Sunday, 5 May 2019

*ବଢ଼ି ପଛେ ପଛେ ବାହାଘରଟା ହୋଇଯାଆନ୍ତା*

ସାମନ୍ତରାପୁରରେ ରବିର ଡଙ୍ଗା ପହଞ୍ଚିଲା। ବିଜିବାବୁ କହିଲେ, "କାଲି ହାବୋଡ଼ିଥିଲା ଫୁଲଶରାର ଆଉ ଗୋଟିଏ ଡଙ୍ଗା। ଧୋବେଇ ମିଶ୍ର ସେଥିରେ ଥିଲେ। ଆପଣଙ୍କୁ ଦେଖାମିଳିଲେ କହିଦେବାକୁ କହିଛନ୍ତି  ଯେ ପାଟେଳି ଗାଁ ଯୋଗୀସାହି ପାଣସାହି ସଳଖେ ମସ୍ତବଡ଼ ଘାଇ ହୋଇଛି, ସେପଟେ ସେମାନେ ଯାଇ ନାହାନ୍ତି। ସେ ଆସିଛନ୍ତି ଉତ୍ତର ପଟୁ।"

ରବି କହିଲା, "ଚାଲ ଯିବା ଫୁଲଶରା। କିନ୍ତୁ ପାଟେଳି ଗାଁ ପାଇଁ ଆଉ ଥରେ ପ୍ରସ୍ତୁତ ହୋଇ ଆସିବାକୁ ପଡ଼ିବ।

ରାତିରେ ବଇ କହିଲା, ତୁନୀ ହୋଇ ଭାବୁଛ କଣ ?
ରବିର ସ୍ୱପ୍ନ ଭାଙ୍ଗିଗଲା।
ବଇ କହିଲା, "କାଲି ସକାଳକୁ ପାଟେଳି ଗାଁ।"
ରବିର ମନ ଖୁସି ହୋଇଗଲା। ପାଟେଳି ଗାଁ ସଙ୍ଗେ ସଙ୍ଗେ ତାର ମନେପଡୁଛି ସିନ୍ଧୁ ଚୌଧୁରୀ ଘର, ଛବି।

ବଇ କହିଲା, "ପାଟେଳିଗାଁରେ ସିନ୍ଧୁ ଚୌଧୁରୀ ଅଛନ୍ତି, ଭାରି ଭଲ ଲୋକ, ଏତେ ଖାନ୍ଦାନି ପୁରୁଣା ସାଆନ୍ତ ହେଲେ କଣ ହେବ, ଅତି ସାଧାରଣ। ଠାକୁର ପରି। ଲୋକେ ଭାରି ଭଲ ପାଆନ୍ତି।"

ରବିର ମନର ଚିତ୍ର ଯେପରିକି ବଇ ମଳିକର ତୁଣ୍ଡରେ ଫୁଲ ଫୁଟୁଛି। ଅଧା ହସା ହୋଇ ରବି ଚାହିଁ ରହିଲା। ବଇ ମଳିକ କହିଗଲା, "ତାଙ୍କରି ଗୋଟିଏ ବୋଲି ଝିଅ ଛବି ଦେଇ। ଯାହାଙ୍କୁ ସୂର୍ଯ୍ୟ ଚନ୍ଦ୍ର ଦେଖନ୍ତେ ନାହିଁ, ସେ ପଦାକୁ ବାହାରି ପଡ଼ିଛନ୍ତି ଲୋକଙ୍କ ହିତ କରିବା ପାଇଁ। କି ସ୍ନେହ, କି ସେବା, କି ମନ ! ଘର ଘର ବୁଲି ଦୁଃଖୀ ରଙ୍କିଙ୍କ ଖବର ବୁଝି କଳି ତୁଟେଇ ମେଳ ବଢ଼େଇ ସେବା ହେପାଜତ କଣ ଯେ ସେ ନ କରୁଛନ୍ତି ! ଗାଁ ଯାକ ଚହଳ ପଡ଼ିଛି। ତାଙ୍କ ପଛ ପଛେ କେତେ ମାଇପେ ବାହାରି ପଡ଼ି କାମ କରୁଛନ୍ତି, ତାଙ୍କ ଦେଖାଦେଖି ବସିବା ଲୋକେ ବି ମେଳ ହୋଇ ଭଲ କାମ କରୁଛନ୍ତି, ଏଡ଼େ ହିଂସିକା ଗାଁ ହେଇଥିଲା, ସତର ମେଣ୍ଟ, ସତାନବେ ଗୋଷ୍ଠୀ, ଅଇଛା ଯାହା ତୁଣ୍ଡରେ ଶୁଣିବ ଖାଲି କେମିତି ଗାଁଯାକର ଉପକାର ହବ ସେଇଆ।"

ରବି ହସୁଥାଏ, କହିଲା, "ଭଲ ହେଲା ତ, କାଲି ବୋଧେ ଦେଖା ହେବ, ନୁହେଁ ?"

ବଇ କହିଲା, "ଆମ ସଙ୍ଗେ ମିଶି ସେ ଯଦି ଫୁଲଶରାରେ କାମ କରନ୍ତେ, ଭଲ ହୁଅନ୍ତାନି ?"

ରବି କହିଲା, "ତେବେ ପାଟେଳି ଗାଁ କାମ ?"

ବଇ କହିଲା, "ତେଣେ ତମ ବଉ ସାଆନ୍ତାଣୀ ଦିନ ଗଣୁଛନ୍ତି, କେବେ ପୁଅ ମୁଣ୍ଡରେ ଦୋଳ ମୁକୁଟ ଦେଖିବେ, ଯେତେ ଥର କହିଲେ ତେମେ କାନରେ ପକାଉ ନାହଁ, ବାଁଖାଡ଼ିଆ ଦଉଚ -"

ରବି କହିଲା, "ତୁ କଣ କହୁଚୁ ?"

ବଇ କହିଲା, "ତେମେ ହଁ କଲେ ଏ ବଢ଼ି ପଛେ ପଛେ ବାହାଘରଟା ହୋଇଯାଆନ୍ତା, ସିନ୍ଧୁ ଚୌଧୁରୀ ନାହିଁ କରନ୍ତେ ନାହିଁ, ଆମ ବୁଢ଼ା ସାଆନ୍ତେ ତ ହାତରେ ଚନ୍ଦ୍ର ପାଆନ୍ତେ। କବି ବାବୁ ତ ବିଦେଶରେ, ଘରେ ଖାଲି ବୁଢ଼ା ବୁଢ଼ୀ ଦିହେଁ, କେମିତି ଦିନ ସରୁଥିବ ଯେ ?"

୫.୪.୧୯

No comments: