Monday, 16 July 2018

*ବୀରତ୍ବର ଭାବନା - ୧୩*

ସ୍ବଦେଶୀ ଶିକ୍ଷା ପାଇଁ ସ୍ଥାପିତ ହେଲା ସତ୍ୟବାଦୀ ବନ ବିଦ୍ୟାଳୟ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଇଂରେଜ ମାନଙ୍କୁ ଅସହଯୋଗ କଲେ। ଗୋପବନ୍ଧୁ ଲେଖିଲେ -

ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ତାର ପ୍ରତି ରକ୍ତ ବିନ୍ଦୁ।

ତାଙ୍କ ଚିନ୍ତନ ଥିଲା ନିଜ ମାତୃଭୂମିର ସେବା ହେଉଛି ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ। ସେ ଲେଖିଛନ୍ତି -

ପୁଣ୍ୟ ଜନ୍ମଭୂମି ପୁଣ୍ୟ ଦେବାଳୟ,
ଉଦ୍ଧରିବା ଲାଗି କଲେ ତନୁ କ୍ଷୟ
ମାନବ ଜୀବନ ହୁଅଇ ସଫଳ,
ଏ ମହା ଦୀକ୍ଷା କି ବୁଝିବ ଉତ୍କଳ।

ଏହି ସମୟରେ ତାଙ୍କୁ ଅନେକ ଥର ଜେଲ ଯିବାକୁ ପଡ଼ିଛି ତଥାପି ତାଙ୍କ ଚିନ୍ତନରେ କୌଣସି ପରିବର୍ତ୍ତନ ଆସିନାହିଁ। ସେ ପୁଣି ଇଚ୍ଛା ବ୍ୟକ୍ତ କରିଛନ୍ତି ଯେ ସ୍ୱରାଜ୍ୟ ପାଇବାର ରାସ୍ତାରେ  ମୋ ଶରୀର ଇଟା ଭଳି କାମରେ ଆସୁ। ଏ ରାସ୍ତାରେ ଯଦି କିଛି ଖାଲ ଅଛି ତେବେ ତାହା ମୋ ଶରୀରର ରକ୍ତ ମାଂସ ହାଡ଼ ଦ୍ୱାରା ପୂର୍ଣ୍ଣ ହୋଇଯାଉ। ତେଣୁ ସେ ଲେଖିଛନ୍ତି -

ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଢ଼,
ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼।

ତାଙ୍କ ବିଦ୍ୟାଳୟରୁ ବହୁତ ସ୍ୱାଧୀନତା ସଂଗ୍ରାମୀ ସୃଷ୍ଟି ହେଲେ। ସେ ସମୟର ସବୁଠୁ ବଡ଼ ସାହିତ୍ୟ ରଥୀ ହେଲେ ଗୋଦାବରୀଶ ମହାପାତ୍ର। ସେ ତାଙ୍କ କବିତା, ଉପନ୍ୟାସ, ଶିଶୁ ସାହିତ୍ୟ ଇତ୍ୟାଦିରେ ମାଟିର ସୁଗନ୍ଧକୁ ବଡ଼ ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କଲେ।
ତାଙ୍କର 'ଉଠ କଙ୍କାଳ' କବିତା ଏ ଦୃଷ୍ଟିରୁ ଏକ ଉଜ୍ଜ୍ୱଳ କୀର୍ତ୍ତି ସ୍ତମ୍ଭ। ତାଙ୍କର ଆହ୍ୱାନ ଥିଲା -

ବାଜିଉଠୁ ବାରେ ମରଣ ବିଜୟୀ,
ବଂଶୀ ସେ ବୁକୁ ତଳେ
ଉଠ କଙ୍କାଳ ଛିଡୁ ଶୃଙ୍ଖଳ,
ଜାଗ ଦୁର୍ବଳ ଆଜି
ଉଠୁ ଗତ ଗୌରବ ହୃତ ଗୌରବ
ମୃତ ଗୌରବ ରାଜି।

ଆଧୁନିକ କବିତାରେ ପଣ୍ଡିତ ଅଚ୍ୟୁତାନନ୍ଦ କର ରାମାୟଣ ଓ ମହାଭାରତକୁ ନେଇ ସୁନ୍ଦର କବିତା ରଚନା କରିଛନ୍ତି। ସେ କୃଷ୍ଣ ଓ ରାମଙ୍କୁ ସଂଗ୍ରାମୀ ବୀର ଭାବେ ସ୍ଥାପିତ କରିଛନ୍ତି। ସମାଜ ଜୀବନରେ ଧର୍ମର ରକ୍ଷା କରିବା ଓ ଅଧର୍ମର ବିନାଶ କରିବା ହେଉଛି ସତ୍ପୁରୁଷମାନଙ୍କର ପ୍ରକୃତ ପୁରୁଷାର୍ଥ। ଏହା ହିଁ ତାଙ୍କ କବିତାର ସନ୍ଦେଶ ଥିଲା।

ମୋଟ ଉପରେ କହିବାକୁ ଗଲେ ଭାରତର ଇତିହାସ ପରାଜୟର ଇତିହାସ ନୁହେଁ। ଏହା ହେଉଛି ସତତ ସଂଘର୍ଷର ଇତିହାସ। ଏହି ରାସ୍ତାରେ ଓଡ଼ିଶା ତାର ଯୋଗଦାନ ଦେଇଆସିଛି। ସଭ୍ୟତାର ପ୍ରଥମ ଉଷା କାଳରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ମାଟିର ଗୌରବ ଗାଥା ଗାଇ ଆସିଛି। ଆଜି ମଧ୍ୟ ଏହି ଚିନ୍ତନକୁ ଓଡ଼ିଆ ସାହିତ୍ୟ ପାଠକଙ୍କ ସମ୍ମୁଖରେ ପ୍ରସ୍ତୁତି କରୁଛି ଆଗକୁ ମଧ୍ୟ କରୁଥିବ।

୧୬. ୭. ୧୮

No comments: