ସକାଳୁ ଛବି, ଯଶୋମତୀ ଓ ଛବି ବାପା ବନ୍ୟା ବିପନ୍ନଙ୍କ ସେବା କରିବା ପାଇଁ ବାହାରି ପଡ଼ିଲେ। ଛବି ବୋଉ ସେମିତି ଶୋଇଥାନ୍ତି। ଖଣ୍ଡେ ଦୂରରୁ ଘୁ ଘୁ ଶବ୍ଦ ଶୁଭୁଥାଏ।
ଟିକିଏ ବାଟ ଗଲା ପରେ ଚିତ୍କାର ଶୁଭିଲା ବନ୍ଧ ଭାଙ୍ଗିଛି। ଗଉଡ଼ ସାହି ପାଖେ ପହଞ୍ଚିଲା ବେଳକୁ ମଣିଷ ନାହାନ୍ତି।
ଖବର ମିଳିଲା ଯୋଗୀ ସାହିର ରୋହୀ ନାଥ ଓ ତା ସ୍ତ୍ରୀ ଦୁଲଙ୍କ ଦେଖା ନାହିଁ। ତାଙ୍କ ଘର ସୂଅରେ ଭାସି ଯାଇଛି। ହୁରି ପଡ଼ିଛି - ଭାସି ଯାଇଥିବେ, ଜୀଅନ୍ତା ଜୀଅନ୍ତା ବୁଡ଼ି ମରିଥିବେ ସେମାନେ। ସମସ୍ତିଙ୍କ ତୁଣ୍ଡରେ ଆହା ପଦ। ସେତିକି କି ଆଉ କିଏ ? ଖୋଜିବା ଦରକାର।
ସିନ୍ଧୁ ଚୌଧୁରୀଙ୍କ ପାଟିରୁ ବାହାରି ପଡ଼ିଲା, "ହେ ଭଗବାନ ! ଆଗେ ଯେଉଁଠି ଯୋଗୀ ସାହି ଥିଲା ସେହି ଆଡ଼କୁ ଅନାଇଁ ସେ ବନ୍ଧ ଉପରେ ଛିଡ଼ା ହୋଇଥିଲେ। ଦେଖିଲେ ନଈ ବନ୍ଧ ପାଞ୍ଚ ଶହ ହାତ ହେବ ଘାଇ ମୁହଁ ମେଲା ହୋଇଛି। ସେଇ ବାଟେ ଚାଲିଛି ସୂଅ, ସତେ କି ଆଉ ଗୋଟିଏ ନଦୀ, ଗହୀର ଯାକ ସବୁ ଏକାଠି ହୋଇ ବିରାଟ ସମୁଦ୍ରର ରୂପ ନେଇଛି। ସେପଟେ ଗଉଡ଼ ସାହି ତଳକୁ ବୋଲି ପାଣି ଲାଗିଗଲାଣି। ଏପାଖରୁ ସେପାଖ କୂଳ ଦିଶୁ ନାହିଁ। କେଉଁଠି ଯୋଗୀ ସାହି ଥିଲା, କେଉଁଠି ବାଉରୀ ସାହି ଥିଲା ବାରି ହେଉ ନାହିଁ। ସେଠି କେଉଁଠି ଗଛଟିଏ ଦିଶୁ ନାହିଁ କି କାନ୍ଥବାଡ଼ ବି ଦିଶୁ ନାହିଁ।
"କୁଆଡ଼େ ଗଲେ କିଏ ? ଯିବାକୁ ପଡ଼ିବ ଯେ। ଆମେ ଏଇଠି ଠିଆ ହୋଇ ଜୁଳୁ ଜୁଳୁ କରି ଅନେଇଥିବା, ଲୋକଗୁଡ଼ାକ ଭାସିଯିବେ ! ଏମିତି ତ କେତେ ଗାଁରେ କେତେ ଘରେ ମଣିଷ ଭାସି ଯାଇଥିବେ ! ଡଙ୍ଗା ପେଇଁ କିଏ ଯାଇଛି ? ଓଃ ! କଣ ହବ ! କଣ କରିବା ?" ଏମିତି କାଉଳି ହୋଇ ଛବି ପାଟି କରି କରି ବୁଲୁଛି, ଅନାଉଛି ୟା ମୁହଁରୁ ତା ମୁଁହକୁ। ଆଖିରୁ ଟପ ଟପ ଲୁହ ବୋହୁଛି।
ହେଇ ଥଏ ଧର ମା ! ତା ବାପା ବୁଝାଉଛନ୍ତି।
ଏହି ସମୟରେ ଗହଳି ଭିତରୁ ଘୋ ଘୋ ଶୁଭିଲା, "ଡଙ୍ଗା ଡଙ୍ଗା, ହେଇ ଡଙ୍ଗା।" ସତକୁ ସତ ଦୂରରୁ ଦିଶୁଛି ଗୋଟିକିଆ ଡଙ୍ଗାଟିଏ ଆସୁଛି। ଲୋକେ ଆତୁର ସ୍ୱରରେ ଆକୁଳ ବିକଳ। ବହୁତ ଗାଁ ବୁଲି ବୁଲି ବହୁତ ଜାଗାରେ ବହୁତ ପ୍ରକାର ସାହାଯ୍ୟ କରି କରି ଧୋବେଇ ମିଶ୍ର ଆସି ପହଞ୍ଚିଛନ୍ତି। ସଙ୍ଗରେ ଫୁଲଶରାର ନାଉରି ବାସୁ, ଜଇରାମ, ପଠାଣି... ଏକାଠି ଦଶ ଜଣ ଲୋକ।
ଧୋବେଇ ମିଶ୍ର ସବୁ ଦୁର୍ଦ୍ଦଶା ଶୁଣିଲେ। ମଣିଷ ଭାସି ଯିବା କଥା ଶୁଣିବା ମାତ୍ରେ କହିଲେ, ଚାଲ ଯିବା, ତାଙ୍କୁ ଖୋଜିବା। ସେଠାରେ କିଛି ସାହାଯ୍ୟ ଦେଇସାରି ଡଙ୍ଗା ଛାଡ଼ିବା ବେଳକୁ ଛବି ଉଚ୍ଛନ୍ନ ହେଲା, ସେ ବି ଡଙ୍ଗାରେ ଯିବ। ତର ତର ହୋଇ ଡଙ୍ଗାରେ ବସି ପଡ଼ିଲା। ଆପତ୍ତି କରୁ କରୁ ସିନ୍ଧୁ ଚୌଧୁରୀ ନିଜେ ଯାଇ ଡଙ୍ଗାରେ ବସି ପଡ଼ିଲେ।
୭.୫.୧୯

No comments:
Post a Comment