Thursday, 9 May 2019

*କେଉଁ ରାଇଜ ଏ, ଜଣା ନାହିଁ*

ଫୁଲଶରାରୁ ଆସିଥିବା ଅଯାଚିତ ସାହାଯ୍ୟର ପ୍ରଭାବ ପାଟେଳି ଗାଁ ଲୋକଙ୍କ ମନ ଉପରେ ପଡ଼ିଥାଏ। ସେମାନଙ୍କ ମନ ଉଦାର ହୋଇ ଫୁଲି ଉଠୁଥାଏ।

ପ୍ରାୟ ଦୁଇ ଘଣ୍ଟା ପରେ, ସେତେବେଳକୁ କଅଁଳ ଗାଧୁଆ ବେଳ ହୋଇଥାଏ। ନଈରେ ପୁଣି ଗୋଟିଏ ଡଙ୍ଗା ଦିଶିଲା। ପୁଣି ଖବର ଖେଳିଗଲା - ଡଙ୍ଗା ଆସୁଛି ! ଡଙ୍ଗା ଆସୁଛି ! କୂଳରେ ଲୋକ ବେଢ଼ିଗଲେ।

ଡଙ୍ଗାରେ ଆସୁଥିଲେ ବଇ ମଳିକ, ରବି, ଜମ୍ବୁ ବେହେରା।

ଜମ୍ବୁ ବେହେରା କହିଲା, "ଏଇ ହେଇଗଲା ପାଟେଳି ଗାଁ, ଓଃ କେତେବଡ଼ ଘାଇ କରିଦେଇଛି !"

ରବି ସେହି ଆଡ଼କୁ ଚାହିଁ ରହିଥାଏ। ସେ ଭାବୁଥାଏ ଏଇ ତ ସେଇ ପାଟେଳି ଗାଁ। ଏଇଠି ତ ଥାଏ ଛବି।

ସେଦିନ ବଢ଼ିରୁ ରକ୍ଷା ପାଇବା ପାଇଁ ଗାଁ ସାରା ଲୋକ ବନ୍ଧ ଉପରକୁ ଚାଲିଗଲେ, କିନ୍ତୁ ଲୋଭଗ୍ରସ୍ତ ରୋହୀନାଥ ଘର ଛାଡ଼ିଲା ନାହିଁ। ସେ ଓ ତା ସ୍ତ୍ରୀ ଦୁଲ ଘରେ ରହିଲେ। ରାତିରେ ପାଣି ବଢ଼ିବା ବେଳେ ସେମାନେ ଚାଳ ଉପରେ ବସିଥିଲେ। ଆପଣା ଘରର ଭଙ୍ଗା ଚାଳକୁ ଯାବୁଡ଼ି ଧରି ବସିଥିବା ବେଳେ  ଅନ୍ଧାରେ ଅନ୍ଧାରେ ନଈ ବଢ଼ିରେ ଭାସି ଚାଲିଗଲେ। ସେତେବେଳେ ଛାନିଆରେ ତାଟକା ହୋଇଯାଇ ସେମାନଙ୍କର ଆଉ ଭଲ ମନ୍ଦ ବୁଝିବା କି ଅନୁଭବ କରିବାର ଶକ୍ତି ନ ଥିଲା। ଅନ୍ଧାର କି ବଢ଼ି କି ଆପଣାର ଦୁର୍ଦେଵ, କଣ ଗୋଟାଏ ତାଙ୍କୁ ଟାଣି ଓଟାରି ନେଇଯାଉଛି, ହୃଦୟ ଧ୍ରୁବ ନିଶ୍ଚିତ ବୋଲି ଘେନି ନେଇ ସାରିଛି ଯେ ଏଇ ଶେଷ, ଇତି ଶ୍ରୀ। ଆଖି ଖୋଲା ଥିଲେ ବି କିଛି ଦିଶୁ ନାହିଁ, ଯାହା ଦିଶୁଛି ଭିତରକୁ ତାହା ଭେଦୁ ନାହିଁ। ଭଙ୍ଗା ଚାଳଟା ଉଠୁଛି ବୁଡୁଛି, କେତେଠି ଧକ୍କା ଲାଗୁଛି। ପୁଣି  ହୁଗୁଳିଯାଇ ଛୁଟିଯାଉଛି ତୀର ବେଗରେ, ସେତେବେଳେ କିଛି ନ ଭାବୁଣୁ ସେହି ଦୁଇଟା ମଣିଷଙ୍କଠି ଜୀବନ ଆପଣାକୁ ପ୍ରକଟୋଉଛି କେବଳ ଗୋଟିଏ ଚେତନାରେ - ପ୍ରାଣପଣେ ଏଇ ଚାଳଟାକୁ ଯାବୁଡ଼ି ଧରିବାକୁ ପଡ଼ିବ ମାଙ୍କଡ଼ ମୁଠିଆ କରି, ଜୀବନର ସଜ୍ଞା ସେତିକି।

କେତେବେଳେ ବର୍ଷା ତୋଫାନ ପିଟୁଥାଏ, ପାଣି କୁଦା ମାରୁଥାଏ ଓ ତା ସଙ୍ଗେ ସଙ୍ଗେ ସେ ଚାଳଟା କେତେବେଳେ କେଉଁ ଭଉଁରୀରେ ପଡ଼ି ଘୁରୁଥାଏ ଯେ ଘୁରୁଥାଏ, ତା ପରେ ହଠାତ୍ ଭାସି ଚାଲିଯାଉଥାଏ, କେତେବେଳେ ତୁହାଇ ତୁହାଇ ବିଜୁଳି ଝଲମଲ। ଆକାଶ ଚିରିହୋଇ ଦୂରରେ ପାଣିରେ ଝଟକୁଥାନ୍ତି ଅରାଏ ଅରାଏ ମିଞ୍ଜି ମିଞ୍ଜି ତାରା, ଚାଳଟା ଆସ୍ତେ ଘୁସୁରି ଘୁସୁରି ଚାଲିଯାଉ ଥାଏ ସେହି ଆଡ଼କୁ।

ଏମିତି ଚାଲିଥାଏ ସେ ଚାଳଟା। ସେ ଯୋଡ଼ିକ ମଣିଷ ଜୀବନର ଚେତନା ଖାଲି ଏତିକି - ସେମାନେ ବଞ୍ଚିଛନ୍ତି।

ସକାଳ ହେଲା। ଦୁଲ ଦେଖିଲା ଚାଳ ଉପରେ ଲମ୍ବି ରହିଛି ରୋହି। ଚାଳଟା ଗୋଟାଏ ଅତଡ଼ାରେ ଆଉଜି ଯାଇଛି। ଦୁଲ ଚାଉଁକିନା ଉଠିପଡ଼ିଲା। ରୋହିକୁ ହଲେଇ ହଲେଇ ଉଠେଇଦେଲା। ଏଡ଼େ ଦୁର୍ଦ୍ଦଶାରେ ବି ସେ ଆଖିବୁଜି ନିଦରେ ଶୋଇଛି। ଦିହେଁ ଆଖି ପୂରାଇ ସେଇ ଅତଡ଼ାକୁ ଚାହିଁ ରହିଲେ। ସୂଅ ଭଉଁରୀ ନୁହେଁ, ବଢ଼ିର ମଝି ନୁହେଁ, ସତକୁ ସତ ସେମାନେ କୂଳରେ ଲାଗିଛନ୍ତି।
କେଉଁ ରାଇଜ ଏ, ଜଣା ନାହିଁ।

୯.୫.୧୯

No comments: