Saturday, 11 May 2019

*ତୋ କାଚ ବଜର ହେଉ*

ଏ କଣ ହେଲା, "ଇଲୋ ଦେଖ୍, ଦେଖ୍ ଲୋ ଦୁଲ, ଡଙ୍ଗାଟା ଏମିତି କଣ ହେଲା !" କଲବଲ ହୋଇ ଗଇଁ ସଇଁ ହୋଇ ରୋହି ସେଇ ଆଡ଼କୁ ଅନାଇଁ ଥାଏ। ତର ତର ହୋଇ ଡଙ୍ଗାଟା ମାଡ଼ି ଆସୁଥାଏ। ଡେଙ୍ଗା ସଳଖ ଚାରିଟା ନାଉରୀ କାତ ପେଲୁଥାନ୍ତି। ଆଗ ମଙ୍ଗରେ ବୁଢ଼ା ମଙ୍ଗୁଆଳ ପାଖରେ ଠିଆ ହୋଇଥାନ୍ତି କିଏ ଦିଜଣ। ଢିପ ପାଖ ହେଉ ହେଉ ହଠାତ୍ ପ୍ରଚଣ୍ଡ ବେଗରେ କେଉଁଥିରେ ଗୋଟାଏ ଡଙ୍ଗାଟା ଧକ୍କା ଲାଗିଲା। ଦିଜଣ ନାଉରୀ ପାଣିରେ ଛିଟିକି ପଡ଼ିଲେ। ଦିଜଣ ପଡ଼ିଗଲେ ଡଙ୍ଗା ଭିତରେ। ମଙ୍ଗ ପାଖରେ ତିନେହେଁ ଡଙ୍ଗା ଭିତରକୁ ଛିଟିକି ଗଲେ। ଲାଗିଗଲା ଉଦ୍ ବେଗ, ଚହଳ, ମଙ୍ଗଭିଡ଼ା, କାତ ପେଲା, ସୂଅ ସଙ୍ଗରେ ଜୀବନମୂର୍ଚ୍ଛା ଯୁଦ୍ଧ। ଡଙ୍ଗାଟି ପୁଣି ବାଗକୁ ଆସିଲା। ପୁଣି ଢିପ ଆଡ଼କୁ ମୁଁହିଁଲା।

ପାଣି ଭିତରେ ଛପି ରହିଥିଲା ଗୋଟିଏ ସିଧା ଠିଆ ବଡ଼ କଳାପଥର, ସେଥିରେ କେଉଁ କାଳର ପୁରୁଷ ମୂର୍ତ୍ତିଟିଏ ଖୋଳା ହୋଇଥିଲା। କିଏ କହେ ସେ ନନ୍ଦୀ, କିଏ କହେ ସେ କେଉଁ ଋଷି, କିଏ କହେ ସେ ବଜ୍ରେଶ୍ୱର ଢିପ ଜଗୁଆଳୀ।

ଫୁଲଶରାର ଏହି ଡଙ୍ଗା ଖଣ୍ଡିଆ ହୋଇଥିଲା। ସେଥିରେ ପାଣି ପଶୁଥିଲା। ସେହି ଡଙ୍ଗାରେ ଥିଲା ରବି। ଡଙ୍ଗା କୂଳରେ ଲାଗିଲା। ସେମାନେ ସମସ୍ତେ ତର ତର ହୋଇ ଡଙ୍ଗା ମରାମତିରେ ଲାଗିଗଲେ। ରୋହି ନାଥ ଓ ତା ସ୍ତ୍ରୀକୁ ସାନ୍ତ୍ବନା ଓ ଉତ୍ସାହ ଦେଇ ସାରି ରବି ପୁଣି କାମରେ ଲାଗିଗଲା।

ମରାମତି କାର୍ଯ୍ୟ ସରିଲା ନାହିଁ। ରାତିକ ଏଇ ଢିପରେ ରହିବାର ଚିନ୍ତା ହେଲା।

ସୂର୍ଯ୍ୟ ପାଣି ଉପରେ ନଇଁ ପଡ଼ି ଥାଏ। ସେତିକିବେଳେ ଆଉ ଗୋଟିଏ ଡଙ୍ଗା ଦେଖାଦେଲା। ବଇ ମଳିକ କହିଲା, "ଏ ଆମ ଡଙ୍ଗା ପରା ! ମଙ୍ଗ ପାଖେ କିଏ ସେଠି ଠିଆ ହୋଇଛନ୍ତି ? ଧୋବେଇ ମିଶ୍ରେଟି ?" ସେ କୁହାଟ ଛାଡ଼ିଲା। ସେମାନେ ବି ଏଇ ଆଡ଼କୁ ଆସୁଛନ୍ତି। ରବି ଅନାଇଁ ରହିଲା। ଆଶ୍ଚର୍ଯ୍ୟ ହୋଇ ଚାହିଁ ଦେଖିଲା, ସେ ଡଙ୍ଗାରେ ଧୋବେଇ ମିଶ୍ରଙ୍କ ପାଖରେ ଅଛନ୍ତି ସିନ୍ଧୁ ଚୌଧୁରୀ, ଛବି। ସେମାନେ ହସୁଛନ୍ତି। ରୋହି ନାଥ ଦେଖୁଛି ତା ପଡ଼ା ଲୋକ ରଘୁନାଥ ଓ ସଦା ଗୋଛେଇତଙ୍କୁ। ଚିହ୍ନା ଲୋକ ଦେଖି ତାର ଉତ୍ସାହ ଖେଳି ଯାଉଥାଏ।

ଉଭୟ ଡଙ୍ଗା ସଂଖୁଳା ସଂଖୋଳି ବେଳେ ରବି ଆଉ ଛବି ପରସ୍ପରକୁ ଅନାଅନି ହୋଇ ରହିଛନ୍ତି। ଉତ୍ତେଜନାରେ ରବିର ଦେହ ଥରି ଉଠୁଛି। ଲାଗୁଛି ଏଇ ଅପନ୍ତରାରେ ସେ ନିଜକୁ ନୂଆ କରି ଆବିଷ୍କାର କରୁଛି। ପରର ଉପକାର କରି ନୂଆ ସମାଜ ଗଢ଼ିବା ପାଇଁ ଆପଣାକୁ ସେ ବିରାଟ ଉତ୍ସାହ ଉଦ୍ଦୀପନାରେ ଭସାଇ ଦେଇଛି ସତ, କିନ୍ତୁ ସେ ବି ସାଧାରଣ ମଣିଷ। ଛବି ପ୍ରତି ଯାହା ତାର କାମନା, ସେହି ତ ପ୍ରେମ।

ତା ପ୍ରତି ସେ ଗୋଟାଏ ଦାୟିତ୍ୱ ଅନୁଭବ କରୁଛି। କାହିଁକି ଏତେ ଅସାଧ୍ୟ ଭିତରେ ବିପଦ ମଝିକି ସେ ଚାଲି ଆସିଲା, ଏତେ ବଢ଼ି, ବରଷା। ପୁଣି ସେ ଅନୁଭବ କଲା, ଏ ପରିସ୍ଥିତି ଯେପରିକି ତାହାରି କଳ୍ପନାର ହିଁ ପ୍ରତିଛବି, ବହୁ ଦିନର ଆକାଂକ୍ଷା ଓ ପ୍ରତ୍ୟାଶାର ବାସ୍ତବ ରୂପ।

ଡଙ୍ଗା କେଡ଼େ ଚଞ୍ଚଳ ପାଖ ହୋଇ ଆସୁଛି, ରବିକୁ ଲାଗୁଛି, ଏଇ ଆସିଗଲା ତାର ଭାଗ୍ୟ, ତାକୁ ଓଟାରି ନେବା ପାଇଁ, ଛାତି ଦାଉଁ ଦାଉଁ ପଡ଼ିଲା, ମୁଗ୍ଧ ହୋଇ ଚାହିଁ ରହୁ ରହୁ ଡଙ୍ଗା ଲାଗିଲା, ସେମାନେ ସମସ୍ତେ ତାକୁ ନମସ୍କାର କଲେ, ସେ ବି ସମିସ୍ତିଙ୍କି ନମସ୍କାର କଲା। ତାହାରି ଭିତରେ ମୁରୁକି ମୁରୁକି ହସିଦେଇ ତା ମୁହଁକୁ ଅନାଇଁ ଛବି କହିଲା, "ନମସ୍କାର"। ରବି ପ୍ରତି ନମସ୍କାର ଜଣାଇଲା, ଆଉ ଲାଗିଲା ତାର ଛାତି ଲେଉଟି ପଡ଼ିଲା। ସେ ବିଭୋର ହେଲା, ଅଶକ୍ତ ହେଲା, ସଲଜ୍ଜ ହେଲା, ତଳକୁ ମୁହଁ ପୋତିଲା।

"ନଈ ବଢ଼ିର ପ୍ରକୋପ ହୁଏ ବହୁତ, କିନ୍ତୁ ମଣିଷର କରାମତି ତା ଠୁଁ ଆହୁରି ବେଶି, ବଞ୍ଚିଥିଲେ ସେମିତି କେତେ ଦୁର୍ଦ୍ଦଶା ଭୋଗିବାକୁ ହୁଏ, ଶେଷରେ ତ ମରଣ; କିନ୍ତୁ ମଣିଷ ଯେତେବେଳେ ସ୍ନେହରେ ମେଣ୍ଟ ହୁଏ ମରଣ ବି ତାକୁ ଡରେଇ ପାରେ ନାହିଁ, ତ ଆଉ କଣ ନଈ ବଢ଼ି ପାରିବ ?"

ଧୋବେଇ ମିଶ୍ର ହସି ହସି କହିଲେ, "ସେଇ ସ୍ନେହର ମେଣ୍ଟରେ ହାତ ମୁଠା ଟାଣ କରି ବଢ଼ି ଘାଣ୍ଟି ଘାଣ୍ଟି ମଣିଷ ହଜିଲା ମଣିଷଙ୍କୁ ଖୋଜି ପାଇଛି ଏଠି, ନ ହେଲେ ଏଡ଼େ ଭାଗ୍ୟ ଆମର ହୋଇଥାନ୍ତା  !"

ରୋହି ନାଥ ହସି ହସି କହିଲା, "ଭାଗ୍ୟ ସବୁ ଯାକ ମୋ ଘର ମଣିଷର, ତାକୁ କିଏ କଇଲାଣ କରିଥିଲା, ତୋ କାଚ ବଜର ହଉ, ପାଷାଣରେ ଗାର ପରି ତା ବଚନ ଆଉ ଫିଟିଲା ନାହିଁ, ଯେମିତି କି ସେମିତି ରହିଲା, ନ ହେଲେ ବଢ଼ି ପାଣି ତଳେ ଆମେ ଦୁହେଁ କୁଆଡ଼େ ଯାଆନ୍ତେଣି, ଆଉ ଏଡ଼େ ବଡ଼ ଭାଗ୍ୟ ହୋଇଥାନ୍ତା ଏମାନଙ୍କୁ ଆମେ ଦେଖିଥାନ୍ତୁ !"

୧୨.୫.୧୯

No comments: