Saturday, 11 May 2019

*ସବୁ ତାଙ୍କରି ମହିମା*

ଗଦ୍ ଗଦ୍ ହୋଇ ରୋହି ଓ ଦୁଲ ଚାଳ ଉପରୁ ଅତଡ଼ାକୁ ଡେଇଁ ପଡ଼ିଲେ। ସାମ୍ନାରେ ବଢ଼ି ପାଣି ଉପରେ ସକାଳ ଲମ୍ବିଛି। ଦୂରେଇ ଦୂରେଇ ଗହଳି ତୋଟାର ଗାର ! ଢିପ ଉପରେ ଗଛ ଡାଳରେ ନାନା ଜାତି ଚଢ଼େଇ ବସି ଯାଇଛନ୍ତି।

ଏକା ସଙ୍ଗରେ ସେ ଦୁହିଁଙ୍କ ମନରେ ଏକା ଧାରଣା ଉଇଁଲା ଆମେ ବଞ୍ଚିଛୁ। ଆମେ ନିରାପଦ। ସେହି ସୌଭାଗ୍ୟ କଥା ଭାବିଲା ମାତ୍ରେ ପ୍ରଥମ ପ୍ରତିକ୍ରିୟା ସ୍ୱରୂପ ବୋହି ପଡ଼ିଲା ଲୁହ ଧାର ଧାର।

କୁଆଡ଼ର ଯୋଡ଼ିଏ କଅଁଳା ଶିଶୁ ପରି ସେମାନେ ପରସ୍ପରକୁ କୁଣ୍ଢେଇ ଧରି ଭେଁ ଭେଁ ହୋଇ କାନ୍ଦିଲେ। ଅଳ୍ପ ବେଳ ଗଲା, ଦୁଲ କହିଲା, "ଚାଲ ଆମ ଚାଳ ଘରକୁ ଟେକି ଆଣିବା, ନ ହେଲେ ସେତକ ବି କୁଆଡ଼େ ଭାସି ଯିବ ଯେ -"

ବଜ୍ରେଶ୍ୱରଙ୍କ ଢିପ, ସେଠି ବଜ୍ରେଶ୍ୱର ମହାଦେବଙ୍କର ଅତି ପୁରୁଣା ଇଟା ଦେଉଳ ଅଛି। ଅତୀତ ଇତିହାସର ନନା ଶଙ୍କୁ ସେଠି ନାନା ଭଙ୍ଗାକୁଢ଼, ନାନା ମୂର୍ତ୍ତି, ସତେ କି ଭଙ୍ଗା ଅଭଙ୍ଗା ମୂର୍ତ୍ତିର ଖଣି। ପ୍ରତ୍ନତତ୍ତ୍ୱବିତ୍ କହନ୍ତି, ଇଟା ଦେଉଳ କାହିଁ ଷଷ୍ଠ ସପ୍ତମ ଶତାବ୍ଦୀ ବେଳର, ସେଇ ଭଟ୍ଟ ଅମଳର ଏଇ ମୂର୍ତ୍ତି ଗୁଡ଼ିକ ସେହିଦିନୁଁ ଏଯାକେ ଇତିହାସର ପାହାଚେ ପାହାଚେ ନାନା ଯୁଗର ନାନା ଶିଳ୍ପକଳା, ନନା ଧର୍ମମତର ନାନା ମୂର୍ତ୍ତି ଏଠି ସାଇତା ହୋଇ ରହିଛି। ବୌଦ୍ଧ ଯୁଗର ମୂର୍ତ୍ତିମାନ ମଧ୍ୟ ଏଠାରେ ଦେଖିବାକୁ ମିଳେ ବୋଲି କିଏ ଥରେ କହିଥିଲେ। ସେ ଆସି କହିଥିଲେ ଏଇଠି ଦିନେ ଥିଲା କଳିଙ୍ଗର ସମୃଦ୍ଧ ଇତିହାସର ଅନ୍ତୁଡ଼ିଶାଳ, ଏଇଠି ତାର ସଂସ୍କୃତି ବଢ଼ି ଉଠିଥିଲା, ଏଇଠୁ ସେ ଖେଦି ଯାଇଥିଲା ଦେଶ ବିଦେଶକୁ, କାହିଁ ଭୁଟାନ, ତିବ୍ବତ, ଚୀନ, ନିପନ, ଫିଲିଫାଇନ, ସୁମାତ୍ରା, ମଲାୟୁ, ଚମ୍ପା, କାହିଁ ପାରସ୍ୟ, ମାଡ଼ାଗାସ୍କର, ଆଫ୍ରିକା, ଆଉ ଭାରତଯାକ ତ ସହଜେ, ହିମାଳୟରୁ କୁମାରିକା ଯାକେ, ସିନ୍ଧୁ ଦେଶରୁ କାମରୂପ।

ଦେଉଳ ପଛ ଆଡ଼େ ପୁରୁଣା ପିଜୁଳି ଗଛ ଆଠଟାଯାକରେ ପିଜୁଳି ଲଦି ହୋଇଛି। ଚମ୍ପା ଫୁଲ ଫୁଟିଛି, ଲମ୍ବ ଲମ୍ବ କଢ଼ି ଅଙ୍ଗୁଳି ପରି ହାତୀଦାନ୍ତ ଵର୍ଣ୍ଣର ଶ୍ୱେତ ଚମ୍ପା, ଆଉଟା ସୁନା ଵର୍ଣ୍ଣର କନକ ଚମ୍ପା। ଗୋଟିଏ ବୁଢ଼ା ଆମ୍ବ ଗଛରେ ବୁଢ଼ୀ ମାଳତୀ ଲଟା ଅଜାଡ଼ି ହୋଇ ରହିଛି, ଅରାଏ ଅରାଏ ଫୁଲ ଫୁଟିଛି। ବେଲ ବଣରେ ନଗେଶ୍ୱର ଗଛରେ ଗହଳି ପତ୍ର। ଚାରି ଆଡ଼ ଭାସି ଆସୁଛି ମଠୁଆ ମଠୁଆ କିଆ କେତକୀର ବାସ୍ନା। ଦେଉଳ ଆଗରେ ଖୋଲା ଜାଗା ଅରାକ ସେକରେ କାଠଚମ୍ପା ଗଛଗୁଡ଼ିଏ, ଫୁଲ ଖୁନ୍ଦି ହୋଇଛି। ବଜ୍ରେଶ୍ୱରଙ୍କ ଢିପ ପାଣିରେ ଭାସୁଛି। ସେଠି ଦୋଓଟି ମଣିଷ, ରୋହି ନାଥ ଓ ଦୁଲି।

ପିଜୁଳି ଖାଇ ପେଟ ପୂରି ଥାଏ। ଦିନ ଯାକ ଦେହେ ଦେହେ ଯାଇଥାଏ ଖରା। ରୋହି ଆଉ ଦୁଲ ପାଣି କୂଳରେ ଠିଆ ହୋଇ ଅନିଶା କରିଥାନ୍ତି, ଖରା ତାଉରେ ପାଣି ଦିଶୁଥାଏ ଡହ ଡହ, ଆଖି ପୋଡୁ ଥାଏ। ଅନିଶା କରିଥାନ୍ତି କାଳେ କେଉଁ ଡଙ୍ଗା ଆସିଯିବ। ସକାଳେ ଦେଖିଥିଲେ ଖଣ୍ଡେ ଦୂରରେ ଡଙ୍ଗାଟିଏ ଯାଇଥିଲା, ରଡ଼ି ରଡ଼ି ତଣ୍ଟି ଫାଟିଥିଲା, ଶବଦ ପହଁଚିଲା ନାହିଁ; କିନ୍ତୁ ଆଶା ତେଜିଥିଲା।

ବେଳ ରତ ରତ ହେଉଥାଏ, ଆଉ ଗୋଟିଏ ଡଙ୍ଗା ଦିଶିଲା। ପ୍ରାଣ ପଣେ ରୋହି ଓ ଦୁଲ ରଡ଼ି ଛାଡ଼ିଲେ, "ହୋଓ ଓ.."
ଡଙ୍ଗା ମଙ୍ଗ ମୋଡ଼ିଲା। ଡଙ୍ଗାରୁ ବି କୁହାଟ ଚହଟି ଆସିଲା।
ଗଦ୍ ଗଦ୍ ହୋଇ ରୋହି କାନ୍ଦି ପକାଇ କହିଲା, "ଗୋରେଖ ଆମ ଗୁହାରି ଶୁଣିଲେ ଲୋ ! ସବୁ ତାଙ୍କରି ଦୟା, ତାଙ୍କରି ମହିମା। ବିପଦରୁ ଉଦ୍ଧାର ହେଉଛି ଜାଣି ଯୋଗୀମାନଙ୍କ ଆଦି ଗୁରୁ ଗୋରଖନାଥଙ୍କ ପ୍ରତି ତା ମନରେ କୃତଜ୍ଞତା ଉପୁଜିଲା।

୧୧.୫.୧୯

No comments: