Tuesday, 21 May 2019

*କି ବିଚିତ୍ର ଏ ଦୁନିଆଁ !*

ଧୋବେଇ ମିଶ୍ର ହର୍ଷ ପୁଲକରେ କହିଲେ, "ବାଃ ବାଃ କି ଅଦ୍ଭୁତ ! କି ଆଶ୍ଚର୍ଯ୍ୟ ! ଆପଣ ଯାହା କହୁଛନ୍ତି, ଆମେ ଅବିକଳ ସେଇଆ ଭାବିଛୁ; କିନ୍ତୁ କେତେ କେତେବେଳେ ଏଡ଼େ ସ୍ପଷ୍ଟ କରି ହୁଏତ ଧାରଣା କରିପାରି ନାହୁଁ। ଆପଣଙ୍କର ଏଡ଼େ ଚମତ୍କାର ପ୍ରତିଭାର ସାହାଯ୍ୟ ଆମ ସଙ୍ଗଠନକୁ ଦିଅନ୍ତୁ। ଆସନ୍ତୁ କେବେ ଫୁଲଶରା।"

ରବି - "ହଁ, ସତରେ ଆସନ୍ତୁ।"

ଛବି ବିଚିତ୍ର ଭାବେ ହସି ଉଠି କହିଲା, "ଆପଣମାନେ କରିଯାଉଛନ୍ତି, ମୁଁ ଖାଲି ଦେଖୁଛି। କେବେ ଯଦି ମୋ ଦେଇ କିଛି କାମ କରିହେବ ଫୁଲଶରା ଯିବା ନାଖି ଯୋଗ୍ୟ ହେବି, ତେବେ ଯିବି। କାମ ତ ସବୁଠି ଅଛି।"

ସିନ୍ଧୁ ଚୌଧୁରୀ ସ୍ବପ୍ନ ଓ ବାସ୍ତବତା ଭିତରେ ଦୋହଲୁ ଥିଲେ। ତାଙ୍କୁ ଲାଗୁଥିଲା - ଏ ଭାଷା ତ ମୋରି ! ବୟସର କେଉଁ ଅବସ୍ଥାର ? କେଉଁ ଗହୀରରେ ଥିଲା ?
ଡାକିଲେ, "ଝିଅ ! ଝିଅ !"

ଛବି - "କ'ଣ ବାପା ?"

ସିନ୍ଧୁ ଚୌଧୁରୀ - "କିଛି ମନେ ପଡୁ ନାହିଁ। ଯା, ଶୋଇବୁ ଯା।"

ରବି ଠିଆ ହୋଇ ପଡ଼ିଲା। ହସିଲା। ଜହ୍ନ ଆଲୁଅ ତା ହସ ହସ ମୁହଁରେ ପଡ଼ିଥାଏ। ଛବି ନିରେଖି ଅନାଇଁଲା। ସେହି ମୁହଁର ଅନ୍ଧାରି ଅନ୍ଧାରି ଛବି ଯେପରିକି ତା ମନ ଭିତରେ ଫଟୋ ରଖିଦେଲା। ସେ ଆଖି ବୁଜି ଦେଲା। ତା କାନ୍ଧରେ ହାତ ଦେଇ ଦୁଲ କହିଲା, "ଆସ ଶୋଇବା ପରା !" ଛବି ଉଠି ପଡ଼ିଲା।

କେତେ ଡେରିଯାକେ ତାକୁ ନିଦ ହୋଇ ନ ଥିଲା। ପଦାଟାରେ ସେହି ଚାଉଁ ଚାଉଁଆ କିମିଆଁ ଲଗା ରାତି, ଅଚିହ୍ନା ଭୁଇଁରେ ଛାଉଁଣି ଦୋଓଟି, ଛଡ଼ା ଛଡ଼ା ହେଲେ ବି ମୁହାଁ ମୁଁହିଁ।

ଛବିକୁ ନିଦ ନାହିଁ। ସେ ଭାବୁଛି, ସେ ଖାଲି ବୁଝେ ହୃଦୟର ବିଶ୍ୱାସ, ଆଉ ହାତର କାମ, ବାଟେ ବାଟେ ଆପଣା ହାତ ପାଆନ୍ତି ସେ ଆନନ୍ଦ ଦେଇ ଦେଇ ଯିବ, ମୁଁ କି ମୋର ବୋଲି ଆଣ୍ଟ ଗଢ଼ିବା ତାଠିଁ ନାହିଁ, ଖାଲି ଆପଣାକୁ କର୍ମରେ ବିନିଯୋଗ।

ବାଟର ଅଳିଆ ସଫା କଲେ ସେ ବି କାମ, କାହାର ଲୁହ ସିଙ୍ଘାଣି ପୋଛି ଦେଲେ ସେ ବି। କାମର ମାପ ନାହିଁ, ଆପଣା ଉଶ୍ୱାସର ମାପ ଅଛି, ସେହି ତା'ର ଆନନ୍ଦ।

ଛବିର ଆଖି ଆଗରେ ଜଳଜଳ ହୋଇ ଲମ୍ବି ରହିଲା ଅଛିଣ୍ଡା ନଈ ବଢ଼ି ପାଣି, ସେହି ଯାହା ସେ ଦେଖି ଦେଖି ଆସିଛି। କେତେ ଘର ଭସେଇ ନେଇଛି। ଯୁଗ ଯୁଗ ଲାଗିପଡ଼ି ରଖିଥିବା କେତେ ସାଇତା ଜିନିଷ ଯାଇଛି ଏ ବଢ଼ି ମୁହଁରେ। ଏଇ ଦୁଲ ତ ମରୁ ମରୁ ବଞ୍ଚିଛି। ସତେ ଯେମିତି ତା'ର ପୁନର୍ଜନ୍ମ ହୋଇଛି। ନିଘୋଡ଼ ନିଦରେ ସେ ଶୋଇଛି। କି  ବିଚିତ୍ର ଏ ଦୁନିଆଁ ! ଏ ମଣିଷ ମଲେ ଚୁଟ୍ କିନା ମରିଯାଏ, ନ ମଲେ ପ୍ରଳୟ ଭିତରୁ ବି ଉଧୁରି ଉଠିଆସେ। ସାରୁ ପତ୍ରରୁ ପାଣି ନିଗିଡ଼ି ପଡ଼ିଲା ପରି ସବୁ ଦୁଃଖ ଦୁର୍ଦ୍ଦଶା ତା ଦେହରୁ ନିଗିଡ଼ି ପଡ଼େ, ସତେ କି ତା କେବେ ନ ଥିଲା।

ଘମାଘୋଟ ବଢ଼ିର ଦୃଶ୍ୟ ସେ ଦେଖୁଥିଲା। ସହସ୍ରଭୁଜା ହୋଇ ଲୋଟି ପଡ଼ିଥିଲା କାମରେ। କାହାର ପିଲାଙ୍କୁ ସମ୍ଭାଳିଛି, କାହାକୁ ହାତ ଧରି କାଢ଼ି ନେଇଛି, କାହାକୁ ରାନ୍ଧିକରି ଖାଇବାକୁ ବାଢ଼ିଛି। ଓହୋ ! ମଣିଷ ! କେତେଯୁଗ ଏ ଦୁଃଖ ତା କପାଳରେ ! ଆକାଶରେ ଚଳନ୍ତି ମେଘ ବାମ୍ଫରେ ଜହ୍ନ ଆଲୁଅ ପଡ଼ିଥିଲା। ଖାଲି ଲୁହ ଛଳ ଛଳ,  ଖାଲି ଲୁହ, ସେ ଭାବୁ ଭାବୁ କେତେବେଳେ ଶୋଇପଡ଼ିଥିଲା।

୨୧.୫.୧୯

No comments: