Thursday, 19 July 2018

*ଗୁଜୁରାଟୀ ସାହିତ୍ୟରେ ଶୌର୍ଯ୍ୟ*

ଇତିହାସର ଏପରି କିଛି ଘଟଣା ଥାଏ ଯାହା ଔପନ୍ୟାସିକମାନଙ୍କୁ ଆକର୍ଷିତ କରିଥାଏ । ଯେଉଁଥିରେ ଲୁଚିରହିଥିବା ରାଷ୍ଟ୍ରୀୟ ଅସ୍ମିତାକୁ ଲୋକମାନଙ୍କ ଭିତରେ ଜାଗ୍ରତ ରଖିବା ପାଇଁ  ସେମାନେ ସଫଳତାର ସହ ପୁରୁଷାର୍ଥ କରିଥାନ୍ତି। ଗୁଜୁରାଟୀ ସାହିତ୍ୟରେ ଗାନ୍ଧି ଯୁଗ ଓ ଗାନ୍ଧିଙ୍କ ପରବର୍ତ୍ତୀ ଯୁଗର ସୁନାମଧନ୍ୟ ଔପନ୍ୟାସିକ ଶ୍ରୀ ମନୁଭାଇ ପଂଚୋଲୀ - "ଦର୍ଶକ" (୧୯୧୪) - ଆଜକୁ ୨୦୦୦ ବର୍ଷ ପୂର୍ବର କାଳଖଣ୍ଡକୁ ପାର୍ଶ୍ଵଭୂମି କରି ଏକ ଐତିହାସିକ ଉପନ୍ୟାସ "ଦୀପ ନିର୍ବାଣ" ଲେଖିଛନ୍ତି। "ଦର୍ଶକ"ଙ୍କୁ ଯେତେବେଳେ ପନ୍ଦର ବର୍ଷ ହୋଇଥିଲା ସେ ଗାନ୍ଧିଜୀଙ୍କ ଦ୍ୱାରା ପ୍ରେରିତ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବାପାଇଁ ଭାବ ବିହ୍ଵଳ ହୋଇ ବିଦ୍ୟାଳୟ ପଢ଼ାରେ ଡୋରୀ ବାନ୍ଧି ଦେଇ ଥିଲେ। ଏତେ କମ୍ ବୟସରେ ମଧ୍ୟ ଆନ୍ଦୋଳନରେ ଭାଗ ନେଇ କାରାବରଣ କଲେ। କାରାଗାରରେ ଥିବା ସମୟରେ ଭାରତର ଇତିହାସକୁ ଗଭୀର ଭାବେ ଅଧ୍ୟୟନ କଲେ। ସେହି ସମୟରୁ ତାଙ୍କ ଜୀବନ ସ୍ୱାଧୀନତା ସଂଗ୍ରାମ ତଥା ଲୋକହିତ ପ୍ରବୃତ୍ତି, ଇତିହାସ, ସାହିତ୍ୟ ଏବଂ କଳା ଇତ୍ୟାଦି ଭଳି ସାଂସ୍କୃତିକ ପ୍ରବୃତ୍ତିର ଅଧ୍ୟୟନ ସଦୃଶ ଉଭୟ ମାର୍ଗରେ ସମାନ ଗତିରେ ଚାଲୁଥିଲା। ଲୋକ ଭାରତୀ  - ଗ୍ରାମ୍ୟ ଶିକ୍ଷଣ ସଂସ୍ଥା ଏବଂ ୧୭ ବର୍ଷରୁ ସୃଜନଶୀଳ ଲେଖନୀ କାର୍ଯ୍ୟ ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଚାଲୁ ରଖିଥିଲେ। ତାଙ୍କ ସୃଜନ ଭିତରେ ଥିଲା ଉପନ୍ୟାସ, ନାଟକ, ଐତିହାସିକ ଏବଂ ସାହିତ୍ୟିକ ଗବେଷଣା, ଶିକ୍ଷା ସମ୍ବନ୍ଧିତ ତତ୍ତ୍ୱ ଲେଖନ ଆଦି ମୋଟ ପଇଁତିରିଶ ଖଣ୍ଡ ପୁସ୍ତକ। ତାଙ୍କର ସମସ୍ତ ପୁସ୍ତକ ଜୀବନ ଧର୍ମୀ। ତାଙ୍କୁ ପ୍ରତିଷ୍ଠିତ ମୂର୍ତ୍ତିଦେବୀ ପୁରସ୍କାର ମିଳିଥିଲା।

"ଦର୍ଶକ" ଭାରତୀୟ ଓ ବିଦେଶ ପୃଷ୍ଠଭୂମି ଉପରେ ଆଧାରିତ ଅନେକ ଐତିହାସିକ ଉପନ୍ୟାସ ଲେଖିଛନ୍ତି। ତା'ଭିତରୁ "ଦୀପ ନିର୍ବାଣ" (୧୯୪୪) ଯଶ ପ୍ରାପ୍ତ କୃତି ଅଟେ। ଭାରତରେ ପ୍ରାଚୀନ କାଳର ଗଣରାଜ୍ୟଗୁଡ଼ିକ ଅନେକ ଦିନ ଧରି ତିଷ୍ଠି ରହିଥିଲା। କିନ୍ତୁ ସାମ୍ରାଜ୍ୟବାଦ, ବିଦେଶୀ ଆକ୍ରମଣ  ଆଦି ଅନେକ କାରଣରୁ ଏହା ଧ୍ୱଂସ ହୋଇଗଲା। "ଦୀପ ନିର୍ବାଣ"ର ସମୟ ଆଜିଠାରୁ ଦୁଇ ହଜାର ବର୍ଷ ପୂର୍ବର ଅଟେ। ସେ ସମୟରେ ତିନୋଟି ଗଣରାଜ୍ୟ ମଗଧ ସାମ୍ରାଜ୍ୟରେ ବିଲୟ ହୋଇଯାଇଥିଲା। ବାକି ତିନୋଟି ଗଣରାଜ୍ୟ ମାଲବଣକ, ବ୍ରାହ୍ମଣକ ଓ କଠ ନିଜ ଅସ୍ମିତା ଓ ଅସ୍ତିତ୍ୱ ପାଇଁ ଲଢ଼େଇ କରୁଥିଲେ। "ଦର୍ଶକ" ଙ୍କ ଭିତରେ ଥିବା ସର୍ଜନଶୀଳ ଓ ଜୀବନ ଧର୍ମୀ ସଂସ୍କୃତିର ସଂସ୍କାର ଦ୍ୱାରା ଏହି କୃତି ଏତେ ଜୀବନ୍ତ ହୋଇଛି ଯେ ତାକୁ ପଢ଼ିଲେ ଏପରି ଲାଗିବ ଆମେ ସତେ ଯେପରି ଦୁଇ ହଜାର ବର୍ଷ ପୂର୍ବର ସେହି କାଳଖଣ୍ଡରେ ବିଚରଣ କରୁଛନ୍ତି।

୨୦. ୭. ୧୮

No comments: