Thursday, 16 August 2018

*ହିନ୍ଦୁ ସିଦ୍ଧାନ୍ତ.*

ଏଇ ସଂସାରରେ ଯେଉଁ ଅସମାନତା ଅଛି, ତାକୁ କିଭଳି ବୁଝାଯାଇ ପାରିବ ? ନ୍ୟାୟୀ ଓ ଦୟାନିଧାନ ଈଶ୍ୱରଙ୍କ ସୃଷ୍ଟିରେ ଏକ ବାଳକ ଜନ୍ମ ନିଏ, ତାହାର ପ୍ରତ୍ୟେକ ପରିସ୍ଥିତି ତାକୁ ଉତ୍ତମ ଓ ମାନବ ସମାଜର ଉପଯୋଗୀ କରିବା ପାଇଁ ଅନୁକୂଳ ଥାଏ। ଠିକ୍ ସେହି ସମୟରେ ସେହି ସହରରେ ଆଉ ଏକ ବାଳକ ଜନ୍ମ ନିଏ, ଯାହାର ପ୍ରତ୍ୟେକ ପରିସ୍ଥିତି ତାହାକୁ ଭଲ ଭାବେ ଗଢ଼ିବା ପାଇଁ ଅନୁକୂଳ ନ ଥାଏ। ଏମିତି କିଛି ବାଳକ ଆମେ ଦେଖନ୍ତି ସତେ ଯେପରି ଜୀବନ ଭରି ଦୁଃଖ ଭୋଗିବା ପାଇଁ ସେମାନେ ଜନ୍ମ ନେଇଥାନ୍ତି। ଏପରି ଦୁଃଖ ତାଙ୍କ ନିଜର ଅପରାଧ ପାଇଁ ତ ହୋଇ ନ ଥାଏ।
ତେବେ ଏପରି ଦୁଃଖ ସେ କାହିଁକି ଭୋଗେ ?
ଏହାର କାରଣ କ'ଣ ??
କାହାର ଅଜ୍ଞାନତାର ଏହା ପରିଣାମ ???
ଯଦି ସେହି ବାଳକର କିଛି ଦୋଷ ନାହିଁ, ତେବେ ତା'ର ମାତା-ପିତାଙ୍କ କର୍ମ ପାଇଁ ସେ କାହିଁକି ଦୁଃଖ ଭୋଗିବ ????

ଏଠାରେ ଭୋଗୁଥିବା ଦୁଃଖର ଅନୁପାତ ଅନୁସାରେ ଭବିଷ୍ୟତରେ ସୁଖ ମିଳିବ, ଏପରି ପ୍ରଲୋଭନ ଦେଖାଇବା ବା ରହସ୍ୟାତ୍ମକ କଥା ଦେଖାଇବା ଅପେକ୍ଷା ଏହାର କାରଣ ଆମକୁ ଜଣା ନାହିଁ ବୋଲି ସ୍ୱୀକାର କରିନେବା ବହୁତ ଭଲ। କେହି ଆମକୁ ବିନା ଅପରାଧରେ ଦଣ୍ଡ ଭୋଗେଇବ, ଏହା ତ ନୈତିକତା ବିରୋଧୀ, ଅନ୍ୟାୟ କଥା। ପୁଣି ଭବିଷ୍ୟତରେ ସୁଖ ମିଳିବ ଏପରି ସିଦ୍ଧାନ୍ତର ଆଧାର କ'ଣ ?

ଦୁଃଖ-ଦୈନ୍ୟରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଭିତରୁ କେତେକ ଉଚ୍ଚତର ଜୀବନ ଗଢ଼ିବା ପାଇଁ ବହୁତ କଷ୍ଟ କରୁଛନ୍ତି ଆଉ କେତେକ (ତାଙ୍କଠୁ ଅଧିକ ସଂଖ୍ୟାରେ) ଯେଉଁ ପରିସ୍ଥିତିରେ ରହିଲେ, ତା'ର ଶିକାର ହୋଇଯାନ୍ତି। ଖରାପ ପରିସ୍ଥିତିରେ ଜନ୍ମ ହୋଇ ଅନେକ ଅଧିକ ଖରାପ ବା ଦୁଷ୍ଟ ହୋଇଯାନ୍ତି। ସେମାନଙ୍କ ଦୁଷ୍ଟତା ପାଇଁ କଣ ପାରିତୋଷିକ ମିଳିବା ଉଚିତ ? ଯଦି ମିଳିବ ତେବେ ମନୁଷ୍ୟ ଏଠାରେ ଯେତେ ଉଦ୍ଦଣ୍ଡ ହେବ ଏଇ ଜନ୍ମ ପରେ ତାକୁ ତ ସେତେ ସୁଖ ପ୍ରାପ୍ତ ହେବ।

କ୍ରମଶଃ....

୧୬. ୮. ୧୮

No comments: