Wednesday, 8 August 2018

*ଏହି ଆର୍ଯ୍ୟଭୂମିର ବିଶେଷତ୍ୱ*

ଆମେ ଦେଖିଲେ ଯେ ଆତ୍ମା ସମ୍ବନ୍ଧରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ବିଚାର ଭିତରେ କିପରି ଆକାଶ ପାତାଳ ଅନ୍ତର ରହିଛି। ସେମାନଙ୍କୁ ଏହି ଶରୀର ଏହି ସଂସାର ସମ୍ପୂର୍ଣ୍ଣ ସତ୍ୟ ବୋଲି ଜଣାପଡୁଛି ଓ ଏହି ଶରୀର ହିଁ ସେମାନଙ୍କ ପାଇଁ ପ୍ରମୁଖ ବସ୍ତୁ ହୋଇଯାଇଛି। ସେମାନେ ଶରୀର ପାଇଁ ବା ଇନ୍ଦ୍ରିୟ ସୁଖ ପାଇଁ ଟିକେ କିଛି ଅଭାବ ହେଲେ କେବଳ ଦୁଃଖ ଅନୁଭବ କରନ୍ତି ନାହିଁ, ଆପତ୍ତି ଅଭିଯୋଗ ମଧ୍ୟ କରନ୍ତି। ମୃତ୍ୟୁ ସମୟରେ ଆତ୍ମା ଶରୀର ଛାଡ଼ି ଚାଲି ଯାଏ, ତାଙ୍କ ବିଚାରରେ ଟିକେ ସାବଧାନତାର ସହ ଶରୀରକୁ ଯତ୍ନ କଲେ ଏପରି ହୁଅନ୍ତା ନାହିଁ, ଯଦିଓ ଏପରି ଅଚାନକ ମୃତ୍ୟୁ ଆସି ଯାଉଛି, ତଥାପି ସେହି ମୃତ ଶରୀରକୁ ଯତ୍ନର ସହ ସାଇତି ରଖିଲେ ସେ ଆତ୍ମା ପୁଣି ଫେରି ଆସିବ। ଏଇଭଳି ବ୍ୟର୍ଥ ଆଶା ସେମାନେ କରନ୍ତି। ଏଥିପାଇଁ ଜୀବନ୍ତ ଲୋକ ଅପେକ୍ଷା ମୃତ ଶରୀରର ରକ୍ଷା ସେମାନଙ୍କ ପାଇଁ ମୁଖ୍ୟ ବିଷୟ ହୋଇଯାଏ।

ଅନ୍ୟପଟେ ଆମ ଆର୍ଯ୍ୟ ଋଷିଗଣ ବହୁ ଅନ୍ୱେଷଣ କରି କହି ସାରିଛନ୍ତି ଯେ ଆତ୍ମା ହିଁ ମନୁଷ୍ୟର ଅସଲ ରୂପ ସେ ନିଶ୍ଚିତ ରୂପେ ଶରୀର ରୂପୀ ବନ୍ଧନରୁ ମୁକ୍ତ ହୋଇଯିବ। ପୁରାତନ ବସ୍ତ୍ର ରୂପୀ ଶରୀରକୁ ତ୍ୟାଗ କରି ସେ ନୂତନ ବସ୍ତ୍ର ବା ନୂତନ ଶରୀରରେ ପ୍ରବେଶ କରିବ। ଏଥିରେ ତାକୁ ଅଧିକ ଆନନ୍ଦ ମିଳିବ। ଏଥିପାଇଁ ସେମାନେ ପୁରାତନ ଶରୀରକୁ ପଚେଇବା ବା ଷଢ଼େଇବାକୁ ପସନ୍ଦ ନ କରି ଶୀଘ୍ରତାର ସହ ଅଗ୍ନି ଦେବାର ବ୍ୟବସ୍ଥା କରନ୍ତି।

ଆମେ ସେହି ଭୂମିର ସନ୍ତାନ, ଯେଉଁଠି ଆତ୍ମାର ସଠିକ ଜ୍ଞାନର ଉଦ୍ଗମ ହୋଇଛି, ଯେଉଁଠି ଶରୀର ନୁହେଁ ବରଂ ଆତ୍ମା ହିଁ ମନୁଷ୍ୟର ଅସଲ ରୂପ ବୋଲି କୁହାଯାଇଛି, ଯେଉଁଠି ଯଥାର୍ଥ ମନୁଷ୍ୟ(ଆତ୍ମା) ଓ ଶରୀର ଭିତରେ ଥିବା ସମ୍ବନ୍ଧର ବିଚାର ସ୍ୱାଧୀନ ଭାବରେ କରାଯାଇଛି।

ଯେତେବେଳେ ଆର୍ଯ୍ୟ ଋଷିଗଣ ଦିବଙ୍ଗତ ଆତ୍ମା ଯେଉଁ ଶରୀର ରୂପୀ ବସ୍ତ୍ର ଭିତରେ ପଡ଼ି ରହିଥାଏ, ତାକୁ ଭେଦ କରି ତା'ର ଅଭ୍ୟନ୍ତରକୁ ଦେଖିଲେ, ସେତେବେଳେ ତାଙ୍କୁ ସେହି ଆତ୍ମାର ଯଥାର୍ଥ ସ୍ୱରୂପ ଏକାକୀ, ନିରାକାର ଏବଂ ଏହା ଏକ ବିଶିଷ୍ଟ ତତ୍ତ୍ୱ ବୋଲି  ଜଣା ପଡ଼ିଲା। ପୁଣି ସେହି ଅନିବାର୍ଯ୍ୟ ପ୍ରଶ୍ନ ଉଠିଲା ଯେ - ସେ ଆତ୍ମା କେଉଁଠୁ ଆସିଲା ?

ଏହି ଭୂମିରେ ପୂର୍ବଜନ୍ମ, ଅମରତ୍ୱ ଓ ଆତ୍ମାର ବ୍ୟକ୍ତିତ୍ୱର ସିଦ୍ଧାନ୍ତ ପ୍ରଥମତଃ ପ୍ରକଟ ହେଲା। ଇଜିପ୍ଟ ଦେଶର ଆଧୁନିକ ସଂଶୋଧନରେ ଏଇ ପୃଥିବୀରେ ବ୍ୟକ୍ତିର ଜନ୍ମ ପୂର୍ବ ଓ ପର ଜନ୍ମର ସିଦ୍ଧାନ୍ତ ବିଷୟରେ ନାମ ଗନ୍ଧ ଦେଖିବାକୁ ମିଳେ ନାହିଁ। କିଛି କିଛି ରହସ୍ୟ ଗ୍ରନ୍ଥରେ ଏପରି ବିଚାର ଅଛି କିନ୍ତୁ ତାହାର ଖିଅ ଭାରତବର୍ଷ ସହ ଗୁନ୍ଥି ହୋଇ ରହିଛି।

କ୍ରମଶଃ....

୮. ୮. ୧୮

No comments: