Tuesday, 24 July 2018

*ମହର୍ଷି ଏଲ*

ଆତ୍ମବଳର ଉଜ୍ଜ୍ୱଳ ଉଦାହରଣ ହେଲେ ତକ୍ଷଶିଳାର ରକ୍ଷକ ମହର୍ଷି ଏଲ। ସିକନ୍ଦରଙ୍କ ଆକ୍ରମଣ ଦ୍ୱାରା ଭଗ୍ନସ୍ତୁପରେ ପରିଣତ ହୋଇଯାଇଥିବା ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟକୁ ସେ ଛାଡ଼ି ପଳାଇଲେ ନାହିଁ। ସେ ବିଶ୍ୱବିଦ୍ୟାଳୟର ସରସ୍ୱତୀ ପ୍ରତିଷ୍ଠାନ ଓ ଗ୍ରନ୍ଥାଳୟର ପ୍ରହରୀ ଭଳି କାମ କଲେ। ନିଜର ବିଦ୍ୟା ବୁଦ୍ଧି ସଂସ୍କାରରେ କୌଣସି ପ୍ରକାର ଆଞ୍ଚ ଆଣିବାକୁ ଦେଲେ ନାହିଁ। ଦୃଢ଼ ମନୋବଳ ଥିବା ବହୁତ କମ୍ ବିଦ୍ୟାର୍ଥୀ ତାଙ୍କ ପାଖକୁ ସେଭଳି କଠିନ ପରିସ୍ଥିତିରେ ମଧ୍ୟ ବିଦ୍ୟାଧ୍ୟୟନ ପାଇଁ ଆସୁଥିଲେ। ତା ଛଡ଼ା କିଛି ଯବନ ଛାତ୍ର ମଧ୍ୟ ତାଙ୍କ ପାଖରେ ପଢ଼ି ଭାରତୀୟ ଜୀବନ ଧାରାକୁ ଆପଣେଇ ନେଇଥିଲେ। ଶକ ସେନାପତି ମୈନେନ୍ଦ୍ର ମଧ୍ୟ ତାଙ୍କ ଯବନ ମାତାଙ୍କ ଇଚ୍ଛାନୁସାରେ ମହର୍ଷି ଏଲଙ୍କ ପାଖରେ ଦୁଇ ବର୍ଷ ବିଦ୍ୟାଧ୍ୟୟନ କରିଥିଲା। କୈକେୟ କନ୍ୟା କୃଷ୍ଣା ମହର୍ଷିଙ୍କର ଶିଷ୍ୟା ଥିଲେ। କୃଷ୍ଣା ଏଲ ଋଷିଙ୍କ ସଂସ୍କାରକୁ ସଫଳ କରିବା ପାଇଁ ମୈନେନ୍ଦ୍ରକୁ ବୁଝାଇବାରେ ସଫଳ ହୋଇଛି। ସେ କହୁଛି -

"ଅନିୟନ୍ତ୍ରିତ ସୈନିକଙ୍କ ପାଇଁ ତାଙ୍କ ରାଜା ଦଣ୍ଡ ପାଇବା ଯୋଗ୍ୟ। ଅନ୍ୟ ରାଜା କଣ ତୁମ ରାଜାଙ୍କ ପରି ସାଧରଣ ଲୋକମାନଙ୍କ ଉପରେ ଅତ୍ୟାଚାର କରନ୍ତି ? ରାଜା ତ ଧର୍ମଦାନ କରନ୍ତି, ଶିଳ୍ପ, ସ୍ଥାପତ୍ୟ, ମନ୍ଦିର ତିଆରି କରାନ୍ତି।"

ଶକ ମୈନେନ୍ଦ୍ର ଭିତରେ ବିଦେଶୀ ଗୁଣର ସଂସ୍କାରକୁ କୃଷ୍ଣା ଧୀରେ ଧୀରେ ବଦଳାଇ ଦେଇଛି। ଶେଷରେ କୃଷ୍ଣା ସହିତ ତା'ର ବିବାହ ହୋଇଛି। ଯେଉଁ ଆକ୍ରମଣକାରୀଙ୍କ ପାଇଁ ଗଣ ରାଜ୍ୟରେ ହାହାକାର ଛାଇ ଯାଇଥିଲା ସେହି ଭୟକୁ ବିଦ୍ୟାସଂସ୍କାର ଓ ମାନବୀୟ ଗୁଣର ସଂସ୍କାର ଦ୍ୱାରା ଦୂର କରି ମହର୍ଷି ଏଲ ଭାରତବର୍ଷର ମହାନ ଉଦ୍ଧାରକ ହୋଇଯାଇଛନ୍ତି। ମଣିଷ ଭିତରେ ଥିବା ଆତ୍ମବଳକୁ ଜାଗ୍ରତ କରିବାରେ ସଫଳ ହୋଇଥିବା ସେହି ମହାତ୍ମା ମହର୍ଷି ଏଲଙ୍କ ପାଖରେ ଭାରତବର୍ଷ ଋଣୀ। ହତ୍ୟା, ଚୋରୀ, ଆତଙ୍କରାଜ ଭିତରେ ସେ ଆଦୌ ବିଚଳିତ ନ ହୋଇ ଗୋଟିଏ ଗୋଟିଏ ବ୍ୟକ୍ତି ଚୟନ କରି ତାଙ୍କ ଭିତରେ ଏଇ ଆତ୍ମବଳକୁ ଜାଗ୍ରତ କରାଉଥିଲେ। ଏହା ଧୀରେ ଧୀରେ ସାମୂହିକ ଶୌର୍ଯ୍ୟର ରୂପ ନେଇଥିଲା। ଏ ସବୁର ଅସଂଖ୍ୟ ଉଦାହରଣ ଔପନ୍ୟାସିକ ଦୀପ ନିର୍ବାଣ ଉପନ୍ୟାସରେ ସ୍ଥାନୀତ କରିଛନ୍ତି।

୨୪. ୭. ୧୮

No comments: