ବଇ ମଳିକ କହିଲା, "ଆପଣ ବୋଧା, ଆପଣ ଗୁରୁଜନ। ଠାକୁର ହୋଇ ଖଟୁଳିରେ ଖାଲି ବସିଥିଲେ ତ ଆମର କେଡ଼େ ସାହସ ବଢ଼ିଯିବ। ଆମ ବିଚାର, ଆମ ବାଟ ଆପଣଙ୍କୁ ଯଦି ଭଲ ଲାଗିବ ତ ଆପଣ ନିଅନ୍ତୁ ଏ ଭାର, ଘରର ମୁରବି ହେବେ ଆମେ ନିଶ୍ଚିନ୍ତ ହେବୁ।"
"ବାଃ ବାଃ ବଇ" "ବାଃ ବାଃ ବଇ ଭାଇ" "ସେଇଆ ତ ଆମେ ଖୋଜୁଛୁ।" "ଅସଲ କଥା କହିଦେଲା ବଇ !" - ଏକା ସଙ୍ଗରେ ସମସ୍ତିଙ୍କ ତୁଣ୍ଡରୁ ସମର୍ଥନ ଶୁଭିଲା। ସିନ୍ଧୁ ଚୌଧୁରୀ ଆବାକାବା ହୋଇ ଚାରି ଆଡ଼କୁ ଅନାଇଁଲେ। ନିଃସହାୟ ହୋଇ କହିଲେ, "ମୁଁ - ମୁଁ-"।
"ହଁ ଆପଣ," ଧୋବେଇ ମିଶ୍ର କହିଲେ, "ପୁରୁଣା ନୂଆକୁ ଆଦରି ନେବ, ଦୁହେଁ ମିଶି ହେବେ ପରମ୍ପରା, ସଂସ୍କୃତିର ରୀତି ହିଁ ତ ଏହି। ବିବର୍ତ୍ତନରେ ଧ୍ୱଂସ ନାହିଁ, ଅଛି ପରିବର୍ତ୍ତନ।"
ସିନ୍ଧୁ ଚୌଧୁରୀଙ୍କର ସେହି ବ୍ୟକ୍ତିତ୍ୱ ଭିତରେ କଣ କେଉଁଠି ଥିଲା ଅତି ଗୋପନରେ, ଲୋକେ ଯାହାକୁ ସିନ୍ଧୁ ଚୌଧୁରୀ ବୋଲି ଜାଣିଥିଲେ, ଚିହ୍ନି ଥିଲେ, ତାହାରି ଉହାଡ଼ରେ ଛପି ରହିଥିଲା କେଉଁଠି ସେ, ତାର ଆପଣାର ସ୍ୱତନ୍ତ୍ର ହୋଇ ରହିଥିଲା ପରିସର, ସେ ପର ଆଖିକି ଅଲକ୍ଷ୍ୟ। ସେହି ଯେପରିକି ସେଠି ଆତ୍ମପ୍ରକାଶ କରିଥିଲା, ତା ପରେ ଚେଷ୍ଟା କରୁଥିଲା ପୁଣି ଲୁଚି ଯିବାକୁ।
ଜମ୍ବୁ ବେହେରା ତାର ଅଖଳା ଭାଷାରେ କହି ପକାଇଲା, "ଆଉ ନିଜ ସଙ୍ଗେ ଛକାପଂଝା ଦରକାର ନାହିଁ ସାଆନ୍ତେ, କେଇଟା ଦିନକୁ ଏ ମଣିଷ ଜୀବନ, ଡର କାହାକୁ, ଭୟ କାହାକୁ ? ମନ ଡାକୁଛି ଏ ବାଟ ଭଲ - ହେଲା ଚାଲୁ ଏ ବାଟେ ନାହା। ଏ ଥର ତମ ନାହା ତମ ମତରେ ଚାଲୁ। ମୁଁ ତ ସେଇଆ ବୁଝି ଏ ବାଟେ ଆସିଲି। ନ ହେଲେ ଏ ରବି ବହୁ ପଣ୍ଡିତ ପାଠୁଆ, ଏ ଧୋବେଇ ନନା ବି ମହା ପଣ୍ଡିତ, ମହା ଶାସ୍ତ୍ର ଜାଣିବା ଲୋକ, କିନ୍ତୁ ମୁଁ ତାଙ୍କ ଭାଷା ବୁଝେ ନାହିଁ।
ହସି ଉଠି ସିନ୍ଧୁ ଚୌଧୁରୀ ୟା ମୁହଁରୁ ତା ମୁହଁକୁ ଚାହିଁଲେ, ଆପଣା କାନକୁ ଆପଣା ସ୍ୱର ନୂଆ ପାଟି ପରି ଶୁଭିଲା, କହିଥିଲେ, "ଆରେ ଏଗୁଡ଼ା ୟେ ତୁମେ କଣ କହୁଚ ? କଣ ବା ମୁଁ, ମୋ ଦେଇ କଣ ଶାଗ ଶିଝିବ ?"
ଧୋବେଇ ମିଶ୍ର ହସି ଦେଇ କହିଲେ, "ଆପଣ ପ୍ରାଜ୍ଞ -"
ଉତ୍ସାହରେ ମାତି ଉଠିଲା ପରି ସିନ୍ଧୁ ଚୌଧୁରୀ କହିଲେ, "ନା ନା, ସେମିତି ହେଲେ ମୁଁ ପ୍ରାଜ୍ଞ ନୁହେଁ, ତମରି ପରି ଜଣେ ମୁଁ, ମୋର ହାତ ଗୋଡ଼ ଥକି ନାଇଁ, ଦୃଷ୍ଟିରେ ପରଳ ପଡ଼ି ନାହିଁ, ଏବେ ବି ମୁଁ ଖୋଜୁଛି ସୁଖ ଆନନ୍ଦ। ଏ ସଂସାରରୁ ଲୋଭ କଟି ନାଇଁ। ଠାକୁର ହୋଇ ଖଟୁଳିରେ ବସିଲେ ତ ମଣିଷ ମରିଗଲା ଆଉ ରହିଲା କଣ ? ମୁଁ ମରି ନାଇଁ, ମୁଁ ବି ତମରି ସାଙ୍ଗର ହୋଇ ଚାଲିବି ପଡ଼ିବି ଉଠିବି ପଛେ, ଯେଉଁ ବାଟେ ଏ ପୃଥ୍ଵୀକୁ ସୁଖ ଆନନ୍ଦ, ସେଇ ବାଟ ମୋର, ମୁଁ କିଛି କରେ ନ କରେ। ତୁମକୁ ଆଶୀର୍ବାଦ କରୁଥିବି, କହିବି ଝୁଣ୍ଟୁ ଥାଅ ପଡୁଥାଅ ପଛେ, ଥକି ଯାଅ ନାହିଁ, ଫେର୍ ଉଠୁଥାଅ, ଲାଗିଥାଅ।"
୧୬.୫.୧୯

No comments:
Post a Comment