ଦେବେନ୍ଦ୍ର ସତ୍ୟାର୍ଥୀ ତାଙ୍କ 'ବେଲା ଫୁଲେ ଆଧୀ ରାତ' ପୁସ୍ତକରେ କବିଗୁରୁ ରବୀନ୍ଦ୍ରନାଥଙ୍କ ଭାଷଣର ଏକ ଅଂଶ ଉଦ୍ଧୃତ କରି କହିଛନ୍ତି -
"ପିଲାବେଳେ ମୁଁ ଇତିହାସ ପଢ଼ିବା ଆରମ୍ଭ କରିଦେଇଥିଲି। ପ୍ରତିଦିନ ମୋତେ ରାଜନୈତିକ ବୀରମାନଙ୍କ ମଧ୍ୟରେ ସିକନ୍ଦରଠୁ ଆରମ୍ଭ କରି କ୍ଲାଇବ ପର୍ଯ୍ୟନ୍ତ କ୍ରମଶଃ ଭାରତକୁ ପରାଜିତ ତଥା ଅପମାନ ଦେଇଥିବା କାହାଣୀର ନାଁ ତଥା ତିଥି ମନେ ରଖିବାକୁ ହେଉଥିଲା। ରାଷ୍ଟ୍ରୀୟ ଲଜ୍ଜାର ଏଇ ଐତିହାସିକ ମରୁଭୂମିରେ ଯଦି କେଉଁଠି କିଛି ସବୁଜିମା ଦେଖାଯାଉଥିଲା ତାହା ଥିଲା ରାଜପୁତ ବୀରମାନଙ୍କର କାର୍ଯ୍ୟ।"
ରାଜପୁତାନାର ବୀରମାନଙ୍କ ମଧ୍ୟରେ ମହାରାଣା ପ୍ରତାପଙ୍କ ଶୌର୍ଯ୍ୟ ଏତେ ପ୍ରସିଦ୍ଧ ଯେ ମାଆମାନେ ପ୍ରତାପଙ୍କ ପରି ପୁତ୍ର ଜନ୍ମ ଦେବାକୁ ପ୍ରାର୍ଥନା କରିଥାନ୍ତି। ଯାହାଙ୍କ ସ୍ମରଣ ମାତ୍ରେ ଆକବର ଭଳି ପ୍ରବଳ ଶତ୍ରୁର ନିଦ ହଜିଯାଉଥିଲା। ସେ ଅନୁଭବ କରୁଥିଲା ସତେ ଯେପରି ତାକୁ ବିଷଧର ସର୍ପ ଦଂଶନ କରିଛି।
ମାଇ ଏହା ପୂତ ଜଣ ଜୈହା ରାଣା ପ୍ରତାପ।
ଅକବର ସୂତୋ ଓଝକୈ ଜାଣ ସିରାନୈ ସାଁପ।।
ଆଉ ଏକ ଦୋହାରେ କବି ରାଜସ୍ଥାନୀ ବୀରଙ୍କ ବୀରତ୍ବର ବଡ଼ ମାର୍ମିକ ବର୍ଣ୍ଣନା କରିଛନ୍ତି। ରାଜପୁତ ବୀର ଯୁଦ୍ଧ କ୍ଷେତ୍ରରେ ଲଢ଼ି ମୃତ୍ୟୁ ବରଣ କରିଛି। ତା'ର କ୍ଷତ ବିକ୍ଷତ ଦେହରୁ ଗୀଧ କଲିଜା ଖାଇ ଦେଇଛି, ଚିଲ ହୃତପିଣ୍ଡ ନେଇଯାଇଛି, କାଉ ଅନ୍ତନାଡ଼ି ସବୁ ନେଇଯାଇଛି ତା' ପରେ ମଧ୍ୟ ତା'ର ସ୍ତ୍ରୀ ଟାଣି ହୋଇ ଯାଇଥିବା ନିଶରୁ ନିଜ ସ୍ୱାମୀକୁ ଚିହ୍ନି ପାରିଛି -
ଗୀଧ କଲେଜୋ ଚୀଲ ଉର କାକା ଆଁତ ବିଲାଇ।
ତୋ ଭି ସୋଧକ କଂତରୀ ମୁଛା-ଭୋଂହ ମିଳାଇ।।
ଅନ୍ୟ ଏକ ଦୋହାରେ ରାଜପୁତ ବୀରର ପତ୍ନୀ, ଚାରଣଙ୍କୁ କିଛି ସମୟ ପାଇଁ କବିତା ପାଠ ବନ୍ଦ କରିଦେବାକୁ ନିବେଦନ କରି କହୁଛି -
ଯୁଦ୍ଧରେ ମୋର ପତିଙ୍କ ସମ୍ପୂର୍ଣ୍ଣ ଶରୀର ଘାଆରେ ଭର୍ତ୍ତି ହୋଇଯାଇଛି। ଶରୀରର ପ୍ରତ୍ୟେକ ସ୍ଥାନରେ ତୀର ବାଜିଛି। ମୋତେ ଭୟ ହେଉଛି ଯେ ତୁମର ଏଇ ବୀର ରସର କବିତା ଶୁଣି ଏଇ ତାଜା ଘାଆ ସହିତ ସେ ପୁଣି ଯୁଦ୍ଧ ଭୂମିକୁ ଚାଲି ଯିବେ ନି ତ ?
ତନ ତଲୱାର ତିଲଛିୟୋ ତିଲ-ତିଲ ଉପର ସିୱ।
ଆଲା ଧାବା ଉଠସୀ ଛିନ ୟକ ଠହର ନକୀୱ।।
୧୮. ୭. ୧୮

No comments:
Post a Comment