Monday, 13 May 2019

*ପୁରୁଣା ପୀଠରେ ଦୀପ ଜଳିବ ନୂଆ ଦୁନିଆର*

ରବି କହିଲା, "ହେଇ ଏଥର ବେଳ ବୁଡ଼ିବା ପାଖ ହେଲା। ଯେ ଯିବାର ସେ ଯାଇ ତମ ଡଙ୍ଗାରେ ବସ, ଚାଲିଯା। ଆମ ଡଙ୍ଗା ଖଣ୍ଡକ ରାତିଟା ଏଠି ଅଟକିବ, ମରାମତି ସରିନି। ମୁଁ ବି ଅଟକିବି। ଆମେ ଯିବୁ କାଲି ସକାଳୁ।"
ଧୋବେଇ ମିଶ୍ର କହିଲେ, "ଅଧେ ଯାଇ ଅଧେ ରହିବେ, ୟା କୋଉଠି ହେଲାଣି ଆଜ୍ଞା ?"
ବହୁତ ତୁଣ୍ଡରେ ଆପତ୍ତି ଶୁଭିଲା, "ନାହିଁ ନାହିଁ ନାହିଁ।"
ଧୋବେଇ ମିଶ୍ର ବୁଲିପଡ଼ି ସିନ୍ଧୁ ଚୌଧୁରୀଙ୍କୁ ଅନାଇଲେ, କହିଲେ, "ଖାଲି ହୋ ରେ ମାତି ରହିଯିବା କହିଲେ କଣ ଚଳିବ ? ଏମାନଙ୍କର ଅସୁବିଧା ହେବ ଯେ। ରାତିକ ରହିଯିବା ପାଇଁ ପ୍ରସ୍ତୁତ ହୋଇ ଆସି ନାହାନ୍ତି। ତେଣେ ଘରେ କାଳେ ଛାନିଆଁ ହେବେ, କଣ ହେଲା, କାହିଁକି ଆଇଲେ ନାହିଁ ବୋଲି ଧନ୍ଦି ହେଉଥିବେ। ଆମେ ରହି ଯାଉଛୁ। ଆପଣମାନେ ଯାଆନ୍ତୁ। ଡଙ୍ଗା ପୁଣି ସକାଳୁ ଲେଉଟି ଆସିଲେ ଆମେ ସବୁ ଯିବୁ।"

କେହି କିଛି ନ କହୁଣୁ ଚୌଧୁରୀ ଆପତ୍ତି କଲେ,  "ନା, ସମସ୍ତେ ରହିବେ, ଆମେ ବି ରହିଯିବୁ। କଣ ଗୋଟାଏ ରାତି ରହିଗଲେ କିଛି ଅଡୁଆ ହୋଇଯିବ ! ଭାଗେ ଯାଇ ଭାଗେ ରହିବେ କାହିଁକି - ଏ ବଢ଼ିରେ ରାତିଟାରେ ଡଙ୍ଗା ଯିବ କାହିଁକି - ପୁଣି ଆଉ ଥରେ ଆସିବ କାହିଁକି - ତା ଅପେକ୍ଷା ସମସ୍ତେ ଏକାଠି ମେଳା ମଉଛବ କଲା ପରି ରାତିକ କଟାଇ କାଲି ପାହାନ୍ତିଆରୁ ପୁଣି ଏକାଠି ଦିଟା ଡଙ୍ଗାରେ ବାହାରି ପଡ଼ିଲେ ଭଲ ହେବ। ସେଇଆ କରନ୍ତୁ, କାହାର କିଛି ଅଡୁଆ ହେବ ନାହିଁ।"

ରବି ଓ ଧୋବେଇ ମିଶ୍ର ଆପତ୍ତି କଲେ, ଅନ୍ୟ ସମସ୍ତେ ସିନ୍ଧୁ ଚୌଧୁରୀଙ୍କ ବିଚାରକୁ ସମର୍ଥନ କଲେ। ସେହି କଥା ହିଁ ନିଷ୍ପତ୍ତି ହେଲା, ଯେ ସମସ୍ତେ ରହିବେ।

ଡଙ୍ଗା ପାଖେ ଦଳେ ରହିଲେ, ବାକି ସବୁ ଗଲେ ଟାପୁ ଦେଖିବାକୁ। ଆଗରୁ ପହଞ୍ଚିଥିବା ରୋହି ଓ ଦୁଲ ଭାବୁଥିଲେ, ସତେ ଯେମିତି ଏ ଟାପୁଟା ତାଙ୍କ ରାଜ୍ୟ ଓ ଅନ୍ୟ ସବୁ ଯେଉଁମାନେ ପଛରେ ଆସିଲେ, ସେମାନେ ସମସ୍ତେ ତାଙ୍କର କୁଣିଆଁ।

ବଜ୍ରେଶ୍ୱରଙ୍କ ଇଟା ଦେଉଳ ଆଗରେ ଯେଉଁଠି କେତେ କାଳର ନାନା ମୂର୍ତ୍ତି ସଜା ହେଲାପରି ଥୁଆ ହୋଇଛି, ସେଠି ଗୋଟିଗୋଟିକରି ମୂର୍ତ୍ତି ଦେଖିବାରେ ଲାଗିଗଲେ ଦୁଇଟା ଡଙ୍ଗାର ମଣିଷ। ଆଶ୍ଚର୍ଯ୍ୟ ହେବାର ପ୍ରଶଂସା କରିବାର ନନା ଚିତ୍କାର ଶୁଭିଲା।

ହର ପାର୍ବତୀଙ୍କ ମୂର୍ତ୍ତିକୁ ଅନାଇଁ ଧାଡ଼ି ହୋଇ ଦଳେ ଠିଆ ହୋଇ ଥାଆନ୍ତି। ଦୁଇ ମୁଣ୍ଡରୁ ଛବି ଆଉ ରବି ସେହି ଅଦ୍ଭୁତ ମୂର୍ତ୍ତିକୁ କଣେଇଁ କଣେଇଁ ଚାହୁଁ ଚାହୁଁ ସେମାନଙ୍କ ଚାହାଣି ଏକାଠି ହେଲା। ଛବି ଦୀର୍ଘଶ୍ଵାସ ପକେଇ ଥରି ଉଠି ମୁହଁକୁ ତଳକୁ କଲା। ରବିର ଦେହ ଭିତର ଶିରିଶିରେଇ ଉଠିଲା।

ବଇ ମଳିକ କହିଲା, "ଏ ଦେବତା ଘଟ ସୂତ୍ର। କେଉଁ କାଳୁ ଏମାନେ ଏମିତି ପଡ଼ିଛନ୍ତି, ଆଜି ଆମେ ଏଠି ଦୀପ ଜାଳିବା।" ରବି କହିଲା, "ପୁରୁଣା ପୀଠରେ ଦୀପ ଜଳିବ ନୂଆ ଦୁନିଆର। ସେଇଆ ତ ଆମର ଦରକାର।"

୧୩.୫.୧୯

No comments: