ଯମୁନା ନଦୀ କୂଳରେ ବୁଲୁବୁଲୁ ମହର୍ଷି ପରାଶର ମତ୍ସ୍ୟଗନ୍ଧା ନାମକ ଏକ କୈବର୍ତ୍ତ କନ୍ୟାର ରୂପରେ ବିମୋହିତ ହୋଇ ତାହାର ପାଣି ଗ୍ରହଣ କରନ୍ତି। ଯମୁନା ନଦୀରେ ନୌକା ବିହାର କରିବା ସମୟରେ ଉଭୟେ କଳ୍ପୀ ପାଖରେ ଯମୁନାର ଏକ ଦ୍ବୀପସ୍ଥିତ ବଦରିବନ ମଧ୍ୟରେ ଗୃହସ୍ଥ ଭାବରେ ଅବସ୍ଥାନ କରିବାର ସଙ୍କଳ୍ପ ନିଅନ୍ତି। ସେହି ସ୍ଥାନରେ ଉଭୟଙ୍କ ପ୍ରଣୟର ନିଦର୍ଶନ ସ୍ୱରୂପ ଆଷାଢ଼ ପୂର୍ଣ୍ଣିମା ଅବସରରେ ଏକ ତେଜସ୍ୱୀ ବାଳକ ଜନ୍ମ ନିଏ। ଉକ୍ତ ବାଳକ କୈବର୍ତ୍ତ କନ୍ୟାର ପୁତ୍ର ହୋଇଥିବାରୁ ତାହାର ବର୍ଣ୍ଣ କଳା ଏବଂ ସେ ଦ୍ବୀପ ମଧ୍ୟରେ ବଦରି ବନ ମଧ୍ୟରେ ଜନ୍ମଗ୍ରହଣ କରିଥିବାରୁ ପିତା ତାହାର ନାମ ଦିଅନ୍ତି କୃଷ୍ଣଦୈପାୟନ। କେହିକେହି ବଦରିବନ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ବାଳକକୁ ବାଦରାୟଣ ବୋଲି ମଧ୍ୟ ସମ୍ବୋଧନ କରନ୍ତି। ପିତା ପରାଶରଙ୍କ ସଂସ୍କାର ପ୍ରକ୍ରିୟାର ଅଂଶ ଭାବରେ ଉକ୍ତ ବାଳକ କ୍ରମେ କ୍ରମେ ନାନା ବିଦ୍ୟା ପାରଙ୍ଗତ ହୋଇ ଉଠେ।
ସମୟର ପ୍ରବାହରେ ଏହି ତେଜସ୍ୱୀ ଯୁବକ କ୍ରମେ ବଡ଼ ହୋଇ ଭାରତୀୟ ଆର୍ଯ୍ୟ ପରମ୍ପରାର ଶ୍ରେଷ୍ଠ ଧନ ଋଷି ପ୍ରଣୀତ ଅପୌରୁଷେୟ ବେଦ ବିଦ୍ୟା ଉଦ୍ଧାର କରିବା ପାଇଁ ସଙ୍କଳ୍ପ ନିଅନ୍ତି। ତାଙ୍କ ସମୟରେ ଭାରତବର୍ଷର କୋଣ ଅନୁକୋଣରେ ବେଦର ଋଚା ଗୁଡ଼ିକର ଅନେକ ଶାଖା ପ୍ରଶାଖା ବିକ୍ଷିପ୍ତ ହୋଇ ରହିଥିଲା। ସେସବୁ ଏକତ୍ର କରି ସଙ୍କଳନ କରିବା ଆବଶ୍ୟକ ପ୍ରତୀତ ହେଲେ ମଧ୍ୟ ଏହା ଏକ ଦୁଷ୍କର କାର୍ଯ୍ୟ ଥିଲା। ବେଦବ୍ୟାସ ଏହି ଦୁରୁହ କାର୍ଯ୍ୟକୁ ସୁଗମ କରିବା ପାଇଁ କଟିବଦ୍ଧ ହେଲେ ଏବଂ ବେଦର ଉପଲବ୍ଧ ଶାଖାଗୁଡ଼ିକ ସଙ୍କଳିତ କରି ତାହାକୁ ଚାରି ଭାଗରେ ବିଭକ୍ତ କଲେ। ଅସମ୍ଭବ ମନେ ହେଉଥିବା ଏପରି ଏକ ଅପାର ବ୍ୟାପାର ସାକାର କରିଥିବାରୁ ଲୋକେ କହିଲେ ଏ ହେଉଛନ୍ତି ବିଷ୍ଣୁଙ୍କ ଅବତାର, ନହେଲେ କ'ଣ ଏ ଅସମ୍ଭବ ସମ୍ଭବ ହୋଇଥାନ୍ତା ! ବେଦର ବିଭାଜନ କରି ବିଷୟାନୁସାରେ ନାମକରଣ କରିଥିବାରୁ ସେ ସମୟର ଗୁଣଗ୍ରାହୀମାନେ ତାଙ୍କୁ ଡାକିଲେ ବେଦବ୍ୟାସ।
ହେଲେ ଦ୍ଵାପର ଯୁଗର ଶେଷ ଆଡ଼କୁ ବେଦର ଆର୍ଷ ଭାଷା ପ୍ରୟୋଗ ସାଧାରଣ ଜନତାଙ୍କ ପାଇଁ ଅତ୍ୟନ୍ତ କଠିନ ମନେ ହେଲା। ଏକଦା ଲୋକପ୍ରିୟ ବେଦ ବର୍ଣ୍ଣିତ ପୁରୁଷାର୍ଥ ଲୋକମାନସରୁ ତଥା ପ୍ରତ୍ୟକ୍ଷ ଆଚରଣରୁ କ୍ରମଶଃ କ୍ଷୀଣ ହୋଇଗଲା। ତେଣୁ ସେ ସମୟର ଐତିହାସିକ ଘଟଣାବଳୀକୁ ଉପଜୀବ୍ୟ କରି ବେଦବ୍ୟାସ ଗଣେଶଙ୍କ ସହାୟତାରେ ରଚନା କଲେ ମହାଭାରତ। ଏଥିରେ ସାମୟିକ ସଂସ୍କୃତ ଭାଷାରେ ବେଦର ଗୂଢ଼ ଭାବରାଜି କଥାଯୁକ୍ତ ହୋଇ ବର୍ଣ୍ଣିତ ହେଲା। ଲୋକେ କହିଲେ, ଏହା ହେଉଛି ପଞ୍ଚମ ବେଦ।
ଅଧ୍ୟାତ୍ମ ଶାସ୍ତ୍ରର ଗୂଢ଼ ଆଦର୍ଶକୁ ଲୋକାଭିମୁଖୀ କରିବା ପାଇଁ ବେଦବ୍ୟାସ ରଚନା କଲେ ଅଷ୍ଟାଦଶ ମହାପୁରାଣ। କେବଳ ସେତିକି ନୁହେଁ, ବେଦର ଜ୍ଞାନକାଣ୍ଡ ଭାବରେ ବିବେଚିତ ଉପନିଷଦର ସାରମର୍ମକୁ ସୂତ୍ରବଦ୍ଧ କରି ସେ ରଚନା କଲେ ବ୍ରହ୍ମସୂତ୍ର, ଯାହା ଷଡ଼ଦର୍ଶନ ମଧ୍ୟରେ ଉତ୍ତର ମୀମାଂସା ନାମରେ ପରିଚିତ।
ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ଉଦ୍ଦିଷ୍ଟ ଏହି ଭାରତୀୟ ବାଙ୍ ମୟର ମୁଖର ଉଦଘୋଷକ ବେଦବ୍ୟାସଙ୍କୁ ନିଜର ଆତ୍ମଜ ଶୁକ ତଥା ସୂତ ଏବଂ ଶୌନକ ଆଦି ପ୍ରଚାରକ ମାନଙ୍କ ମାଧ୍ୟମରେ ନିଜ ରଚନାବଳୀକୁ ଲୋକାଭିମୁଖୀ କରିବା ପାଇଁ ଅନେକ କଷ୍ଟ ସହିବାକୁ ହେଲା। ଅଜ୍ଞାନ ତିମିରକୁ ଧ୍ୱଂସ କରି ଯିଏ ଜ୍ଞାନର ବର୍ତ୍ତିକା ଜାଳିଲେ, ତାଙ୍କୁ କୃତଜ୍ଞତା ଜଣାଇ ଭାରତୀୟ ସମାଜ ତାଙ୍କର ଜନ୍ମଦିନରେ ତାଙ୍କୁ ଶ୍ରଦ୍ଧା ନିବେଦନ କରିଥାଏ।
୨୭. ୭. ୧୮

No comments:
Post a Comment