ଏହା ପରେ ସୂର୍ଯ୍ୟ ବଂଶର ଶାସନ ଆରମ୍ଭ ହେଲା। ଏହି ବଂଶର ମହାନ ରାଜା କପିଳେନ୍ଦ୍ର ଦେବ କାବେରୀ ଠାରୁ ଗଙ୍ଗା ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିଲେ। ପଶ୍ଚିମର ନିଜାମ ଶାହ, ବାହମନି ଓ ପୂର୍ବ ବଙ୍ଗର ମୁସଲମାନ ଶାସନକୁ ସେ ସମ୍ପୂର୍ଣ୍ଣ ଧ୍ୱସ୍ତ କରି ତତ୍କାଳୀନ ଭାରତବର୍ଷରେ ଏକ ମାତ୍ର ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ତାଙ୍କ ପରାକ୍ରମର ବର୍ଣ୍ଣନ "ପର୍ଶୁରାମ ବିଜୟ" ପୁସ୍ତକରେ ହୋଇଅଛି। ସେତେବେଳେ ଓଡ଼ିଆରେ ମହାଭାରତ, ରାମାୟଣ ଓ ହରିବଂଶ ଲେଖା ଚାଲିଥିଲା। ତେଣୁ ତତ୍କାଳୀନ ଯୁଦ୍ଧାସ୍ତ୍ରର ବର୍ଣ୍ଣନା ସେଥିରେ ଦେଖିବାକୁ ମିଳେ। ବନ୍ଧୁକ ଓ ତୋପର ବର୍ଣ୍ଣନା କରି ହରିବଂଶରେ ଲେଖାଯାଇଛି -
ଅରଖ ଅଙ୍ଗାର ୟାର ଗନ୍ଧକ ମିଶାଇ,
ଚିକ୍କଣ ବାରୁଦ ବାଟି ନଳିରେ ପୂରାଇ
ସୂତ୍ରରେ ଯନ୍ତ୍ରକୁ ଚାଳି ଅଗ୍ନି ବେନି କରେ
ବାଣୁଆ ଜଗିଲେ ବସି କାଙ୍ଗୁଲା ଉପରେ।
ସେଇଭଳି ମଲ୍ଲଯୁଦ୍ଧର ମଧ୍ୟ ଵର୍ଣ୍ଣନ କରାଯାଇଛି -
ଜଡ଼ଣ ଜାଡ଼ଣ ଭିଡ଼ାଭିଡ଼ି ଓ ଉଚ୍ଚାଣ
ଚୋଟଣ ଚାଟଣ ଆଡ଼ ଘୁଞ୍ଚାଣ ପଞ୍ଚାଣ
ଲୋଟଣ ଜଟଣ ବନ୍ଧ ନିର୍ବନ୍ଧ ଫିଟାଣ
ଆଡ଼ଣ ତାଡ଼ଣ ଆଦି ଯେତେକ ବିନ୍ଧାଣ।
କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଶାର ସାମରିକ ସଂସ୍କୃତି ବିଶେଷ ରୂପେ ଲିଖିତ ସାହିତ୍ୟରେ ଉପଲବ୍ଧ ଅଛି। ଯେମିତି ଗଡ଼ନାୟକ, ଗଡ଼ତିଆ, ରାଉତରାୟ(ଅଶ୍ଵାରୋହୀ ମୁଖ୍ୟ), ଚମ୍ପତିରାୟ(ଛୋଟ ସୈନ୍ୟ ଦଳର ମୁଖ୍ୟ), ହରିଚନ୍ଦନ, ମାନ୍ଧାତା, ଶତ୍ରୁଶଲ୍ୟ, ବାହୁବଳେନ୍ଦ୍ର, ଭୁଜବଳ, ଦଳବେହେରା,
ବଡ଼ଜେନା, ମହାନାୟକ, ବଳିୟାରସିଂହ, ଝପଡ଼ସିଂହ, ପାଲଟାସିଂହ, ମହାରଥୀ ଇତ୍ୟାଦି। ଓଡ଼ିଆ ମହାଭାରତରେ ଭୀମଙ୍କୁ ବଡ଼ଜେନା, କର୍ଣ୍ଣଙ୍କୁ ଭାରମଲ୍ଲ, ମହାରଥୀ ଅର୍ଜୁନଙ୍କୁ ଶତ୍ରୁ ନିଶୋଧନ ରାଉତରାୟ ଆଦି ଶବ୍ଦରେ ସମ୍ବୋଧିତ କରାଯାଇଛି। କପିଳେନ୍ଦ୍ର ଦେବ ତାଙ୍କ ଶାସନ କାଳରେ କର ପ୍ରଥାର ଉଚ୍ଛେଦ କରିଥିଲେ।
କ୍ରମଶଃ...
୭.୭.୧୮

No comments:
Post a Comment