ଆମ ଜୀବନ ସହ ସମ୍ବନ୍ଧ ରଖୁଥିବା ଆଉ ଏକ ଅଦ୍ଭୁତ ଵସ୍ତୁ ଅଛି। ଯାହା ବିନା କିଏ ବଞ୍ଚି ପାରିବ ? ଯାହା ବିନା କିଏ କ୍ଷଣ ଭରି ପାଇଁ ମଧ୍ୟ ଜୀବନର ସୁଖ ପାଇ ପାରିବ ??
ତାହା ହେଉଛି ସ୍ୱାଧୀନତାର ଭାବନା।
ଏହି ଭାବନା ଆମକୁ ପ୍ରତିଟି କାର୍ଯ୍ୟ କରିବାକୁ ପ୍ରେରିତ କରିଥାଏ। ଆମର ପ୍ରତିଟି କାର୍ଯ୍ୟକୁ ସମ୍ଭବ କରାଇଥାଏ। ଆମର ପ୍ରତ୍ୟେକଙ୍କ ସହ ସମ୍ବନ୍ଧ ନିୟମିତ କରିଥାଏ। କେବଳ ଏତିକି ନୁହଁ, ଏହା ମଧ୍ୟ ମାନବ ଜୀବନ ରୂପୀ ବସ୍ତ୍ରର ସଂରଚନା ଅଟେ। ଏହି ବିଷୟକୁ ଆମ ଭିତରେ ଥିବା ତର୍କ ଜ୍ଞାନ ମାନେ ନାହିଁ। ତର୍କ ଦ୍ୱାରା ସେ ଏହାକୁ ଖଣ୍ଡନ କରେ। ସେ ଏହାକୁ କାର୍ଯ୍ୟ ଓ କାରଣର ଲୌହ ନିର୍ମିତ ଶିକୁଳି ଦ୍ୱାରା ଦୃଢ଼ତାର ସହ ବାନ୍ଧି ଦେବାକୁ ଚେଷ୍ଟା କରେ। କିନ୍ତୁ, ସେହି ସ୍ୱାଧୀନ ସତ୍ତା ଆମର ଏହି ସବୁ ଚେଷ୍ଟାକୁ ଦେଖି ହସୁଥାଏ।
ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଯେ, କାର୍ଯ୍ୟ-କାରଣର ଯେଉଁ ବୃହତ ପଞ୍ଜୁରୀ ଭିତରେ ଜବରଦସ୍ତ ଭର୍ତ୍ତି କରି ଆମେ ତାର ଗଳା କାଟିବାକୁ ଚେଷ୍ଟା କରନ୍ତି, ତାହା ଉପରେ ସେ ଆହୁରି ଦୃଢ଼ ଭାବେ ପ୍ରତିଷ୍ଠିତ। ତା'ର ବିପରୀତ ଦିଶାରେ ସେ ଯିବ ବା କେମିତି ? ଅସୀମ ବସ୍ତୁକୁ ବୁଝିବା ପାଇଁ ଆମେ ତାକୁ ସରଳୀକରଣ କରି ସବୁବେଳେ ସସୀମ ବସ୍ତୁର ସାହାରା ନେଇଥାଉ।
ବଦ୍ଧକୁ ମୁକ୍ତ ଦ୍ୱାରା, ସକାରଣକୁ ଅକାରଣ ଦ୍ୱାରା ଆମେ ବୁଝାଇ ପାରୁ। ପରନ୍ତୁ ଏଠି ପୁଣି ସେହି ସମସ୍ୟା। ମୁକ୍ତ କିଏ ? ଶରୀର ନା ମନ ? ଏହା ସ୍ପଷ୍ଟ ଯେ ଶରୀର ଓ ମନ ମଧ୍ୟ ନିୟମରେ ସେତିକି ବନ୍ଧା ଯେତିକି ସଂସାରରେ ଅନ୍ୟ ପଦାର୍ଥ।
ଏବେ ସମସ୍ୟା ଦ୍ଵିବିଧ ରୂପ ଧାରଣ କରିନିଏ। ଗୋଟିଏ ହେଲା ସାରା ସୃଷ୍ଟି କେବଳ ସଦା ପରିବର୍ତ୍ତନଶୀଳ ବସ୍ତୁର ସାମଗ୍ରିକ ରୂପ ଅଟେ। ତା' ଛଡ଼ା ଆଉ କିଛି ନୁହେଁ। ଏହା କାର୍ଯ୍ୟ-କାରଣ ନିୟମ ଭିତରେ ଏପରି ବାନ୍ଧି ହୋଇ ରହିଛି ଯେ ଏଥିରୁ ମୁକ୍ତ ହେବା ସମ୍ଭବ ନୁହେଁ। ଏହା ଭିତରୁ ଅଣୁ ମାତ୍ର ମଧ୍ୟ ସ୍ୱତନ୍ତ୍ର ଅସ୍ତିତ୍ୱ ପ୍ରାପ୍ତ କରିପାରିବେ ନାହିଁ।
ତଥାପି ଏହା ମଧ୍ୟ ନିତ୍ୟତା ଓ ସ୍ୱାଧୀନତାର ଆଶ୍ଚର୍ଯ୍ୟ ଜନକ ଭ୍ରମ ସୃଷ୍ଟି କରୁଛି।
ଅଥବା ଆମେ ଓ ସୃଷ୍ଟି ଭିତରେ ଏପରି କୌଣସି ବସ୍ତୁ ଅଛି ଯାହା ନିତ୍ୟ ଓ ସ୍ୱତନ୍ତ୍ର। ଯାହା ଦ୍ୱାରା ଏହା ସିଦ୍ଧ ହୁଏ ଯେ ମନୁଷ୍ୟ ମନର ଏହି ମୌଳିକ ପ୍ରାକୃତିକ ବିଶ୍ୱାସ ଭ୍ରମ ନୁହଁ। ବିଜ୍ଞାନ ଏହାକୁ ବହୁତ ସରଳୀକରଣ କରି ବୁଝାଇବା ଉଚିତ। କିନ୍ତୁ ଯେଉଁ ଘଟଣାର ସତ୍ୟତାକୁ ବୁଝାଇବାର ଅଛି ସେହି ଘଟଣାର କିଛି ଅଂଶକୁ ଖଣ୍ଡନ କରି ବାକି ଅଂଶକୁ ଉପଯୁକ୍ତ ବୋଲି ବୁଝାଇବାର ଯୁକ୍ତି କଦାପି ବୈଜ୍ଞାନିକ ହୋଇପାରିବ ନାହିଁ।
ଏଣୁ ଏପରି ବ୍ୟାଖ୍ୟା ଯାହା ସ୍ୱାଧୀନତାର ଏହି ପ୍ରବଳ ଓ ସର୍ବଦା ଅନିବାର୍ଯ୍ୟ ଭାବନାକୁ ଉପେକ୍ଷା କରେ ଓ ସତ୍ୟର ଗୋଟିଏ ଅଂଶ ଭୁଲ ଓ ବାକି ଅଂଶକୁ ଠିକ୍ ବୋଲି କହେ ତାହା ଅଶୁଦ୍ଧ ଓ ଭ୍ରମାତ୍ମକ।
ତେବେ ଆମକୁ ଏଇ ଦ୍ଵିତୀୟ ପକ୍ଷକୁ ମାନିବାକୁ ପଡ଼ିବ ଯେ ଆମ ଭିତରେ ପ୍ରକୃତିର ଅନୁକୂଳ ଏପରି କିଛି ବସ୍ତୁ ଅଛି ଯାହା ସ୍ୱତନ୍ତ୍ର ଓ ନିତ୍ୟ।
କ୍ରମଶଃ....
୩୦. ୭. ୧୮

No comments:
Post a Comment