ଫୁଲଶରା ସାହାଯ୍ୟକାରୀ ଦଳ ସହ ଉରୀ ସାହାଯ୍ୟକାରୀ ଦଳ ଦେଖି ଦେଖିକା ଗଲେ ସେହି ବିଭୀଷିକା-ବଢ଼ି। ପାଟ, ନଈ, ଜୋର ସବୁ ମିଶିଯାଇଛି, ଯେତେ ଦୂରକୁ ଚାହିଁଲେ, ଦିଗବଳୟର ବାଙ୍କୁଲି ଗାର ଯାକେ ଖାଲି ପାଣି, ପାଣି, ମାଟିଆ, ହଳଦିଆ ମିଶା ଗୋଳିପାଣି, ମନସୁଖେ ବିଛେଇ ହୋଇ ରହିଛି, ନାଚୁଛି, ଧାଉଁଛି, ଫୁଲୁଛି, ଗର୍ଜୁଛି, ଚହଳ ପକାଉଛି, ପୁଣି ଫେରିପାଇଛି ସେ ତାର ପ୍ରାଚୀନ ଆଦିମ ଅଧିକାର, ଯେତେବେଳେ ଏ ପୃଥିବୀ ଯାକ ବ୍ୟାପିଥିଲା ଏକା ସେ।
ଏଥର ଆକାଶ ଓଲ୍ହେଇ ଆସିଛି ପୃଥିବୀକୁ, ସେ ବି ହଲୁଛି, ଚହଲୁଛି, ଲହଡ଼ା ଭାଙ୍ଗୁଛି, ରଙ୍ଗ ବଦଳାଉଛି, ସବୁ ଏଇ ଗୋଳି ପାଣିରେ।
ହଜିଲା ସୃଷ୍ଟିର ପ୍ରେତର ଛାଇ ପରି ଏଠି ସେଠି ନାନା ରୂପ, ହଠାତ୍ କେଉଁଠି ଗଛ ପୁଞ୍ଜାଏ, ମୂଳ ନାହିଁ, କାଣ୍ଡ ନାହିଁ, ଖାଲି ପାଣି ଉପରେ କାଳିଚା ଶାଗୁଆ ବିମାନ, ତାହାରି ଫନ୍ଦ ଦାଢ଼ରେ ସରୁ ସରୁ ଧଳା ଢେଉ ପିଟି ପାଣି ଚାଲିଥାଏ, ପାଖରେ ଯାଏ ଡଙ୍ଗା, ବିମାନ ଦୋହଲେ। କେଉଁଠି ଅଣ୍ଟା ମୋଡ଼ି ହୋଇ ଖତିରା ହାଡ଼ର ବିଦା କାଠି ଦେଖାଇ ବଙ୍କା ଢଙ୍କା ହୋଇ ଲମ୍ବି ରହିଥାଏ ବସ୍ତିର ଚାଳ, କାନ୍ଥ ନାହିଁ, ତଳି ଦିଶେ ନାହିଁ। କେଉଁଠି ଝାଟିମାଟି କାନ୍ଥ ତାଳୁ ଯାକେ ପାଣି ଲାଗି ହୋଇ କଦଳୀ ବାରି ମଝିରେ ଗୋଟାଏ ଗୋଟାଏ ଘର ଦିଶେ, କେଉଁଠି ଘରର ପତ୍ତା ହିଁ ନାହିଁ। ଚିହ୍ନା ଗଛର ତୋଟା ତାର ବେକେ ପାଣିରେ ଠିଆହୋଇ ରହିଥାଏ।
ଏଇ ପାଣିର ମଶାଣି ତଳେ ଥିଲା ଦିନେ ଦମ୍ଭ ମାଟି, ଚିହ୍ନା ସଂସାର। ଘାସ ଉପରେ ଗୋରୁ ଚରୁଥିଲେ, ବଗ ବଣି ଚଢ଼େଇ ବୁଲୁଥିଲେ, ଝିଣ୍ଟିକା ଡେଉଁଥିଲେ, ପିମ୍ପୁଡ଼ିମାନେ ଧରାଧରି ହୋଇ ଖାଦ୍ୟ ବୋହି ନେଉଥିଲେ, ପାଦରେ ମଡ଼ା ହୋଇ ସରୁ ସରୁ ବାଟ ଫିଟିଥିଲା, ଆତଯାତ ଲାଗିଥିଲା। ଏଇଠି କେଉଁଠି ଥିଲା ଗାଁ, ରାସ୍ତା, ଠାକୁର ଘର, ଧୋବାତୁଠ, ଧାନକ୍ଷେତ। କେଉଁଠି ଲାଗିଥିଲା କଳି, ମାଲିମକଦ୍ଦମା, କେଉଁ ସୀମା ସରହଦ ପାଇଁ, କେଉଁ ମାଟି ଅରାକ, କେଉଁ ତାଳଗଛ କି ଆମ୍ବଗଛ, ....
ରବି ମୁକପରି ସେହି ପାଣିକୁ ଅନାଇ ରହିଥାଏ, ଆଖି ଆଗେ ଆଗେ ସତେ କି ସେହି ରୂପ ଖେଳିଯାଉଛି, ଯେପରି ସେ ସେହି ପାଣିରେ ଗୋଳି ହୋଇ ରହିଛି, ସେହି ଦପ ଦପ, ହାସ କାନ୍ଦ, ଆଶା ନିରାଶା, ଆଉ ସେହି ମାଟି, ଯେ ଯୁଗ ଯୁଗର ମଣିଷଙ୍କ ସମ୍ପର୍କ ଆଉ ସ୍ପର୍ଶରେ ହୋଇଥିଲା ମଣିଷିଆ। ଦିଶି ଦିଶି ଯାଉଛି, ନଈ ବନ୍ଧ, ବାଉଁଶବଣ, ବାରି, ଟୁବି ଗାଡ଼ିଆ, ଗାଁ ଗୋଟାକର ସଂସାର, ଚୂଲୀରୁ ଧୂଆଁ ଉଠୁଥିଲା, ଦାଣ୍ଡରେ ପିଲାଏ ଡେଉଁଥିଲେ, ଗାଈ ବୋବାଉଥିଲା, ପାଣିମାଠିଆ ବୋହି ମାଇପେ ଲେଉଟୁଥିଲେ, ଯୁଆଳି କାନ୍ଧେଇ ଚଷା ଫେରୁଥିଲା, ସବୁ ତ ଥିଲା, ଯାହା ଯେମିତି ହୁଏ, କୁଆଡ଼େ ଗଲା ?
ସବୁଠି ଦୁର୍ଗନ୍ଧ, ପଚା ଶବ। କୁଆଡ଼େ ଗଲେ ଏ ଗାଁର ମଣିଷ ? ବଞ୍ଚିଛନ୍ତି ତ ? ସେଇ ଚିନ୍ତା ଏକ ସଙ୍ଗରେ ସମସ୍ତିଙ୍କ ମନରେ।
ପାଣି ଚାଲିଛି, ପାଣି ଚାଲିଛି, ଠାବ ନାହିଁ, ରାହା ନାହିଁ। ହାଉ ହାଉ ରାଉରାଉ ହୋଇ ମାଡ଼ି ଆସୁଛି ବରଷା, ତୋଫାନ, ଡଙ୍ଗା ତାଳୁରେ ଢେଉ ପିଟି ହେଉଛି, ଡଙ୍ଗା ଉବେଇଟୁବେଇ ଟଳମଳ, ମଙ୍ଗ ମୋଡ଼ି କାତ ପେଲି ଝାଳ ନାଳ ହୋଇ ଲାଗିପଡ଼ିଛି ନାଉରି, ବାହା ଓ କାନ୍ଧର ମାଂସପେଶୀମାନ ଆବୁ ଆବୁ ହୋଇ ଫାଡ଼ି ହେଲା ପରି ପଦାକୁ ବାହାରୁଛି, ଆଗକୁ ବିକଟାଳ ଭଉଁରୀ।
ଆସ୍ତେ ଆସ୍ତେ, ତରତର ହୁଅ ନାହିଁ, ଆମେ ଅଛୁ। ଡଙ୍ଗାକୁ ଚାହିଁ କେହି ଜଣେ କହିଲା। ଗଛ ଉପରେ କେତେ ଜଣ ବସିଥିଲେ। ରବି ସଙ୍ଗେ ସଙ୍ଗେ ପାଣିକୁ ଡେଇଁ ସେମାନଙ୍କୁ ବଡ଼ କାଇଦାରେ ଉଦ୍ଧାର କଲାବେଳକୁ ଡଙ୍ଗା ତାଙ୍କ କତିରେ ପହଞ୍ଚି ଯାଇଥିଲା। ଗଛରୁ ଓଲ୍ହାଇଥିବା ମଣିଷ ଦିହେଁ ଥରୁଥିଲେ, କାନ୍ଦୁଥିଲେ। ଲୋକେ ତାଙ୍କୁ କୁଣ୍ଡେଇ ବସେଇଛନ୍ତି। ଆଉ ଭୟ ନାହିଁ, ଆଗ କିଛି ଖାଇନିଅ।
ଟିକେ ସୁସ୍ଥ ହେବା ପରେ ସେମାନେ ପାଖ ଆଖ ଗାଁର ବନ୍ୟା ବିଭୀଷିକା ବର୍ଣ୍ଣନା କଲେ, ସେହି ସେହି ଅଞ୍ଚଳକୁ ଏମାନଙ୍କ ଚାରି ଖଣ୍ଡ ନାହା ବାଣ୍ଟି ହୋଇ ଚାଲିଗଲା।
ଏଥର ରବିର ଡଙ୍ଗା ଏକୁଟିଆ ହୋଇଗଲା। ରବି ସାଙ୍ଗରେ ଥିଲେ ବଇ, ଚଞ୍ଚୁ, ଜମ୍ବୁ, ଦଧି।
ଚଞ୍ଚୁ - ଏଠି ତ ସମ ଦଶା।
ଜମ୍ବୁ - "ଯେ ହାବୁଡ଼ିବେ, ତାଙ୍କୁ ଘିତି ଆସିବା। ହଉ ନାହା ବୋଝେଇ। ଖେପ ଖେପ କରି, ଖେପ ଖେପ କରି।"
ଚଞ୍ଚୁ - ମଣିଷ ଥିଲେ ତ ?
ଜମ୍ବୁ - କେହି ମରି ନ ଥିବେ ମ। କାହିଁକି ସେମିତି ଭାବୁଛ ?
ଡଙ୍ଗା ଚାଲିଥାଏ। ରବି ଦେଖିଲା, ସତେ ତ, ଏତେ ବଡ଼ ଖଣ୍ଡ ପ୍ରଳୟରେ ବି ମଣିଷ ଅଛନ୍ତି। କିଏ ଅଛନ୍ତି ନଡ଼ିଆ ଗଛ ଉପରେ, କିଏ ବରଗଛ ଉପରେ ତ କିଏ ଭେଳା ଉପରେ। ତାଙ୍କର ଦୁନିଆଁ ମାଟିର ନୁହେଁ ପାଣିର, ସ୍ୱସ୍ଥିର ନୁହେଁ ଅସ୍ୱସ୍ଥିର ଉଦ୍ ବେଗ ଅସ୍ଥିରତା ଗତି ଆଉ ଅନିଶ୍ଚିତତାର, ଏଠି ଜୀବନ ମାପ ହୁଏ ଘଣ୍ଟା ମିନିଟରେ, ବର୍ଷ ମାସରେ ନୁହେଁ।
ନାହା ଦେଖିଲା ମାତ୍ରେ କୁଆଡୁ କୁଆଡୁ ପାଟି ଚହଳ ଶୁଭୁଛି। "ଆସ ଓଲ୍ହାଅ, ଆମ ଅବସ୍ଥା ଦେଖ, ଆମେ ମଲୁ - ଆକୁଳ ବିକଳ ପାଟି। ଏତେ ବଡ଼ ବଢ଼ିରେ ପଦା ମଣିଷଙ୍କୁ ଦେଖି ସେମାନଙ୍କର ଆଶା ତେଜୁଛି, ସାହାଯ୍ୟ ଆସିଛି।
ଲୋକେ କିଲିକାଲିଆ ହୋଇ ଦୌଡ଼ି ଦୌଡ଼ି ଆସୁଛନ୍ତି। ପନ୍ଝା ପନ୍ଝା ହୋଇ ପହଁରି ପହଁରି ଆସୁଛନ୍ତି, କିଏ ବେକେ କିଏ ଅଣ୍ଟାଏ ପାଣିରେ ପଶି ମାଡ଼ି ଆସୁଛନ୍ତି, ଜନ୍ଦା ପିମ୍ପୁଡ଼ି ପରି ଘେରି ଯାଉଛନ୍ତି।
ଆଶା ମଉଳି ଯାଉଛି, ଏ ସରକାରୀ ଡଙ୍ଗା ନୁହେଁ, ଟଙ୍କା କି ଅପର୍ଯ୍ୟାପ୍ତ ଦ୍ରବ୍ୟ ସାହାଯ୍ୟ ମିଳିବ ନାହିଁ। ତଥାପି ପ୍ରଥମ ସାହାଯ୍ୟ ଏତିକି, ତା'ପରେ ଆହୁରି ଆହୁରି ଆସିବ ପରା, ଖବର ଖେଳିଯିବ। ଭୋକିଲା ପେଟକୁ ଏତିକି ବହୁତ।
୪.୫.୧୯

No comments:
Post a Comment