Saturday, 4 August 2018

*ମମିଫିକେସନ*

ଯଦିଓ ହେରୋଡୋଟସ କହିଥିଲେ ଯେ ମିଶର ଦେଶବାସୀଙ୍କୁ ସର୍ବ ପ୍ରଥମେ ଆତ୍ମାର ଅମରତ୍ୱ ପ୍ରାପ୍ତିର ଜ୍ଞାନ ହୋଇଥିଲା। ସେମାନେ କହୁଥିଲେ ଯେ ମନୁଷ୍ୟର ମୃତ୍ୟୁ ହେଲେ ଆତ୍ମା ଜନ୍ମ ନେଉଥିବା ପ୍ରାଣୀ ମାନଙ୍କ ମଧ୍ୟରେ ପୁନଃ ପୁନଃ ପ୍ରବେଶ କରେ। ସ୍ଥଳଚର, ଜଳଚର ଓ ଆକାଶଚର ପ୍ରାଣୀ ମାନଙ୍କ ଭିତରେ ସେହି ଆତ୍ମା ବୁଲି ବୁଲି ପୁଣି ତିନି ହଜାର ବର୍ଷ ପରେ ମନୁଷ୍ୟ ଶରୀର ପ୍ରାପ୍ତ କରେ। କିନ୍ତୁ ଏବେର ଗବେଷକମାନେ ମିଶର ଦେଶର ପ୍ରାଚୀନ ଇତିହାସର ଗବେଷଣା କରି ସେପରି କିଛି ତଥ୍ୟ ପାଉ ନାହାନ୍ତି। ସେମାନେ କହୁଛନ୍ତି ଯେ ନା, ମିଶର ଦେଶବାସୀ ପୁନର୍ଜନ୍ମ ସିଦ୍ଧାନ୍ତ ସହ ପରିଚିତ ନ ଥିଲେ।

ପୁରାତନ ଇଜିପ୍ଟବାସୀ ମଧ୍ୟ ମାନୁଥିଲେ ଆତ୍ମାର ଅଲଗା କିଛି ରୂପ ନାହିଁ। ଏହା ଶରୀର ସହ ଯୋଡ଼ି ହୋଇ ରହିଛି। ମନୁଷ୍ୟର ମୃତ୍ୟୁ ହେଲେ ତା ଭିତରେ ଥିବା ଆତ୍ମାର ବି ମୃତ୍ୟୁ ହୋଇଯାଏ।

ସେମାନଙ୍କର ଧାରଣା ମୃତ୍ୟୁ ପରେ ଆତ୍ମା ଦୁନିଆ ସାରା ସ୍ୱାଧୀନ ଭାବେ ବୁଲିପାରେ, କିନ୍ତୁ ରାତିରେ ସେ ତାହାର ମୃତ ଶରୀର ପାଖକୁ ଫେରି ଆସେ। ତା'ର ଇଚ୍ଛା ହୁଏ ଆଉଥରେ ତାକୁ ପୁନର୍ଜନ୍ମ ମିଳୁ। ତେଣୁ ମୃତ ଶରୀରର କୌଣସି ଅଂଶରେ କ୍ଷତ ନ ହେଉ। ଏହି ବିଚାରକୁ ନେଇ ଇଜିପ୍ଟବାସୀ ମୁର୍ଦାରକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଥିଲେ। ସେମାନେ ମରୁଭୂମିରେ ଶବଗୁଡ଼ିକୁ ରଖୁଥିଲେ। ଶୁଷ୍କ ପବନରେ ମୃତ ଶରୀର ଶୀଘ୍ର ନଷ୍ଟ ହେଉ ନଥିଲା। ସେମାନଙ୍କ ବିଚାର ଥିଲା ଆତ୍ମା ଫେରି ଆସିବ। ସେହି ଶରୀରରେ ତା'ର ଦୀର୍ଘ ଜୀବନ ପ୍ରାପ୍ତ ହେବ।  କିଛି କାଳ ପରେ ସେଠାରେ ଜଣେ ଦେବତା ମୁର୍ଦାରକୁ ସୁରକ୍ଷିତ ରଖିବାର ବିଦ୍ୟା (ମମିଫିକେସନ) ଆବିଷ୍କାର କଲେ। ଏହି ବିଦ୍ୟା ଦ୍ୱାରା ଶ୍ରଦ୍ଧାବାନ ଲୋକେ ତାଙ୍କ ପୂର୍ବଜଙ୍କ ମୃତ ଶରୀରକୁ ଅନନ୍ତକାଳ ପର୍ଯ୍ୟନ୍ତ ରଖିପାରିବାର ଆଶା ବାନ୍ଧିଲେ। କାରଣ ତାଙ୍କର ବିଚାର ଥିଲା ମୃତ ଆତ୍ମା ବା ପ୍ରେତ ଆତ୍ମାକୁ ଯେତେ ବି ଦୁଃଖ ହେଉ, କିନ୍ତୁ ସେ ଅମରତ୍ୱ ପ୍ରାପ୍ତ କରୁ।

୪. ୮. ୧୮

No comments: