ଯୌଥ ପରିବାର ବ୍ୟବସ୍ଥା ଭାରତୀୟ ସମାଜ ଜୀବନର ମେରୁଦଣ୍ଡ ଅଟେ। ଡ. ମୋହିନୀ ଶର୍ମାଙ୍କ ଅନୁସାରେ ସାଂସ୍କୃତିକ ଉତ୍ଥାନ ପାଇଁ ଅପେକ୍ଷିତ ପ୍ରେମ, ଦୟା, ସହାନୁଭୂତି, ସହଯୋଗ ଆଦି ଉଚ୍ଚକୋଟୀର ସମ୍ବେଦନାର ବିକାଶ ଯୌଥ ପରିବାରରୁ ହିଁ ହୋଇପାରେ। କିନ୍ତୁ ଆଧୁନିକତା ଓ ବ୍ୟକ୍ତି ସ୍ୱାର୍ଥର ପ୍ରସାର ତଥା ଔଦ୍ୟୋଗିକରଣ ଓ ସହରୀକରଣର ବିକାଶ ସହିତ ସେହି ସମ୍ବେଦନଗୁଡ଼ିକ ଉଦାସୀନତାରେ ପରିବର୍ତ୍ତିତ ହେବାରେ ଲାଗିଛି। ପରିଣାମସ୍ୱରୂପ ଯୌଥ ପରିବାର ଭାଙ୍ଗିଯାଇ ଅଣୁ ବା କ୍ଷୁଦ୍ର ପରିବାରରେ ପରିବର୍ତ୍ତିତ ହେବାରେ ଲାଗିଛି ନତୁବା ମିଳିତ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସେହି ବୈମନସ୍ୟ, ଦ୍ୱେଷ ଓ କଳହ ଉଦ୍ରେକ ହେଉଛି।
ସମକାଳୀନ କବି ପରିବେଶଗତ ଅନାସ୍ଥା, କୁଣ୍ଠା, ଅବିଶ୍ଵାସ ଓ ସଂଶୟକୁ କବିତାରେ ତ୍ୟାଜ୍ୟ ନ ମାନି କାବ୍ୟର ପ୍ରେରକ ବୋଲି ମାନୁଛନ୍ତି ଏବଂ କବିତାଗୁଡ଼ିକରେ ଯୌଥ ପରିବାର ବିଘଟନରୁ ଉତ୍ପନ୍ନ ସମସ୍ୟା ଗୁଡ଼ିକର ପ୍ରତିଛବି ଦୃଷ୍ଟିଗୋଚର ହେଉଛି। ଷାଠିଏ ଦଶକର ପରବର୍ତ୍ତୀ ସମୟରୁ ପାରିବାରିକ ସମ୍ବନ୍ଧରେ ବୃଦ୍ଧି ପାଉଥିବା କ୍ରୋଧ, ବିଷାଦ, ଅସ୍ଥିରତା, ଅବିଶ୍ୱାସ ଆଦିକୁ ଦେଖି କବିମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ସ୍ତ୍ରୀ ପୁରୁଷ ସମ୍ବନ୍ଧରେ ମର୍ଯ୍ୟାଦା ଏବଂ ତ୍ୟାଗ ସ୍ଥାନରେ ଅହଂ ଓ ଭୋଗ ପ୍ରବୃତ୍ତି ଉତ୍କଟ ହେବାରେ ଲାଗିଛି। ପ୍ରଗତିଶୀଳ ଦୃଷ୍ଟିକୋଣର ପରିଚୟ ଦେଇ ଭାଙ୍ଗିଯାଉଥିବା ପାରିବାରିକ ସମ୍ବନ୍ଧ କିପରି ପୁଣିଥରେ ଯୋଡ଼ି ହୋଇପାରିବ ତା'ରି ଉପରେ ସମକାଳୀନ କବିମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।
୩. ୭. ୧୮

No comments:
Post a Comment