ସେ ତୌହିଦ (ଏକେଶ୍ୱରବାଦ) ଆଧାରରେ ସ୍ଥାପିତ ବିଶ୍ଵ ଇସଲାମବାଦର ସମର୍ଥକ ହୋଇ ୧୯୦୮ରେ ୟୁରୋପରୁ ଭାରତ ଆସିଲେ। ଏହି ପରିବର୍ତ୍ତନର ରାଜନୈତିକ କାରଣକୁ ଭାରତୀୟ ସନ୍ଦର୍ଭରେ ଡ. ତାରାଚାନ୍ଦ କହିଛନ୍ତି - "୧୯୦୫ରେ କର୍ଜନ ବଙ୍ଗ ଭଙ୍ଗ କଲେ। କାରଣ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଭାରତୀୟ ମାନଙ୍କୁ ହିନ୍ଦୁ ମୁସଲିମ ଭେଦରେ ଦୁଇ ଭାଗ କରିଦେବା। ତେଣୁ ଉଭୟଙ୍କ ଭିତରେ ଝଗଡ଼ା ହେବାର ସବୁ ପର୍ଯ୍ୟାୟକୁ ସେ ପ୍ରୋତ୍ସାହିତ କରୁଥିଲେ। ଏହା(ବଙ୍ଗ ଭଙ୍ଗ) ବିରୋଧରେ ପ୍ରବଳ ଆନ୍ଦୋଳନ ଆରମ୍ଭ ହେଲା, ଯାହା ଅଧିକାଂଶତଃ ହିନ୍ଦୁମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ମୁସଲମାନ ସେହି ଆନ୍ଦୋଳନକୁ ସମର୍ଥନ କରୁଥିଲେ। କାରଣ ସେମାନେ ଭାବୁଥିଲେ ଏହା ଆମ ପାଇଁ ହିତକର ହେବ। ଏହି ସମୟରେ ଇକବାଲ ୟୁରୋପୀୟଙ୍କ ଦ୍ଵାରା ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରରେ ବହୁତ କ୍ରୋଧିତ ଥିଲେ। ଭାରତରେ ଚାଲୁଥିବା ବଙ୍ଗଭଙ୍ଗ ବିରୋଧୀ ଆନ୍ଦୋଳନକୁ ସେ ସମର୍ଥନ କଲେ ନାହିଁ। ଏହି ସମୟରେ ତାଙ୍କ ଭିତରେ ଥିବା ରାଷ୍ଟ୍ରବାଦର ସୁକୁମାର ପୁଷ୍ପଟି ମଉଳି ଯାଇଥିଲା। ବଙ୍ଗ ଭଙ୍ଗ ଆନ୍ଦୋଳନ ତାଙ୍କ ମନରୁ ଭାରତକୁ ବାହାର କରିଦେଇ ଇସ୍ଲାମକୁ ପ୍ରତିଷ୍ଠିତ କରିଦେଲା।
(ଏହାର ଉଲ୍ଲେଖ ଭାରତୀୟ ସ୍ୱତନ୍ତ୍ରତା ଆନ୍ଦୋଳନ କା ଇତିହାସ ଭାଗ ୩ର ପୃଷ୍ଠା ୨୪୩-୪୪ ରେ ହୋଇଛି)
ବେଦ ପ୍ରକାଶ ଭାଟିଆଙ୍କ ଅନୁସାରେ ମହମ୍ମଦ ଇକବାଲ ୧୯୦୮ରେ ଭାରତ ଫେରିବା ପରେ ତାଙ୍କ ରାଷ୍ଟ୍ରଭକ୍ତ ବାଲ୍ୟବନ୍ଧୁ କ୍ରାନ୍ତିକାରୀ ଲାଲା ହରଦୟାଲ ଓ ସ୍ୱାମୀ ରାମତୀର୍ଥଙ୍କ ସହ ତାଙ୍କର ଆଉ ଭେଟ ହେଲା ନାହିଁ। କାରଣ ଲାଲା ହରଦୟାଲ କ୍ରାନ୍ତିକାରୀଙ୍କ ନେତୃତ୍ୱ ନେବା ପାଇଁ ବିଦେଶ ଚାଲିଯାଇଥିଲେ ଓ ସ୍ୱାମୀ ତିରଥରାମ ଜଳ ସମାଧି ନେଇଯାଇଥିଲେ। ତେଣୁ ସେ ଦୁଇ ଜଣଙ୍କ ପ୍ରଭାବ ଇକବାଲଙ୍କ ଉପରୁ ଉଭେଇଗଲା। ତେଣୁ ସେ ଇସ୍ଲାମୀ ଦାର୍ଶନିକ ତଥା ଇସଲାମବାଦୀ ଶାୟର ରୂପେ ପ୍ରତିଷ୍ଠିତ ହୋଇଗଲେ। ଅର୍ଥାତ୍ ଭାରତୀୟ ରାଷ୍ଟ୍ରୀୟ ଚେତନା ତଥା ରାଷ୍ଟ୍ରୀୟ ଆନ୍ଦୋଳନର ଜଣେ ସମର୍ଥକ ଶାୟର ବିରୋଧୀ ହୋଇଗଲେ।
ଉର୍ଦୁର ପ୍ରସିଦ୍ଧ ସମାଲୋଚକ ଏହତେଶାମ ହୁସେନ ତାଙ୍କ ଚିନ୍ତନ ଓ କାବ୍ୟର ବିଶ୍ଳେଷଣ କରି ଲେଖିଛନ୍ତି - "ଭାରତବର୍ଷରେ ରାଷ୍ଟ୍ରୀୟତାର ଯେଉଁ ଭାବନା ବଢୁଥିଲା, ପ୍ରାରମ୍ଭିକ ସମୟରେ ଇକବାଲ ସେଥିରେ ମଜ୍ଜି ଯାଇଥିଲେ, କିନ୍ତୁ ୟୁରୋପ ଯାଇ ସେ ଏପରି ସବୁ ବିଚାରର ସମ୍ପର୍କରେ ଆସିଲେ ଏବଂ ରାଷ୍ଟ୍ର ରାଷ୍ଟ୍ର ମାନଙ୍କରେ ଚାଲିଥିବା କଳହକୁ ଦେଖିଲେ ଯଦ୍ୱାରା ତାଙ୍କ ଭିତରେ ଥିବା ରାଷ୍ଟ୍ରୀୟତା ଦୂରେଇ ଗଲା।
ଧୀରେ ଧୀରେ ସେ ପ୍ରତିକ୍ରିୟାବାଦୀ ମୁସଲିମଙ୍କ ନେତା ବୋଲି ପ୍ରତିଷ୍ଠିତ ହେଲେ କାରଣ ତାଙ୍କ ବିଚାରରେ ମୁସଲମାନମାନଙ୍କୁ ଭାରତରୁ କିପରି ଅଲଗା ରଖିହେବ ଏବଂ ସେମାନଙ୍କୁ ଅନ୍ୟ ମୁସଲମାନ ରାଷ୍ଟ୍ର ମାନଙ୍କ ସହ ଯୋଡ଼ି ହେବ ଏହି ଭାବ ପ୍ରକଟ ହେଉଥିଲା।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ କୌଣସି ରାଷ୍ଟ୍ରୀୟ ଆନ୍ଦୋଳନର ସମର୍ଥନ କରି ନାହାନ୍ତି। ଏହାର ଉଲ୍ଲେଖ ଉର୍ଦୁ ସାହିତ୍ୟର ଆଲୋଚନାତ୍ମକ ଇତିହାସ ପୃଷ୍ଠା ୧୯୧ ରେ ହୋଇଛି।
କ୍ରମଶଃ...
୨୨. ୮. ୧୮

No comments:
Post a Comment