୁହେଁ ବରଂ ଜୀବନର ବାସ୍ତବ ଅନୁଭୂତି।"

ସିନ୍ଧୁ ଚୌଧୁରୀ କଥା ଗୋଳେଇ ଦେବାକୁ ବାହାରି ପଡ଼ି କହିଲେ, "ପାଗଳୀଟା, କ'ଣ ସେ ବୁଝିଲା, କ'ଣ ସେ କହିବ ? ପିଲା ଲୋକ। କ'ଣ ଭାବି ବିଳି ବିଳେଇ ଉଠିଲା। ଯା, ଶୋଇବୁ ଯା।"

ଛବି - "ଆପଣ ଯଦି ଧରି ନେବେ ସବୁଠି ସ୍ୱାର୍ଥପରତା, ସବୁଠି ମିଛ, ସବୁଠି ହିଂସା। ଯେ ଏପରି ବୁଝିବ ତା ଆଖିକି ସବୁ ଦିଶିବ ଅନ୍ଧାର, ସବୁଠି ସତେ କି ନିରାଶା ପୂରିଛି। ସେପରି ହୋଇଥିଲେ ଏ ସଂସାର ଆଉ ନଥାନ୍ତା। ମିଛ ଥିଲେ ବି ତା ପଛେ ପଛେ ସତ ଅଛି, ହିଂସା ଥିଲେ ବି ତା ପାଖେ ପାଖେ ସ୍ନେହ ଅଛି, ଉଦାରତା ଅଛି।"

ରବି - "କିନ୍ତୁ.."

ଛବି - "ହେଇ ଯେଉଁମାନେ ଯୁଗେ ଯୁଗେ ଆପଣା ଆପଣା ରୀତି ଅନୁସାରେ ସମାଜକୁ ଏପରି ଗଢ଼ିବା ଉଚିତ, ସେପରି ଗଢ଼ିବା ଉଚିତ ବୋଲି ମନ୍ତ୍ର ବୋଲୁଛନ୍ତି..."

ଧୋବେଇ ମିଶ୍ର - "ଓଃ ମନ୍ତ୍ର !"

ଛବି - "ହଁ ମନ୍ତ୍ର..
ମଣିଷ ଏମିତି ଚଳିବା ଉଚିତ, ସେମିତି ଚଳିବା ଉଚିତ। ଯେଉଁମାନେ ଏପରି କହୁଛନ୍ତି, ସେମାନେ ସେହିପରି ଦେଶ ଗଢ଼ିଛନ୍ତି ନା ଗାଁ ଗଢ଼ିଛନ୍ତି ? ପରକୁ ବୁଦ୍ଧି ବାଣ୍ଟିବାକୁ ସମସ୍ତେ ଆଗୁସାର।
ଯଦି ନିଜେ କରନ୍ତେ...
ତେବେ ରଡ଼ିବାକୁ ପଡ଼ନ୍ତା ନାହିଁ..

ଭଲ ହୋଇଥିଲେ ବଳେ ଅନ୍ୟମାନଙ୍କୁ ରୁଚିବ, ସେମାନେ ସେମିତି କରିବେ।"

ରବି - "ଆମେ ଚେଷ୍ଟା କରୁଛୁ।"

୨୦.୫.୧୯

No comments: