ବ୍ୟକ୍ତିର ସୁଦୃଢ଼ ଶରୀର ଥିଲେ ମଧ୍ୟ ଯଦି ତା' ପାଖରେ ଦୃଢ଼ ମନୋବଳ ଓ ଆତ୍ମବଳ ନ ଥାଏ ତେବେ କଠିନରୁ କଠିନ ପରିସ୍ଥିତିରେ ଲକ୍ଷ୍ୟ ପ୍ରାପ୍ତି କରିବା ଅସମ୍ଭବ ହୋଇପଡ଼େ। ତେଣୁ ଦୀପ ନିର୍ବାଣ ଉପନ୍ୟାସରେ ଉପନ୍ୟାସକାର 'ଦର୍ଶକ' ଏଇଭଳି କିଛି ଦୃଢ଼ ମନୋବଳ ଓ ଆତ୍ମବଳ ଥିବା ଚରିତ୍ର ବାଛିଛନ୍ତି। ମାଳବକ ଗଣ ରାଜ୍ୟର ମହାକଶ୍ୟପ, ନଗରଶ୍ରେଷ୍ଠୀ, କଠ କନ୍ୟା ରୋହିଣୀ, ବ୍ରାହ୍ମଣକ ଗଣନାୟକ ଆସଙ୍ଗ, କୈକେୟ କନ୍ୟା କୃଷ୍ଣା ଆଦି ଏଇ ଶ୍ରେଣୀର ଚରିତ୍ର। କୈକେୟ କନ୍ୟା କୃଷ୍ଣା ତ ମୃତ୍ୟୁକୁ ଖାତର ନ କରି ଆନନ୍ଦ ଓ ଚାରୁଦତ୍ତଙ୍କ ସହ ଯୁଦ୍ଧ ଭୂମିରେ ପହଞ୍ଚି ଯାଇଛି। ସେଠାରେ ଦେଖିଛି ତାର ବାଲ୍ୟ ସାଥି ତଥା ଏଲଙ୍କ ଆଶ୍ରମରେ ପଢ଼ୁଥିବା ସହପାଠୀ ମୈନେନ୍ଦ୍ର ଶତ୍ରୁ ପକ୍ଷର ନେତୃତ୍ୱ ନେଉଛି। ସେଥିରୁ ତାକୁ ନିବୃତ୍ତ କରିବାରେ କୃଷ୍ଣା ସଫଳ ହୋଇଛି। କୃଷ୍ଣାର ଶୌର୍ଯ୍ୟ, ଆନନ୍ଦଙ୍କ ସଂଯମିତ ଜୀବନ, ସାଧୁ ଚାରୁଦତ୍ତଙ୍କ ସାଧୁତ୍ୱଭରା ଧର୍ମଶୌର୍ଯ୍ୟକୁ ଔପନ୍ୟାସିକ ବଡ଼ ସୁନ୍ଦର ଢଙ୍ଗରେ ଉପସ୍ଥାପନ କରିଛନ୍ତି।
ଏଠାରେ ସେ ବେଶୀ ମହତ୍ତ୍ୱ ଦେଇଛନ୍ତି ଆତ୍ମିକ ଶୌର୍ଯ୍ୟକୁ। ମହର୍ଷି ମହାକଶ୍ୟପ ଓ ମହର୍ଷି ଏଲ ଏହି ଉପନ୍ୟାସରେ ଆତ୍ମିକ ଶୌର୍ଯ୍ୟକୁ ଚରିତାର୍ଥ କରିଛନ୍ତି। ଏଭଳି ତପୋପୂତ ଆତ୍ମିକ ଶୌର୍ଯ୍ୟର ସାଧନା ଜୀବନଭରି କରୁଥିବା ଋଷିଗଣ ହିଁ ଆମ ଭାରତୀୟ ସଂସ୍କୃତିର ମେରୁଦଣ୍ଡ ସଦୃଶ। ଏମାନଙ୍କ ଜୀବନ ଆମ ପାଇଁ ଶାଶ୍ୱତ ପ୍ରେରଣାର ସ୍ରୋତ।
୨୨. ୭. ୧୮

No comments:
Post a Comment