ଓଦା ଓଦା ହୋଇ ମାଳତୀ ଫୁଲର ବାସ୍ନା ବଡ଼ ବଡ଼ ନିଃଶ୍ଵାସରେ ନିଜ ଭିତରକୁ ଓଟାରି ନେଲା ଛବି। ପିଠିଆଡ଼େ ଭୂଇଁ ଉପରେ ଦୁଇ ହାତ ମାଡ଼ି ଡେରି ହୋଇ ବସି ଆକାଶକୁ ଚାହିଁ ରହିଲା। ତା ପରେ ତା କାନରେ ବାଜିଲା ଦୂରରେ କେଉଁଠି ଚଢ଼େଇ ଯୋଡ଼ିଏ କେଡ଼େ ମିଠା ସ୍ୱରରେ ଡକାଡକି ହେଉଛନ୍ତି। ତାକୁ ଲାଗିଲା ସେ ଆପଣା ଘରଠୁ କେତେ ଦୂରକୁ ଚାଲିଯାଇଛି।
ଦୂରରେ ବି ସେ ଦେଖୁଛି ସେଇ ଘର, ସେମିତି ସେହି ଦୁଃଖର ସୁଖର ମଣିଷ, ସେମିତି ମା'ମାନେ। ସବୁଠି ସେମିତି ସ୍ନେହ ରଙ୍କୁଣୀ, ଶୋଷୀ ମଣିଷଙ୍କ ମୁହଁ, ସବୁରି ଘରେ ଝିଅ ସେ ନିଜେ।
କେଡ଼େ ବିଶାଳ ଏ ସୃଷ୍ଟି, ଏ ଆକାଶ, ଏହି ବ୍ୟାପ୍ତି, ଯାହାର ଅନ୍ତ ନାହିଁ।
ଏଇ ଟିକି ବଉଦ ଚାଖଣ୍ଡକ ହଠାତ୍ କୁଆଡୁ ଉଡ଼ି ଆସି ପହଞ୍ଚିଛି ଠିକ୍ ତାର ମୁଣ୍ଡ ଉପରେ, ଚାହୁଁ ଚାହୁଁ ବଢ଼ି ଉଠିଲାଣି, ପୂରି ଉଠିଲାଣି। ସେ କି ଶାଢ଼ୀ ପିନ୍ଧିଛି ! କେତେ ବର୍ଣ୍ଣରେ ସେ ଚିତ୍ର ହୋଇଛି ! ଜରି ଲାଗି ହୋଇ ବାଙ୍କ ବାଙ୍କ ହୋଇ ଧଡ଼ି ଦୋହଲୁଛି। ଏତିକି କ୍ଷଣର ପୂର୍ଣ୍ଣ ଯୌବନରେ ତା ଦେହ ସେ ପାତାଳ ଆବରଣ ଉହାଡ଼ରୁ ଠେଲି ଠେଲି ହୋଇ ଉଠୁଛି, ସେଥିରୁ ତେଜ ଚହଟୁଛି। ଚନ୍ଦ୍ର ସଙ୍ଗରେ ସେ ରୂପରେ ପ୍ରାଣରେ ବାଦବୁଦିଆ ଲଗାଉଛି, କାହୁଁ ସରିହେବ ଚନ୍ଦ୍ର ତା ସଙ୍ଗରେ, ଚନ୍ଦ୍ର ତ ଖାଲି ଏକା ବର୍ଣ୍ଣର ତେଜ ଅରାଏ, ଆଉ ମଝିରେ ସେ ଅବୋଧ ବିସ୍ମୟ, ସେହି କଳା ଚିହ୍ନ ଅରାକ। ଏଇ ମୁହୂର୍ତ୍ତରେ ରଙ୍ଗ ରଙ୍ଗର ଝୁଲିଲା ମଥା ମଣି ପରି ଏହି କଳା ବଉଦ ହିଁ ଶ୍ରେଷ୍ଠ, ଆକାଶର ରାଣୀ। ତା ପରେ ହେଇ ଆଉ ଖଣ୍ଡେ ଭାସି ଆସୁଛି, ଆଗେ ତାର ନାଁ ଗାଁ ନ ଥିଲା, ବଢ଼ି ବଢ଼ି ଉଠୁଛି, ଆଗ ଖଣ୍ଡିକଠୁଁ ବଳି ବଳି। ଆଗ ଖଣ୍ଡିକର ରୂପ ବଦଳିଲାଣି, ପ୍ରୋଢ଼ା ନା-ବୃଦ୍ଧା, ଦେହ ଓହଳି ଓହଳି ପଡୁଛି, ବିଶିଷ୍ଟତା ନାହିଁ, ହେଇ ସେ ମିଶିଗଲା କୁଆଡ଼େ, ବିସ୍ମୃତିର କଳା ଅନ୍ଧାର ପରି ହେଇ ସେକରେ ଯେଉଁ ଥମ୍ବିଲା ଦରିଆ ଲମ୍ବିରହିଛି, କଳା ମେଘର ଦରିଆ, ସେଇଠି କେଉଁଠି।
ତାପରେ ସେ ଆକାଶୀ ପରୀଟି ବର୍ଷା ହୋଇ ଗଳି ପଡ଼ିବ, ଝରି ପଡ଼ିବ, ଏକା ସେ ନୁହେଁ, ସେମିତି କେତେ ବଉଦ, ସେହି ବର୍ଷା ହିଁ ତ ସାର। ନାଁ ପାଇବାର ଲୋଭ ନାହିଁ, ପରିଚୟ ବି ଜଣା ପଡ଼ିବ ନାହିଁ। ଖାଲି ଯେମିତି କି ଏକ ଉଦ୍ଦେଶ୍ୟରେ ସମସ୍ତେ ସେବା ଓ କରୁଣା ଅଜାଡ଼ି ଦେଉଥିବେ। ସେହିପରି ଦାନ ଦେବା ହିଁ ତ ଜୀବନ।
କୁଣ୍ଠା ନାହିଁ, କ୍ଷୋଭ ନାହିଁ, କ୍ଳାନ୍ତି ନାହିଁ, ଅଟକିବା ନାହିଁ, ଖାଲି ମନ ଆନନ୍ଦରେ, ବିପୁଳ ଆଗ୍ରହରେ ଆପଣାର ସବୁ ବଳ, ସବୁ ସମ୍ବଳ, ସବୁ ସେବା, ସବୁ ସୁରଭି, ସବୁ କଲ୍ୟାଣକର ଗୁଣ ଏ ସଂସାରର ମଙ୍ଗଳ ଲାଗି ଅଜାଡ଼ି ଦେଇ ନିଜେ ନିଶ୍ଚିହ୍ନ ହୋଇଯା -
ସେହି ତ ଜୀବନ।
ତାର ପ୍ରତ୍ୟେକ କଣିକା ବିଛୁରି ପଡ଼ିବ କାହିଁ ନା କାହିଁ, କେତେ ଘାସର ରସରେ, କେତେ ଫୁଲର ପାଖୁଡ଼ାରେ, କେତେ ଜୀବନ୍ତ ପ୍ରାଣୀର ଶରୀରରେ, କେତେ ନଈ ନାଳ କି ସମୁଦ୍ରରେ ମିଶି ରହିଥିବ ସେହି ଆକାଶୀ ପରୀର କଣିକା, କେତେ କାହାର ଗଢ଼ା ହେବାରେ ବଢ଼ି ଉଠିବାରେ ସାହାଯ୍ୟ କରୁଥିବ, ଅଥଚ କେହି ତାକୁ ଚିହ୍ନିବେ ନାହିଁ କି ଜାଣିବେ ନାହିଁ। ସେହି ତା ସାର୍ଥକତା।
ମହା ଉଲ୍ଲାସରେ କୂଳର ପଥର ମୁଣ୍ଡିଆ ଉପରୁ ନଈ ଗଣ୍ଡକୁ ଡେଇଁ ପଡ଼ିଲା ପରି ସେ ତା ମନର ଏଇ ଭାବ ରୂପରେ ଥାଇ ଛଳାଂକିନା କଥାର ଝରଣାକୁ ଡେଇଁ ପଡ଼ିଥିଲା।
୧୯.୫.୧୯

No comments:
Post a Comment