Thursday, 2 May 2019

*ବନ୍ୟା ସାହାଯ୍ୟକାରୀ ଦଳ*

ଉରୀ ଗାଁରେ ପହଁଚିଲା ଫୁଲଶରା ଗାଁର ବନ୍ୟା ସାହଯ୍ୟକାରୀ ଦଳ। ପ୍ରଥମେ ସେମାନେ ଉରୀ ଗାଁ ଇସ୍କୁଲରେ ପହଞ୍ଚିଲେ। ସେହି କତିରେ ରାଧୁ ମାଷ୍ଟରଙ୍କ ଘର। ସେ କିଛି ଆପତ୍ତି କଲେ ନାହିଁ, ଓଲଟି ଘରୁ କାଢ଼ି ଦେଲେ ବାଲ୍ଟି, ଲୋଟା, ଦଉଡ଼ି। ନିଜେ କିପରି ସାହାଯ୍ୟକାରୀ ଦଳଙ୍କୁ ସାହାଯ୍ୟ କରିପାରିବେ ସେଥିପାଇଁ ବ୍ୟସ୍ତ ହୋଇ ପଡ଼ିଲେ। ଅଠେଇଶ, ଅଣ ତିରିଶ ବର୍ଷ ବୟସର ଯୁବକ ରାଧୁ ପୃଷ୍ଟି। ମାଟ୍ରିକୁଲେସନ ସେକେଣ୍ଡ କ୍ଲାସରୁ ପଢ଼ା ଛାଡ଼ି ଜିଲ୍ଲା ବୋର୍ଡ଼ରେ ଅଣ ତାଲିମ କାର୍ଯ୍ୟରେ ରହି ଦରମାରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷନ୍ତି, କିନ୍ତୁ ପଢ଼ିଥିବା, ପଢ଼ାଇଥିବା ସୁନୀତି ଓ ଆଦର୍ଶର ତାଉ ଏବେ ବି ମନ ଭିତରେ ରୁଗୁ ରୁଗୁ ହେଉଛି, ହାଇଁ ପାଇଁ ଲାଗେ - "କିଛି ଗୋଟାଏ ହେଲେ ହୁଅନ୍ତା ମୋ ଦେଇ, ଦେଶକାମ, ପରୋପକାର, କିଛି।"

ପ୍ରକୃତ ଆଚରଣରେ ସେ ଘଟରେ  ଚହଟିବାର ଦିଶେ ଅବସାଦ, ଉଦାସୀନତା, କେତେ ପରିମାଣରେ  ନିଷ୍କ୍ରିୟତା ବି। ସେ ତୁଣ୍ଡରୁ ଶୁଭେ ଆଶାଭଙ୍ଗା ବଙ୍କାପଦ, ସେଥିରେ କେତେବେଳେ ଲଙ୍କାମରିଚର ରାଗ ତ କେତେବେଳେ ନିମ୍ବକୋଳି ପିତା।

ରବି ରାଧୁଙ୍କୁ ଧନ୍ୟବାଦ ଦେବାରୁ ସେ କହିଲେ, "ଭଲ କାମରେ ବାହାରିଛନ୍ତି, ଘରେ ଟିକିଏ ଜାଗା ଦେବାକୁ ମନା କରିବ କୋଉ ପାଷଣ୍ଡ ! ଆଉ ଇସ୍କୁଲ ଘରର ବା କି ଅବସ୍ଥା, ଅଛାଉଣୀ ଖତିରା ଚାଳ, ତଳି ଯାକ ଗାଡ଼ ଗାଡ଼, କାନ୍ଥରେ ହୁଙ୍କା,  ନିଜେ ଦେଖିବେ ଚାଲନ୍ତୁ। କୁହୁଣ୍ଡା ତ ନାଇଁ, ତାଲା ପଡ଼ିବ କୋଉଥିରେ ? ଭଙ୍ଗା ଧତରା ଡେସ୍କ କେଇ ଖଣ୍ଡ, ସେଥିରୁ ବି କେତେ ଖଣ୍ଡ ଚୋରି କରିନେଲେଣି, ଘର ଚାଳରୁ ବତା ଓଟାରି ନେଉଛନ୍ତି, ଯାହାର ଇଚ୍ଛା ସେ ସେଠି ରହିଲା, ଚୂଲି କଲା, ପାଉଁଶ ଅଙ୍ଗାର କରି ଚାଲିଗଲା। କିଏ ଗୋରୁ ପୂରାଇ ଦେଲା ଯେ ଚଟାଣ ଯାକ ଗୋବର, ମୂତ। ମୋ କଥା ଶୁଣୁଛି କିଏ ? ଗଣି ତରେଇ ଚାହିଁ ବସିଛି ଇସ୍କୁଲଟା ଏଠୁ ଉଠିଗଲେ ସେ ଖଳା କରିବ। ମାନ ପତି ସେକ୍ରେଟାରୀ ହେଲା ଦିନଠୁ ତାଙ୍କର ବେଶି ରାଗ। ଏ ଗାଁର ଏଇ ଦୁଇ ଜଣ ତ ବଡ଼ ଧନୀ, ବାକି ସବୁ ଦୁଃଖୀ ରଙ୍କି। ଏ ଗାଁରେ ହଜାରେ ଦଳ। ଇସ୍କୁଲ ପ୍ରତି, ପାଠ ପ୍ରତି ଗାଁ ଲୋକଙ୍କର କାହାରି ନିଘା ନାହିଁ। ମୋ କଥା ଶୁଣୁଛି କିଏ ?

ଏତେ ବଡ଼ ବଢ଼ି ଆସିଛି, ଘାଇ ଭାଙ୍ଗିଛି, ଘର ଭାସୁଛି, ସେଇଥିପାଇଁ ଝଡ଼ି ବରଷାରେ ପର ଗାଁର ଲୋକ ସାହାଯ୍ୟ ଦେବାକୁ ଧାଇଁ ଆସିଛନ୍ତି, ସେହି କାରଣରୁ ଏତେ ରାତିରେ ଇସ୍କୁଲ ଘର ଦରକାର ପଡ଼ିଲା ବୋଲି ରାଧୁ ପୃଷ୍ଟିଙ୍କୁ ନିଦରୁ ଉଠାହେଲା। 

ରାଧୁ ବିଦା ହେବା ପରେ ବଇ କହିଲା, "ଗାଁ ପରିମଳ ଧୋବା ତୁଠରୁ।"

ରବି କହିଲା, ,"ଏଇ କଥା ଖାଲି ଏଇ ଗାଁର ନୁହଁ, ସବୁ ଗାଁରେ ଏମିତି କଥା ଶୁଣିବାକୁ ମିଳୁଛି। ସାହି ପଡ଼ିଶାର ଭଲ ମନ୍ଦ ଏମାନଙ୍କ ପାଇଁ ବଡ଼ ନୁହଁ, ଆଗ ମୁଁ। ଯୁଆଡ଼କୁ ଚାହିଁଲେ ଦିଶୁଥିବ ମୁଁ, ମୋର ଆଉ କିଛି ନାହିଁ। ଏମାନଙ୍କ ଦେହରେ ଆଞ୍ଚ ନ ଲାଗିଲେ ଜଗତ ପ୍ରଳୟ ହୋଇଗଲେ ମଧ୍ୟ ଏମାଙ୍କର କିଛି ଯାଏ ଆସେ ନାହିଁ।"

ବଇ କହିଲା, "ପାଣି ଯଦି ଆଉ ଟିକେ ବଢ଼ି ଏ ଉରୀ ଗାଁଟାକୁ ଭସେଇ ନେଇଥାନ୍ତା, ଏ ମାଷ୍ଟର ଥାନ୍ତା କୋଉଠି ?"

ଧୋବେଇ ମିଶ୍ର କହିଲେ, "ଭାରି ବଡ଼ ପ୍ରଶ୍ନ, ହେତୁ କରେ କିଏ ? ହୋଉ, ଅପେକ୍ଷା କର। ମାଷ୍ଟ୍ରେ ଯାଇଛନ୍ତି  ଗାଁରେ ଖବର ଦେବାକୁ।"

ରାତି ନଅଟା ବାଜିଯାଇଥାଏ। ଝଡ଼ି ବରଷା ଅନ୍ଧାରର ରାତି, ମଫସଲରେ ଖିଆପିଆ ସାରି ଶୋଇବାର ବେଳ। କିଏ ଅବା କରେ ନିଦ ଶୋଇ ସାରିଥିବେ। ତଥାପି ଖବର ପାଇ ଗୋଟିଏ ଗୋଟିଏ ଲୋକ ଗଡ଼ିଲେ। କଠୋଉ ମାଡ଼ି ଛତା ଧରି ସଙ୍ଗରେ ଲୋକ ଦି'ଜଣ ଠେଙ୍ଗା ଓ ନଲଟଣ ଧରି ଆସି ପହଞ୍ଚିଲେ। ଗଣି ତରେଇ କହିଲେ, "ଏଠିଟାରେ କାହିଁକି ? କିଏ ଆପଣମାନଙ୍କୁ ଏ ଅପନ୍ତରାକୁ ଆଣିଲା ? ଚାଲନ୍ତୁ ଆମର 'ମେଲା' ଅଛି, ସେଇଠି ରହିଯିବେ, ପାଖରେ ଠାକୁର ଘର, ସେଇଠି ଖିଆପିଆ ବ୍ୟବସ୍ଥା ହେବ। ଭଲା ଲୋକ ମାଷ୍ଟରଟା, ଟିକିଏ ବୁଦ୍ଧି ଅକଲ ନାଇଁ ?"

କୌଣସି ଯୁକ୍ତି ଆପତ୍ତି ନ ମାନି ଲୋକ ଲଗାଇ ଜିନିଷ ପତ୍ର ବୁହାଇ ସମସ୍ତିଙ୍କୁ ସଙ୍ଗରେ ନେଇଗଲେ ଗଣି ତରେଇ, ଫୁଲଶରାର ସାହାଯ୍ୟକାରୀ ଦଳ ତାଙ୍କ ଆତିଥ୍ୟ ସ୍ୱୀକାର କଲେ।

୨.୫.୧୯

No comments: