୧୯୦୫ ମସିହାରେ ମହମ୍ମଦ ଇକବାଲ ଦର୍ଶନ ଶାସ୍ତ୍ରରେ ବିଶେଷ ଅଧ୍ୟୟନ ପାଇଁ ୟୁରୋପ ଗଲେ। ସେ ଇଂଲଣ୍ଡର କେମ୍ବ୍ରିଜ ଓ ଜର୍ମାନୀର ମ୍ୟୁନିଖରେ ୟୁରୋପୀୟ ଦର୍ଶନର ବିଭିନ୍ନ ଶାଖା ଉପରେ ଗବେଷଣା କଲେ। ଲାଇବନିଜଙ୍କ ଚିଦାଣୁବାଦ, ନୀତ୍ସେଙ୍କ ଅତିମାନବବାଦ ଓ ବର୍ଗିସଙ୍କ ଅନ୍ତଃସ୍ଫୁର୍ତ୍ତ ଜ୍ଞାନର ଅଵଧାରଣା ଉପରେ ବିଚାର କରି ସେ ତାହାକୁ ଇସଲାମ ଚିନ୍ତନ ସହ ତୁଳନା କଲେ। ସେ ଇସଲାମ ଚିନ୍ତନର ଆସ୍ତିକତା ଓ ଏକେଶ୍ୱରବାଦକୁ ଶ୍ରେଷ୍ଠ ମାନିଲେ।
ସେ ଦେଖିଲେ ୟୁରୋପର ରାଷ୍ଟ୍ରବାଦ ସାମ୍ରାଜ୍ୟବାଦର ଆଧାର ନେଇ ପଶ୍ଚିମ ଏସିଆ ଓ ଉତ୍ତର ଆଫ୍ରିକାର ମୁସଲିମ ଦେଶଗୁଡ଼ିକୁ ନିଜ ଅଧୀନରେ ରଖିଛି। ତେଣୁ ସେ ରାଷ୍ଟ୍ରବାଦର ବିରୋଧୀ ହୋଇଗଲେ। ସାଧାରଣତଃ ଇସଲାମ ମତ ବିଶ୍ଵବ୍ୟାପ୍ତ ହେବାର କଳ୍ପନା କରିଆସିଛି। ଏଥିପାଇଁ ସେ ତାଙ୍କ ଲିଖିତ ବାଙ୍ଗେଦରା କବିତାରେ ରାଷ୍ଟ୍ରବାଦ ଇସଲାମ ବିରୋଧୀ ବୋଲି ଉଲ୍ଲେଖ କରି କହିଛନ୍ତି -
ଇନ ତାଜା ଖୁଦାଓଁ ମେ ବଡ଼ା ସବସେ ବତନ ହୈ
ଜୋ ପୈରହନ ଇସକା ହୈ ଓ ମଜହବ କା କଫନ ହୈ।
ଅଫବାମ ମେ ମଖଲୁକେ ଖୁଦା କହତୀ ହୈ ଇସସେ,
କୌମିୟତ ଇସଲାମ କୀ ଜଡ଼ କଟତୀ ହୈ ଇସସେ।
ସେ ୟୁରୋପର ସ୍ଥିତିକୁ ଦେଖି ରାଷ୍ଟ୍ରୀୟତାକୁ ନିଜଠାରୁ ଅଲଗା କରିଦେଲେ। ରାଷ୍ଟ୍ରବାଦ ମତ ଇସ୍ଲାମର ଧ୍ଵଂସକ ଭଳି ତାଙ୍କୁ ଅନୁଭବ ହେଲା। ଏଥିପାଇଁ ତାଙ୍କର ଇସ୍ଲାମୀ ମାନବବାଦ-"ମିଲ୍ଲତେ ଆଦମ" ପ୍ରତି ଦୃଢ଼ବିଶ୍ୱାସ ହୋଇଗଲା। ଇକବାଲଙ୍କର ଏହି ରୂପାନ୍ତରଣ ଭାରତ ପାଇଁ ଅଶୁଭ ହେଲା। ସେ ଲେଖିଲେ -
ତଫରୀକେ ମିଲେ ହିକମତ ଅଫରଙ୍ଗ କା ମକସୁଦ,
ଇସଲାମ କା ମକସୁଦ ଫକତ "ମିିଲ୍ଲତେ ଆଦମ।"
ଅର୍ଥାତ୍ ଇଂରେଜଙ୍କ ଉଦ୍ଦେଶ୍ୟ ବିଭିନ୍ନ ସମୂହରେ ବିଭେଦ କର, କିନ୍ତୁ ଇସ୍ଲାମର ଉଦ୍ଦେଶ୍ୟ କେବଳ ମନୁଷ୍ୟ ମାନଙ୍କ ମଧ୍ୟରେ ଏକତା ଆଣିବା।
ଏହିପରି ରୂପାନ୍ତରିତ ହୋଇ ୧୯୦୮ରେ ସେ ୟୁରୋପରୁ ଭାରତ ଫେରିଥିଲେ। ସେ ରାଷ୍ଟ୍ରୀୟ ଚେତନାର ଶାୟର ହୋଇ ରହିଲେ ନାହିଁ। ସେ ଏକେଶ୍ୱରବାଦର ସମର୍ଥକ ହୋଇଗଲେ।
କ୍ରମଶଃ...
୨୧. ୮. ୧୮

No comments:
Post a Comment