ଗଣି ତରେଇଙ୍କ ଘର ଆଗରେ କରପଟିଆ ହୋଇ ବଖରାଏ ସ୍ୱତନ୍ତ୍ର ଘର, ସାମ୍ନାରେ ଫରଚା ପିଣ୍ଡା, ସେଇ ଘରକୁ 'ମେଲା' କୁହାଯାଏ। ସାହି ସାହିରୁ ସେଠିକି ଲୋକ ଆସିଲେ। ଲୋକ ଗହଳି ଭିତରେ ଗଣି ତରେଇଙ୍କ ପେଟ୍ରୋମାକ୍ସ ଜଳୁଥାଏ। ଲୋକ ଗହଳି ଓ ଲୋକମାନଙ୍କ ବ୍ୟବହାର ଦେଖିବା ପରେ ବୁଝି ହେଉ ନ ଥିଲା କିଛି ସମୟ ପୂର୍ବରୁ ରାଧୁ ମାଷ୍ଟ୍ରେ ଏଇ ମାନଙ୍କ ବିଷୟରେ ଏତେ ବିଷ ଉଦ୍ଗାରୁ ଥିଲେ କାହିଁକି !
ଗଣି ତରେଇ କହିଲେ, "ଏଇ ତ ଦେଖୁଛନ୍ତି ଆମ ଗାଁ, ପାଟ ଭିତରେ ଢିପଟିଏ। ଏଇଠି କୋଉ ଯୁଗରୁ ଭାଇ ଦାଦି ମଉସା ଡକାଡକି ହୋଇ ଭାଇ ପଣରେ ବାନ୍ଧି ହୋଇ ଆମେ ଚଳି ଆସୁଛୁ। କଳିଯୁଗ ଘୋଟିଲା, କଳି ବଢ଼ିଲା, ବାଦ ଛିଦ୍ର ନ ଥାଇ ମଣିଷ ଏ ଯୁଗରେ ନାହାନ୍ତି, ତେବେ ଧର୍ମ ତ ଏ ଯାକେ ବୁଡ଼ି ନାହିଁ, ସତ ବି ଏକା ଥରେ ଲୋପ ହୋଇ ନାଇଁ, ଯେ ଯେଉଁ ବାଟେ ଯାଉ ଯାହା ପଛେ କରୁ ଧର୍ମ କଣ, ପାପ ପୁଣ୍ୟ ଭଲ ମନ୍ଦ କଣ ସେ ଧାରଣା ସମସ୍ତିଙ୍କଠି ଅଛି। କରିପାରିଲେ ସୁଖ ଲାଗେ, ନ କରିପାରିଲେ ଆପଣା ମନ ପାଖେ ମଣିଷ ଆପେ ଚୋର ହୁଏ।
ଆପଣମାନେ ମହତ ଲୋକ। ଏ ବଢ଼ି ଝଡ଼ି ପାଗରେ ଡଙ୍ଗା ଧରି, ସରଞ୍ଜାମ ଧରି ସାହାଯ୍ୟ କରିବାକୁ ଆସି ଆମ ଗାଆଁରେ ପହଞ୍ଚିଛନ୍ତି, ଆପଣମାନଙ୍କୁ ଦେଖି ଆମ ମନ ଉଲୁସି ଉଠୁଛି, ପେଟ ଭିତରୁ ଶ୍ରଦ୍ଧା ଆସୁଛି। ବସିବା, ଭାବିବା, ବିଚାର କରିବା, ଯାହା କହିବେ ତାହା କରିବା, ନ କରିବା କାହିଁକି ?"
ଗଣି ତରେଇଙ୍କ ବକ୍ତବ୍ୟ ସରିବା ପରେ ଗାଁର ଲୋକେ ଅନେକ କଥାକୁ ନେଇ କଥା କଟାକଟି ହେଲେ, ସମାଧାନର ରାସ୍ତା ମଧ୍ୟ ବାହାର କଲେ।
ଫୁଲଶରାରୁ ଆସିଥିବା ଧୋବେଇ ମିଶ୍ର କହିଲେ, ଏବେ କେବଳ ବିଚାର ହେଉ ଦୁସ୍ତ ଲୋକଙ୍କୁ କିପରି ସାହାଯ୍ୟ କରାଯିବ। ଉରୀ ଗାଁର ସମସ୍ତ ଦୁସ୍ତ ଲୋକଙ୍କୁ ସାହାଯ୍ୟ ଦିଆଗଲା। ତାପରେ ରବି ଦ୍ଵିତୀୟ ବିଷୟ ରଖିଲା - ଏ ଗାଁରୁ ଡଙ୍ଗା ଯିବ, ଜିନିଷ ଯିବ ଓ ସାହାଯ୍ୟକାରୀ ଯିବେ।
ଉରୀ ଗାଁରେ ସେହି ଅନ୍ଧାର ବରଷା ରାତିରେ ସତେ ଯେପରି ଏକ ନୂଆ ଜୀବନର ଜନ୍ମ ହେଲା। ଜନ୍ମାଷ୍ଟମୀ ପରି ପବିତ୍ର ତାର ସ୍ମୃତି। ସମସ୍ତେ ଉଲ୍ଲସିତ ଥିଲେ।
ସେମିତି କଟିଗଲା ଉରୀ ଗାଁରେ ରହଣୀ ରାତିଟା। ରବିର କଥାରେ କଣ ଥିଲା କେଜାଣି ସତକୁ ସତ ବଢ଼ି ସାହାଯ୍ୟ କାମରେ ଗାଁଲୋକ ମାତି ଉଠିଲେ। ତହିଁ ଆରଦିନ ସକାଳୁ ଦାୟିତ୍ୱଧାରୀମାନେ କାର୍ଯ୍ୟ ଆରମ୍ଭ କରିଦେଲେ। ଗଣି ତରେଇ, ମାନ ପତି ଆପଣା ଆପଣା ପ୍ରତିଶ୍ରୁତି ଅନୁସାରେ କିଛି କିଛି ଜିନିଷ ବାହାର କଲେ।
ରାଧୁ ମାଷ୍ଟ୍ରେ ଆସି ରବିକୁ କହିଲେ, "ସବୁ ଆପଣଙ୍କ ମହିମା ଆଜ୍ଞା, ନ ହେଲେ ଶୁଖିଲା କାଠରୁ କଣ ପାଣି ବାହାରିଥାନ୍ତା ?"
ରବି କହିଲା, "ଇଏ ଆପଣଙ୍କର ଭୁଲ ବୁଝାମଣା ଆଜ୍ଞା। ମଣିଷ ମଣିଷ, କାଠ କାଠ, ପିଣ୍ଡରେ ପ୍ରାଣ ଥିବା ଯାଏ ମଣିଷ କେବେ କାଠ ହୁଏ ନାହିଁ। ଯିଏ ଦେଲେ ସେ ଉଦାର, ମହତ ଲୋକ। ଆମେ ତ କେବଳ କହିଲୁ।
ରାଧୁ ମାଷ୍ଟ୍ରେ ଶୀତଳ ହସ ହସି ମୁଁହ ବଙ୍କେଇ କହିଲେ, "ଆପଣ ଯିବା ପରେ ଏମାନେ ପୁଣି ଯୋଉ କାଠକୁ ସେଇ କାଠ ହୋଇଯିବେ।"
ରବି ଗମ୍ଭୀର ହୋଇ କହିଲା, "ନା, ଓଲଟା କଥା ମୁଁ ଦେଖୁଛି, ଏଭଳି ବଢ଼ି ସମୟରେ ଦୁସ୍ତ ଲୋକଙ୍କ ସେବା ପାଇଁ ଆପଣଙ୍କ ମନ ବଳୁ ନାହିଁ, ଆପଣ ଏବେ ଯଦି ଦୁଃଖୀ, ପୀଡ଼ିତ ଲୋକମାନଙ୍କ ସେବା ନ କରିବେ, ଆପଣ ଏବେ ଯେମିତି ଆପଣଙ୍କ ଗାଁ ଲୋକଙ୍କୁ ସମାଲୋଚନା କରୁଛନ୍ତି, ଆପଣଙ୍କୁ ମଧ୍ୟ କାଠ ବୋଲି ଆଉ କେହି ସମାଲୋଚନା କରିବ। ତେଣୁ ଆପଣ ଆଡ଼େଇ ନ ରହି ନିଜର ନିଷ୍କ୍ରିୟତାକୁ ଭାଙ୍ଗି ଏ ଭୟଙ୍କର ବଢ଼ିରେ ନିଜ ଗାଁର ଓ ପାଖ ଆଖ ଗାଁର ସେବାରେ ଲାଗିପଡ଼ନ୍ତୁ। ଏଥିରେ କେବଳ ଲୋକଙ୍କର ଉପକାର ହେବ ନାହିଁ, ଆପଣଙ୍କୁ ମଧ୍ୟ ଆତ୍ମ ସନ୍ତୋଷ ମିଳିବ।
ଉରୀ ଗାଁ ଆଉ ରାଧୁ ମାଷ୍ଟ୍ରେଙ୍କୁ ଅପେକ୍ଷା କଲା ନାହିଁ। ଫୁଲଶରାର ସାହାଯ୍ୟକାରୀ ଦଳ ଉରୀ ଗାଁରୁ ବାହାରିବା ବେଳକୁ ସେ ଗାଁରୁ ଦୁଇ ଖଣ୍ଡି ନାହା ବି ଚାଲିଲା ତାଙ୍କ ସଙ୍ଗରେ, ବହୁ ସାହାଯ୍ୟ ସାମଗ୍ରୀ ସେଥିରେ ରହିଥିଲା।
୩.୫.୧୯

No comments:
Post a Comment