Wednesday, 8 May 2019

*ଧନ୍ୟ କହିବ ଛାତିକି*

କୂଳରେ ଲୋକେ କୁହାକୋହି ହେଉଥାନ୍ତି - "ଏ  ବିପଦ ଭିତରକୁ ଝିଅଟିକୁ ସଙ୍ଗରେ ଧରି ଚୌଧୁରୀ ନିଜେ କୁଆଡ଼େ ବାହାରିଲେ ? ଫେରିଆସ, ଫେରିଆସ, ସେମାନେ ତ ଯାଉଛନ୍ତି, ତୁମେ ପୁଣି କୁଆଡ଼େ ?"

ସିନ୍ଧୁ ଚୌଧୁରୀ ପ୍ରସନ୍ନ ହୋଇ ହସିଦେଲେ।

ଡଙ୍ଗା ଛାଡ଼ି ଦେଲା। କୂଳରେ ଥିବା ଲୋକଙ୍କ ଭିତରୁ ଉଠିଲା ଗୋଟିଏ ପ୍ରବଳ "ହରିବୋଲ" ଧ୍ଵନି। ଡଙ୍ଗାଟା ଆଖିରୁ ଅନ୍ତର ନ ହେବା ଯାଏ ସେମାନେ ଚାହିଁ ରହିଥିଲେ। ତା ପରେ ଉତ୍ତେଜନା କମି କମି ଆସିଲା।

ଆଲୋଚନା ଲାଗିଗଲା -

ଆଜି ଫେରିବେଟି ?

"କିଏ କହି ପାରିବ ? ବଢ଼ିଲା ନଈ କଥା।"

"ଯାହାତ ହେବାର ହୋଇଯିବଣି, ଯାଇ ଆଉ କଣ କାହାକୁ ରକ୍ଷା ରକ୍ଷଣ କରି ହେବ ?"

"ସେକଥା କିଏ କହିବ ? ମଣିଷ ହାତରେ ଅଛି ଚେଷ୍ଟା କରିବ, ତେଣିକି -"

"ଧନ୍ୟ କହିବ ଛାତିକି !"

"ଏଇଆଙ୍କୁ ଯେ କହିବ ମଣିଷ।"

ବୈରୀପୁରର ଗଗନ ସାହୁ ବୁଝେଇ ବସିଲେ - "ଆରେ ବାବୁ ଏଇଟା ତ ସେମାନଙ୍କର ଦୀକ୍ଷା ହେଇଚି, ଏ କଣ ଖାଲି ଲୋକଦେଖାଣିଆ କାମ ? ତାଙ୍କ ସାଙ୍ଗରେ ଓଳିଏ  ରହିଗଲେ ଲୋକ ଆପେ ବୁଝିପାରିବ। ପର ଆପଣା ନାହିଁ, ଫୁଲଶରା ଗାଁ ଗୋଟାକଯାକ ସତେ କି ଗୋଟିଏ ପରିବାର। କୋଠରେ ଚାଷ, କୋଠରେ ଚଳଣି, ସମସ୍ତେ ଆପଣାକୁ ଛାଡ଼ି ଦେଇ ଆଉ ସମସ୍ତିଙ୍କ ହିତ କରିବାକୁ ଲାଗିପଡ଼ିଚନ୍ତି। ଈଶ୍ୱରଙ୍କ ଠେଇଁ ଭକ୍ତି ଊଣା ନାଇଁ, ଏଣେ ମଣିଷକୁ ଧରିଛନ୍ତି ଅସଲ ଠାକୁର ବୋଲି। ସେ କେତେ କଥା, ପୁରାଣବୋଲା ନୁହେଁ, ଫୁଲଶରା ଗଲେ କାମରେ ଦେଖିବ। ସେମିତି ଲୋକଙ୍କୁ - ମଣିଷ ବିପଦରେ ପଡ଼ିଛନ୍ତି ବୋଲି ମନରେ ଜାଗିଗଲେ ତ ବାଇ ଲାଗିଯାଉଚି ଛାଏଁ ଛାଏଁ, କିଏ କଅଣ ବତେଇଚି ନା ଭେଳେଇଚି ?"

ବାନାମ୍ବର ଭୂୟାଁ ମୁଣ୍ଡ ହଲେଇ କହିଲେ - ସତ କଥା। ମଣିଷ ଆଖିରେ ନ ଦେଖିଲେ ବିଶ୍ୱାସ କରିବ ନାହିଁ। ମଣିଷର ଆତ୍ମାକୁ ହୃଦକୁ ଯେ ଚିହ୍ନିଚନ୍ତି ସେମାନେ। ଧନ୍ୟ କହିବ ! ଜାତି ଅଜାତି ନାଇଁ, ସାହୁ ଖାତକ ନାହିଁ, ଏତେ ଟିକେ ବୋଲି ଅଳସ ନାହିଁ। ଆଗ ଏଇ ନଈବଢ଼ି କାମରୁ ଦେଖୁନା, ଅଖିଆ ଅପିଆ ରାତିଦିନ ଖଟି ଖଟି କମି ଲୋକଙ୍କ ଉପକାର ସେ କଲେଣି !

ହୁର୍ଦୁ ସେଠୀ କହିଲା, "ସେଠିକୁ ଯିଏ ଗଲା, ସେ ସେଠି ଲାଖିଗଲା।"

ବିକା ମୁଦୁଲି କହିଲା, "ଆଃ, ସରଗ ତ ସେଇ, ମନ ଦେଲେ ହବନା -- "

ଏଇ ଦେଖ ସିନ୍ଧୁ ଚୌଧୁରୀ, କେଡ଼େ  ଘରର ମଣିଷ, ଅଇଛା କେମିତି ମନ ! ଏ ଗାଁରେ ଏମିତି ଲୋକ ବି ତ ଅଛନ୍ତି।

୮.୫.୧୯

No comments: