ଆଦି କବି ବାଲ୍ମିକୀଙ୍କ ବନ୍ଦନାରେ ଦୁଇଟି ପ୍ରସିଦ୍ଧ ଶ୍ଳୋକ ଅଛି। ତାହା ହେଲା -
କୂଜନ୍ତଂ ରାମରାମେତି ମଧୁରଂ ମଧୁରାକ୍ଷରଂ।
ଆରୁହ୍ବା କବିତା ଶାଖାଂ, ବନ୍ଦେ ବାଲ୍ମୀକି କୋକିଳଂ।।
ବାଲ୍ମୀକି କବି ସିଂହସ୍ୟ କବିତା ବନାଚାରିଣଃ।
ଶ୍ରୁଣୱନ ରାମ କଥା ନାଦଂ, କୋ ନ ୟାତି ପରମ ଗତିଂ।।
ପ୍ରଥମ ଶ୍ଳୋକରେ କବିଙ୍କୁ କୋଇଲି କହି ତାଙ୍କର ଶବ୍ଦ ମାଧୁର୍ଯ୍ୟର ପ୍ରଶଂସା କରାଯାଇଛି। ଦ୍ଵିତୀୟ ଶ୍ଳୋକରେ ତାଙ୍କୁ କବିତାର ବଣରେ ବିଚରଣ କରୁଥିବା ସିଂହ କହି ବନ୍ଦନା କରାଯାଇଛି। ସିଂହ ତ ଶୌର୍ଯ୍ୟର ପ୍ରକଟ ପ୍ରତୀକ ଅଟେ। କିନ୍ତୁ କବି ନିଜ କବିତାକୁ ଜନପ୍ରିୟ ଓ ଜନକଲ୍ୟାଣକାରୀ କରିବାପାଇଁ ଶବ୍ଦ ମାଧୁର୍ଯ୍ୟ, ଅର୍ଥ ଗାମ୍ଭୀର୍ଯ୍ୟ ତଥା ଭାବୋଦ୍ଦାତତାର ଯେଉଁ କଠୋର ସାଧନା କରେ, ତାହା ମଧ୍ୟ ଶୌର୍ଯ୍ୟଠାରୁ କିଛି କମ୍ ନୁହେଁ।
କ୍ରୋଞ୍ଚ ବଧକୁ ଦେଖି ବଲ୍ମୀକିଙ୍କ କରୁଣା ବିଗଳିତ କଣ୍ଠରୁ କାବ୍ୟ ସୃଷ୍ଟି ହେଲା। ଏହି ଘଟଣାକୁ ନେଇ କରୁଣା କାବ୍ୟର ମୂଳମନ୍ତ୍ର ରୂପେ ପ୍ରତିଷ୍ଠିତ ହେଲା।
କବିତା ଜନ୍ମର ସେହି ପ୍ରଥମ ଘଟଣାର ଅତ୍ୟଧିକ ଚର୍ଚ୍ଚା ଭିତରେ ଏ କଥା ହଜିଗଲା ଯେ କରୁଣା ରୂପକ ବୀଜରୁ ଅନ୍ତତଃ ରାମାୟଣ ମହାକାବ୍ୟ ରୂପେ ବିଶ୍ୱକୁ ଏକ ମହାନ ଶୌର୍ଯ୍ୟଗାଥାର ବିଶାଳ ବଟବୃକ୍ଷ ଉପଲବ୍ଧ ହୋଇଛି।
ବସ୍ତୁତଃ କରୁଣା ଜନ କଲ୍ୟାଣକାରୀ ଶୌର୍ଯ୍ୟରେ ପ୍ରତିଫଳିତ ହୋଇ ମୂଲ୍ୟବାନ ହୋଇଯାଏ। ଏଣୁ କରୁଣା ଯଦି କବିତାର ଉତ୍ସ ହୁଏ ତେବେ ଶୌର୍ଯ୍ୟ ହୁଏ ତାହାର ଉପଲବ୍ଧି।
୧୭. ୭. ୧୮

No comments:
Post a Comment