Wednesday, 25 July 2018

*ତ୍ରିବିଧ ଦୀପ*

ବହୁ ସଂଖ୍ୟକ ସୈନ୍ୟ ଥିଲେ ଯୁଦ୍ଧ ଜିଣିବା ସହଜ ହୋଇଯାଏ। ମଗଧ ପାଖରେ ଥିଲା ପର୍ଯ୍ୟାପ୍ତ ପଦାତିକ, ଅଶ୍ୱ ଓ ହାତୀ ଦଳ। ଏହି ସୈନ୍ୟବଳ ଭରସାରେ ମୁସ୍ତାକ ଶକ ଆକ୍ରମଣ କରିବାର ବାହାନା କରି ଗଣ ରାଜ୍ୟ ଅଧିକାର କରିବାକୁ ଚାହୁଁଥିଲା। ଏଥିରେ ମଧ୍ୟ ବହୁ ମାତ୍ରାରେ ସଫଳ ହେଲା। କିନ୍ତୁ ଗଣ ରାଜ୍ୟର ଉଦ୍ଦାତ୍ତ ଶୌର୍ଯ୍ୟ ପ୍ରଦର୍ଶନ ପାଖରେ ମଗଧର ବିପୁଳ ସେନା କିଛି କାମ ଦେଲା ନାହିଁ। ମଗଧର ରାଜସିକ ସେନାଙ୍କ ଶୌର୍ଯ୍ୟ ଠାରୁ ଅତି ଭୟାନକ ଥିଲା ତାମସିକ ସେନାର ଆକ୍ରମଣ। ଶକ ମାନଙ୍କର ତାମସିକ ସୈନ୍ୟ ନୀତି ନିୟମ ବିବର୍ଜିତ ହୋଇ ରାସ୍ତାରେ ପଡୁଥିବା ଗାଁ କୁ ଲୁଟୁ ଥିଲେ, ହତ୍ୟା କରୁଥିଲେ, ଝିଅ ବୋହୂଙ୍କୁ ବଳାତ୍କାର କରୁଥିଲେ। ଭୌତିକ ସମ୍ପତ୍ତି ହାସଲ କରିବା ଓ ଏଥିପାଇଁ ଶାରୀରିକ ବଳ ପ୍ରୟୋଗ କରିବା ହିଁ ତାଙ୍କର କାର୍ଯ୍ୟ ଥିଲା। ଏହାକୁ ଶୌର୍ଯ୍ୟ କୁହାଯାଇ ପାରିବ ନାହିଁ। କେବଳ ଶରୀର ବଳ ଓ ଜବରଦସ୍ତ ପ୍ରବୃତ୍ତି ଭିତରେ ଏମାନେ ସୀମିତ ଥିଲେ।
ମହର୍ଷି ଏଲ ନିଜର ସାରସ୍ୱତ ସାଧନା ଦ୍ୱାରା ଶରୀର ବଳରେ ପ୍ରବୃତ୍ତ ଆସୁରିକ ନୃତ୍ୟରେ ଉନ୍ମାଦ ସୈନ୍ୟଙ୍କୁ ଠିକ୍ ବାଟ ବତାଇଛନ୍ତି। ମୈନେନ୍ଦ୍ର-କୃଷ୍ଣାର ବିବାହ ଭୋଜିରେ ଶକ ସର୍ଦାର ମାନଙ୍କୁ ହୀରା, ମୋତି ଓ ସୁନା ଥାଳିରେ ଭୋଜନ ପରସିଛନ୍ତି। ତା'ପରେ ସେମାନଙ୍କ ସହ ସୁସମ୍ବାଦ କରି ତାଙ୍କର ସାରସ୍ୱତ ସାଧନାର ଅଭିବ୍ୟକ୍ତି ଦ୍ୱାରା ଶକ ସୈନ୍ୟ ଓ ମହେନ୍ଦ୍ରଙ୍କୁ ପ୍ରଜା କଲ୍ୟାଣକାରୀ ଭାବନାରେ ପ୍ରେରିତ କରିଛନ୍ତି।

ଗଣ ରାଜ୍ୟର ସଂସ୍କାରବଦ୍ଧ, ପ୍ରଶିକ୍ଷିତ, ସୁନିୟୋଜିତ ଧର୍ମାନୁରାଗୀ ସୈନ୍ୟ ଉଦ୍ଦାତ୍ତ ଶୌର୍ଯ୍ୟର ପ୍ରଦର୍ଶନ କରିଛନ୍ତି। ସେମାନେ ନିଜେ ଆହତ ହୋଇ ମଧ୍ୟ କେବେ ପ୍ରଜାଙ୍କ ଅନିଷ୍ଟ କରିନାହାନ୍ତି। ଯୁଗ ଯୁଗରୁ  ପ୍ରଜା ଜୀବନକୁ ଏହିପରି ଶୌର୍ଯ୍ୟ ଦ୍ୱାରା ସୁରକ୍ଷା ଓ ସମ୍ବଳ ମିଳିଆସିଛି।

ଦୀପ ନିର୍ବାଣ ଉପନ୍ୟାସରେ ଏହିପରି ଶୌର୍ଯ୍ୟର ପ୍ରକାଶନରେ ତତ୍କାଳୀନ ଅସ୍ତ୍ର ଶସ୍ତ୍ରର ପ୍ରଶିକ୍ଷଣ, ବ୍ୟୁହ ରଚନା, ଆକ୍ରମଣର ସମୟ ନିର୍ଘଣ୍ଟ, ସୈନ୍ୟର ମନସ୍ଥିତି ଦେଖିବାକୁ ମିଳେ। ଉପନ୍ୟାସରେ ଐତିହାସିକ ସତ୍ୟକୁ ବଜାୟ ରଖିବାକୁ 'ଦର୍ଶକ' ସମ୍ପୂର୍ଣ୍ଣ ଚେଷ୍ଟା କରିଛନ୍ତି। ଏହା ଗୁଜୁରାଟୀ ସାହିତ୍ୟର ସୌଭାଗ୍ୟ ଯେ ପ୍ରାଚୀନ ଭାରତର ଧର୍ମପ୍ରାଣିତ ଶୌର୍ଯ୍ୟ, ଭାରତର ସମ୍ମାନ ଓ ମୌଳିକ ପରିଚୟକୁ ସର୍ବ ସମକ୍ଷରେ ପରିଚିତ କରାଇବାରେ ସମର୍ଥ ହୋଇଛି।

ଆଧୁନିକ ଭାରତର ସ୍ବାଧୀନତା ସଂଗ୍ରାମର ଭୁକ୍ତଭୋଗୀ 'ଦର୍ଶକ' (ଔପନ୍ୟାସିକ) କେବଳ ଦର୍ଶକ ନ ଥିଲେ ବରଂ ସକ୍ରିୟ ସହଭାଗୀ ଥିଲେ।

ତାଙ୍କର ଏହି ଆମର କୃତିରେ ରହିଛି ଶୌର୍ଯ୍ୟ ତେଜଦୀପ, ସର୍ଜକ ତେଜଦୀପ ଓ ଆତ୍ମତେଜଦୀପ। ଏହି ତ୍ରିବିଧ ଦୀପର ସମାହାରରେ ତାଙ୍କର କୃତି ଆମ ସମାଜକୁ ଉଜ୍ଜ୍ୱଳ ଆଭା ପ୍ରଦାନ କରିଚାଲିଛି।

୨୫. ୭. ୧୮

No comments: