ଧୋବେଇ ମିଶ୍ରେ କହିଲେ, "ଭଲ କଣ ମନ୍ଦ କଣ, କାମୀ କଣ ଅକାମୀ କଣ, ତାର ନିଷ୍ପତ୍ତି ହୁଏ ଆପଣାର ଧାରଣା ଘେନି। କେଉଁ ମାର୍ଗରୁ ସେ କଥାଟା ବିଚାର କରି ଦେଖୁଛି ସେହି ଅନୁସାରେ ତାର ମୂଲ୍ୟବୋଧ। ଆମେ ଦେଖୁଛୁ ଜୀବନର ଉଦ୍ଦେଶ୍ୟ ଅଛି, ଆନନ୍ଦ ଆମର ଜନ୍ମଗତ ଅଧିକାର, ଆନନ୍ଦ ପାଇଁ ଉପାୟ, ପରର ମଙ୍ଗଳ ପାଇଁ ଚିନ୍ତା ଓ ପରିଶ୍ରମ। ଏହି ବିଚାରକୁ ମୂଳ କରି ଦେଖିଲେ ଚଳନ୍ତି ମୂଲ୍ୟ ଦିଆନିଆ ଭିତରେ କେତେ ଓଲଟପାଲଟ ଆପେ ଆପେ ଘଟିଯିବ। କେତେ କଥା ଦିଶିବ ଅଦରକାରୀ, ଅକାମୀ, ତୁଚ୍ଛ ବୋଲି। କେତେ ଆଇନ ତିଆରି ହେବ। ନୂଆ ମୂଲ୍ୟ ତିଆରି ହେବ, ନୂଆ ବାଟ ଦିଶିବ। ଭାବିବାକୁ ମନ ହେବ ମଣିଷ କାହା ପଛରେ ଗୋଡ଼ାଇଛି ? କାହିଁକି ଗୋଡ଼ାଇଛି ? ପୁରୁଣା ଚଳଣି କେବଳ ପୁରୁଣା ବୋଲି ମଣିଷ ତାକୁ ସମ୍ମାନ କରିବ ନାହିଁ। ନୂଆ ଚଳଣି କେବଳ ନୂଆ ବୋଲି ମଣିଷ ତାକୁ ଆଦର କରିବ ନାହିଁ। ସେ ଭାବିବ, ସ୍ଥିର କରିବ, କାମ କରିବ ପୁରୁଣା ପଟାଳିରେ ଶସ୍ୟ ଆପେ ଗଜୁରିବ, ତାରି ନାଁ ଯୁଗପରିବର୍ତ୍ତନ।
ସିନ୍ଧୁ ଚୌଧୁରୀ କହିଲେ, "ତୁମର ଆଦର୍ଶ ଅକ୍ଷୟ ହେଉ ବାପା, ତୁମର ଉଦ୍ୟମ ସିଦ୍ଧି ହେଉ। କାମ ନ କରି ସାତ ପାଞ୍ଚ ବିଚାରରେ ବୁଡ଼ି ରହି ମଣିଷ ଆପଣାକୁ ଓ ପରକୁ ନ ଠକୁ, ଯାହା ଉଚିତ ଭାବୁଛି ତା କରୁ। ମୋର ଏ ନିଲଠା ଅକାମୀ ଉଜୁଡ଼ା ଜୀବନ ବିଷୟରେ ମୁଁ ଖାଲି ଏତିକି କହିବି।"
ଛବି ତାଙ୍କ ହାତକୁ ଧରି ପକାଇ ଆସ୍ତେ ଡାକିଲା, "ବାପା।"
ସିନ୍ଧୁ ଚୌଧୁରୀ କହିଲେ, "କଣ ହେଲା ମା।"
ଛବି - "କାହିଁକି ଏମିତି କହିଲ ବାପା ?"
ସିନ୍ଧୁ ଚୌଧୁରୀ - "କଣ କହିଲି ? ଠିକ୍ କହିଲି ତ ?"
ରୋହି ନାଥ କହିଲା, "ଆପଣଙ୍କ ଜୀବନ ଅକାମୀ ହେଲେ କାମୀ ଆଉ କାହା ଜୀବନ ସାଆନ୍ତେ ? ସାତ ଖଣ୍ଡି ଗାଁରେ ଯାହାକୁ ପଚାରିଲେ କିଏ ଆଉ ଭିନ୍ନେ କଥା କହିବ ? କାହା ଘରେ ଅଶାନ୍ତି ଲାଗିଲେ ଏ ତୁଣ୍ଡରୁ ପଦେ ବଚନ ଶୁଣିଲେ ପରା ହୃଦ ଶୀତଳ ହୁଏ, ଏତେ ଦୟା, ଏତେ ସ୍ନେହ, ଏତେ ସମଦର୍ଶୀ ପଣ ! କିଏ ନ କହିବ ନ ପାଇଚି, ନ ନେଇଚି ବୋଲି, କେତେବେଳେ ହେଲେ ଧାରୁଆ ତ ହେଇଥିବ। ଧନ ଦରବ ଯେତେବେଳେ ଥିଲା ସେତେବେଳେ ତ ବୁହା ଲାଗିଥିଲା। ତା ସରିଲେ ବି ତୁଣ୍ଡରେ ଏ ସ୍ନେହ ଟିକକ ତ ଅଛି, ତୁଣ୍ଡରେ ଏ ମଧୁର ବଚନ, ଏଇ ମୂର୍ତ୍ତିକି ଧ୍ୟାନ କରି ଲୋକେ ବଳ ପାଇଚନ୍ତି -"
ଚୋଧୁରୀ ହସିଲେ, କହିଲେ, "ମୋତେ ଛଳାଅ ନାହିଁ ରୋହି, କିଏ କଣ ପାଇଲା ନ ପାଇଲା ତାକୁ ପଚାର, ମୁଁ କିଛି ଦେଇ ନାହିଁ, ମୁଁ କାହାରି କିଛି କରି ନାହିଁ।"
ରୋହି କିଛି ନ ଶୁଣିଲା ପରି କହିଗଲା, "ପର ପାଇଁ ଧନ୍ଦି ହୋଇ ଆପଣଙ୍କ ଦିନ ସରିଲା ନାହିଁ ଯେ ସାଆନ୍ତେ, ଶେଷରେ ପର ପିଲାଙ୍କୁ ମଣିଷ କରିବାକୁ ଖୋଲିଲ ଚାହାଳୀ, କିଏ କହିବ ଉପକାର ପାଇ ନାହିଁ ବୋଲି ?"
ଦୁଲ କହିଲା, "ଏଡ଼େ ବଡ଼ ବଢ଼ିରେ ଜୀବନ ମରୁଛି ଦେଖି ଆମ ମଲାଗଲା ଖୋଜିବାକୁ ଧାଇଁ ଆଇଚ ତେମେ ଆପଣ, ତମ ହୃଦରେ ସାକ୍ଷାତ୍ ବୈକୁଣ୍ଠ ଅଛି, ଜଗତଯାକର ହିତକାରୀ ଗୁରୁଗୋସେଇଁ ତ ତେମେ, କାହା ଜୀବନଟା ଏଡ଼େ ସାର।"
୧୫.୫.୧୯

No comments:
Post a Comment