ରବି ଅନାଇଁ ଦେଖିଲା, ମନେ ପଡ଼ିଲା ଫୁଲଶରାରେ ପହିଲେ ସେ ଯେତେବେଳେ କାମ ଆରମ୍ଭ କରିଥିଲା ଏମିତି ଦିନେ ଅବତାର ହୋଇଥିଲେ ବୁଢ଼ା ନନ୍ଦ ତହସିଲଦାର। ତା ପରେ ଆଉ କେତେଠିଁ ଦେଖିଚି ସେ ଏହି ଚାହାଣି, ଯେତେବେଳେ ଦିଶେ ପଥର ଦି ଭାଗ ହୋଇଯାଉଛି। ତା ଉହାଡ଼ରେ ଦିଶି ଯାଉଛି କଥାକୁହା ଚକମକ ପାଣି, ସେ ଅନ୍ଧାର ଉହାଡ଼ରେ ଆଲୁଅ, ସେ ମରଣ ଉହାଡ଼ରେ ଜୀବନ।
ସେ ଭାବିଲା, ସେଇଥିପାଇଁ ତ ମଣିଷ ଜାତିଟା ବଞ୍ଚିଛି ଏବେ ବି।
ବରଷା ନାହିଁ, ଆକାଶ ଚିକ୍କଣ, ଲିପାପୋଛା। ଜହ୍ନ ଆଲୁଅ ସତେ କି ପାଣିରେ ଗୋଳିହୋଇ ଗଛବୁରୁଛ ଭୂଇଁ ଚଢ଼ି ସବୁଠି ଲାଗି ରହିଛି। ଢିପ ଦାଢ଼ରେ ଠାଏ ଡଙ୍ଗା ଯୋଡ଼ିକ ବନ୍ଧା ହୋଇଛି, ଗଛ ଉଢୁଆଳରେ ଦିଶୁ ନାହିଁ। ନିଧି ରଣାର ଗୀତ ଶୁଭୁଛି। ଫୁଲମାନଙ୍କର ସୁବାସ ଭାସି ଆସୁଛି। ଦେଉଳ ଆଗରେ ଯେଉଁ ଖୋଲା ଜାଗା ଅରାକ ସେଠି କାଠ ଚମ୍ପା ଗଛଗୁଡ଼ିକୁ ପିଠିଆଡ଼େ ରଖି ଖଣ୍ଡେ ଖଣ୍ଡେ ଛାଡ଼ି ତାଳପତ୍ରର କୁଡ଼ିଆ ଯୋଡ଼ିଏ ତିଆରି ହୋଇଛି, ଗୋଟିଏ ସାନ, ସେଥିରେ ଛବି ଓ ଦୁଲ ଶୋଇବେ। ଆରଟି ଲମ୍ବ ହୋଇ ତିଆରି ହୋଇଛି, ସେଥିରେ ଆଉମାନେ ରାତି କଟାଇବେ। କେତେ କାଳ ପରେ ଦେଉଳ ଦୁଆର ମୁହଁରେ ଦୀପ ଜଳୁଛି, ତା ଏକରେ ରନ୍ଧା ବସିଛି, ନିଆଁ ଜଳୁଛି, ସତେ ସତେ ମଉଛବ। ଏକା ଘର ପରି ସମସ୍ତେ ମିଶି ଯାଇଛନ୍ତି।
ସେଇଠୁ ତ, ଖଣ୍ଡେ ଦୂର ବି ନୁହେଁ। କେବଳ ସେହି ପୁରୁଣା ଦେଉଳ ଜଗତଯାକକୁ ଉଢୁଆଳ କରି ଠିଆ ହୋଇଛି। ତା ପିଠି ଆଡ଼େ ପିଜୁଳି ଗଛ ମୂଳରେ ଠିଆ ହୋଇ ଚମକି ପଡ଼ି ଛବି ଦେଖିଲା, ସେପାଖେ ଅଳ୍ପ ଦୂରରେ ଠିଆହୋଇଛି ରବି।
ଦୁହେଁ ଦୁହିଁଙ୍କୁ ଏକା ସଙ୍ଗରେ ଦେଖି ପକାଇଲେ। ଠିକ୍ ଏତିକିବେଳେ ଏହି ଜାଗାରେ ଅକସ୍ମାତ୍ ଏମିତି ଭେଟା ଭେଟି ହେବାକୁ ଛାଏଁ ଛାଏଁ ଯେପରିକି ସେମାନଙ୍କର ଭିତରର ପ୍ରବଣତା ସେମାନଙ୍କୁ ସେଠିକି ଓଟାରି ଆଣିଥିଲା। ଏ ଯେପରିକି ସତ ନୁହେଁ, ଯେଉଁ ସ୍ବପ୍ନ ମଝିରେ ମଝିରେ ସଂସାରରେ ଏହି ଯୋଡ଼ିଏ ମଣିଷକୁ ଏକାଠି କରେ, ଏ ସତେ କି ସେହିପରି ପୁଣି।
ସେମାନଙ୍କ ବ୍ୟବହାରରେ କିଛି ଅସଜ ନ ଥିଲା। ଆଖିକୁ କିଛି ଅଡୁଆ ଜଣା ପଡୁ ନ ଥିଲା। ଏଇ ନିଛାଟିଆ ଦ୍ବୀପ, ଏହି ଜହ୍ନ ରାତି, ଏଇ ପୁରୁଣା ପରିବେଷ୍ଟନୀ ସହିତ ଖାପିଯାଇ ଦେଉଳ, ଗଛ, ଥୁଣ୍ଟା, ଢିପ, ଢାଲୁ ପରି ଏତେ ମାୟା ରୂପ ଭିତରେ ସେମାନେ ବି ସେଠି ଅତି ସ୍ୱାଭାବିକ, କାହାରି କାହାଠି କିଛି କୁଣ୍ଠା ନାହିଁ।
ଛବିର ଛାତି ଦମ୍ ଦମ୍ ପଡ଼ିଲା। ଅତି ଉଦ୍ ବେଗରେ କ୍ଷୋଭରେ କ୍ଷୋଭରେ ସେ ହେତୁ କରି କରି ଚଞ୍ଚଳ ହୋଇ ଉଠିଲା - ଏ କଣ ହେଲା ? ସେ କିଛି ପଚାରି ପାରିଲା ନାହିଁ ଯେ !
ତା ଆଖିରେ ଲୁହ ପୂରିଗଲା।
ଦେଉଳ ଏପଟେ ଏ ବିଚିତ୍ର ଶୋଇଲା ଦୁନିଆଁ, କେତେ ଲୋକ ଥିଲେ ପରା, ସେମାନେ ଶୋଇ ପଡ଼ିଛନ୍ତି, ତୋଟାଳିଆ ଅରମା ଠିଆ ଠିଆ ଶୋଇପଡ଼ିଛି, ତା ଉପରେ ଜହ୍ନ ଆଲୁଅ ଦିଶୁଛି ଘୋରିହେବା ଚାଦର ପରି। ସେ ଏ ଶୋଇଲା ଦୁନିଆଁର ଘୁମୁରା ନିଃଶ୍ୱାସ ଶବ୍ଦ ଶୁଣୁଛି, ସବୁ ଲାଗୁଛି ବିଚିତ୍ର, ଖାଲି ମାୟା-ସ୍ବପ୍ନ। ସମସ୍ତେ ଶୋଇ ପଡିଛନ୍ତି, କିନ୍ତୁ ତାକୁ ନିଦ ନାଇଁ। ସେ କାନ ଡେରୁଛି। ସେପାଖରୁ ଗହଳି ଶବ୍ଦ ଶୁଭୁଛି, ଦୁଇଟି ଦୁନିଆଁ, ଲଗାଲଗି, ଆଲୁଅ ଆଉ ଛାଇ ମିଶି ରହିଲା ପରି।
ତା'ର ମନେ ପଡ଼ିଯାଉଛି, ସେ ଚଢ଼େଇଟିଏ ପରି ଉଡ଼ି ଆସିଥିଲା। ଛାଉଁଣି ପାଖେ ପହଞ୍ଚିଲା ବେଳକୁ ତାକୁ ଲାଗିଲା ସେ ଆକାଶରୁ ମାଟିକି ଓଲ୍ହାଇ ପଡ଼ିଛି। ପୁଣି ମନ ଭିତରେ ଅଛିଣ୍ଡା ପ୍ରଶ୍ନର ଅମେଣ୍ଟା ଖିଅ, କଣ ହେଲା ? ଅଧାରୁ ରହିଗଲା ଯେ, ସେ ପଚାରି ପାରି ନାହିଁ ତ ?
୧୭.୫.୧୯

No comments:
Post a Comment