Tuesday, 9 October 2018

*ଧର୍ମ - ଭାରତର ଆତ୍ମା*

ବାସ୍ତବିକ ମୂଳ ସମସ୍ୟା ୟୁରୋପକୁ ସମାଲୋଚନା କଲେ ଦୂର ହେବ ନାହିଁ। ବରଂ ଆମେ ନିଜକୁ ଦେଖିବାର ବୁଝିବାର, ନିଜ ଐତିହ୍ୟକୁ ବୁଝିବାର, ନିଜ ସାଂସ୍କୃତିକ ପ୍ରବାହର ମୂଲ୍ୟାଙ୍କନ କରିବାର, ଅନେକ ବିଚାରଧାରାର ଆଧାରରେ ନିଜ ପରିଚୟ ନିର୍ଦ୍ଧାରିତ କରିବାର ଆଧାର କଣ, ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ହେବ। ହିନ୍ଦୀ ସାହିତ୍ୟ ସହିତ ଆମ ଦେଶର ପ୍ରତ୍ୟେକ ଭାଷାର ସାହିତ୍ୟ ଆମର ମୂଳ ଭିତ୍ତିଭୂମି, ଆମର ସମାଜ-ସଂସ୍କୃତି, ଆମର ଅତୀତ-ବର୍ତ୍ତମାନ ଆଦି ବିଷୟକୁ ଆମ ପାଖରେ ନିରନ୍ତର ପହଞ୍ଚାଇ ଆସିଛି। କିନ୍ତୁ ଇଂରାଜୀର ପ୍ରଭୁତ୍ୱ ଓ ପରେ ମାର୍କ୍ସବାଦୀ ସାହିତ୍ୟର ପ୍ରଭାବ କାରଣରୁ ଆମ ଦେଶର ସାହିତ୍ୟ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବାରେ, ପ୍ରସାରିତ ହେବାରେ, ପ୍ରଭାବୀ ହେବାରେ ଗୁଣାତ୍ମକ ସ୍ତରରେ ନ ହେଲେ ମଧ୍ୟ ସଂରଚନାତ୍ମକ ସ୍ତରରେ ବାଧା ପହଞ୍ଚାଇଛି। ଦୁର୍ଭାଗ୍ୟବଶତଃ ଦେଶ ସ୍ୱାଧୀନ ହେବା ପରେ ଭାରତର ରାଜନୈତିକ ବ୍ୟବସ୍ଥା ଇଂରାଜୀ ଭାଷାକୁ ମହତ୍ତ୍ୱ ଦେଲା, ଇଂରାଜୀ ବଂଶ ପରମ୍ପରା, ୟୁରୋପୀୟ ମାନ ମର୍ଯ୍ୟାଦା ଓ ଶୈଳୀକୁ ସମ୍ମାନ ଦେବାର କାମ କଲା। ଏହାଦ୍ୱାରା ଭାରତର ସ୍ୱ ବିଚାର ପ୍ରଣାଳୀରେ ମୌଳିକତାକୁ ଉଠେଇ ଦେଇ ତା ଜାଗାରେ ଇଂରେଜର ଜେର୍କ୍ସ କପି ସ୍ଥାପିତ ହେଲା।

ଭାରତର ଜ୍ଞାନ-ପରମ୍ପରା ଓ ତାହାର ଉପଲବ୍ଧି ଗୁଡ଼ିକ ବିଷୟରେ ଯଦି କେହି କହିବା ଆରମ୍ଭ କଲେ ତେବେ ତାଙ୍କୁ ଅପମାନିତ ହେବାକୁ ପଡ଼ିଲା। ଭାରତର ଶୁନ୍ୟ ସିଦ୍ଧାନ୍ତ, ଆଣବିକ ସିଦ୍ଧାନ୍ତ, ପ୍ଲାଷ୍ଟିକ ସର୍ଜରୀ, ଆୟୁର୍ବେଦ ଆଦିର ମହତ୍ତ୍ୱକୁ ଏଇ ୟୁରୋପନିଷ୍ଠ ଇତିହାସବିଦ ଓ ସମାଜବିଦମାନେ ଆଂଶିକ ବା ପୂର୍ଣ୍ଣ ମାତ୍ରାରେ ପ୍ରତ୍ୟାଖ୍ୟାନ କଲେ। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରକୁ ଶ୍ୟାମ ଶାସ୍ତ୍ରୀ ୧୯୦୯ ରେ ପୁନଃ ପ୍ରକାଶିତ କରିଥିଲେ। କିନ୍ତୁ ଏହାକୁ ସେତେବେଳେ ପାଠ୍ୟପୁସ୍ତକରେ ସ୍ଥାନ ଦେବା ପାଇଁ ବହୁତ ସଂଘର୍ଷ କରିବାକୁ ହେଲା। ଆର୍ଯ୍ୟଭଟ୍ଟ, ବୋଧାୟନ, ବ୍ରହ୍ମଗୁପ୍ତ, ଭାସ୍କରାଚାର୍ଯ୍ୟ, କଣାଦ, ନାଗାର୍ଜୁନ, ସୁଶ୍ରୁତ, ବରାହମିହିରଙ୍କ ଭଳି ଭାରତୀୟ ବିଦ୍ୱାନଙ୍କ ବିଷୟ କେବଳ ଜି. କେ ର ବିଷୟ ହୋଇ ରହିଗଲା। ସେମାନଙ୍କ ବିଷୟରେ ନୂଆ ପିଢ଼ିଙ୍କୁ ବିସ୍ତୃତ କିଛି ଜଣାଗଲା ନାହିଁ। ଯାହାକୁ ସହଜରେ ଆମ ବିଦ୍ୱାନ ମାନେ ସାଧି ଥିଲେ ସେହି ପାଠକୁ ଜଟିଳ ଢଙ୍ଗରେ ବିଦେଶୀଙ୍କ କର୍କଶ ନାମରେ ଆମକୁ ଘୋଷା ଗଲା।

ଯେ ପର୍ଯ୍ୟନ୍ତ ୟୁରୋପ ବିଦ୍ୱାନ ଆମ ଦେଶର ବିଦ୍ୱାନଙ୍କ ନାମକୁ ଉଲ୍ଲେଖ ନ କରିଛନ୍ତି, ସେ ଯାଏ ଆମେ ଆମ ଲୋକଙ୍କୁ ଚିହ୍ନିବାକୁ ଉଚିତ ମଣିଲୁ ନାହିଁ। ଆମ ଚଷମା ୟୁରୋପୀୟ ଡିଜାଇନ ହୋଇଗଲା।

ସେହି ଦୃଷ୍ଟି ଦୋଷ ଆଜି ବି ଆମକୁ ଛାଡ଼ି କି ଯାଉ ନାହିଁ। ଆମେ ପ୍ରତ୍ୟେକ କଥାକୁ ଏବେ ସମ୍ବିଧାନ ସହ ଯୋଡ଼ି ବାକୁ ଚେଷ୍ଟା କଲେଣି।

ଭାରତର ଆତ୍ମା ରାଜନୀତି ନୁହଁ।

ହଜାରେ ବାର ଆମ ଦେଶର ମହାପୁରୁଷ, ସାଧୁ, ସନ୍ଥ, ମହାତ୍ମାମାନେ କହି ଯାଇଛନ୍ତି ଯେ ଭାରତର ଆତ୍ମା ହେଉଛି ଧର୍ମ।

କିନ୍ତୁ ଆମକୁ ଏବେ ରାଜନୀତି ଗ୍ରାସ କରିଛି। ସମାଜର ପ୍ରତ୍ୟେକ ସ୍ତରରେ ଏହା କ୍ୟାନ୍ସର ପରି ବ୍ୟାପିଛି। କୁଜି ନେତା ଆଜି ଆମ ଆଗରେ ହିରୋ ହୋଇ ଯାଉଛି।

ଭାରତର କୌଣସି ମୌଳିକ ସମସ୍ୟାର ସମାଧାନ ମଧ୍ୟ ରାଜନୀତି ଦ୍ୱାରା ହୋଇ ପାରିବ ନାହିଁ। ଏହାର ସମାଧାନ କେବଳ ଧର୍ମ ପାଖରେ ରହିଛି। ଏ କଥା ଆମେ ଯଦି ନ ବୁଝିବା ହୁଏତ ଆମ ଅବସ୍ଥା ଆଫ୍ରିକା ପରି ହୋଇଯିବ।

ପ୍ରତ୍ୟେକ ଦେଶର ନିଜର ଏକ ଦାର୍ଶନିକ ପରିଚୟ ରହିଛି। ଆଫ୍ରିକାର ଦାର୍ଶନିକ ଭାବ ଯେଉଁ ଶବ୍ଦରେ ଅଭିବ୍ୟକ୍ତ ହୋଇଥାଏ, ସେ ଶବ୍ଦଟି ହେଲା "ଉବନ୍ତୁ"। ଏହା ମାନବତା, ସମ୍ବେଦନଶୀଳତା ଓ ସହ ଅସ୍ତିତ୍ୱର ଭାବକୁ ବୁଝାଏ। ଏହାର ଅର୍ଥ ମୋର ଅସ୍ତିତ୍ୱ ଅଛି କାରଣ ଆପଣ ଅଛନ୍ତି। ଉପନିବେଶବାଦୀ ମାନେ ଆଫ୍ରିକା ଅଧିକାର କରି ତାଙ୍କର ଏହି ମୌଳିକ ଭାବକୁ ହତ୍ୟା କଲେ। ସେମାନେ ଅମାନବୀୟ ଓ ବର୍ବର ଭାବରେ ଲୋକଙ୍କ ଅସ୍ତିତ୍ୱକୁ ସଙ୍କଟମୟ କରିଦେଲେ। ତାଙ୍କୁ ବ୍ୟକ୍ତିବାଦୀ, ପରାବଲମ୍ବୀ ଓ ଅସାମାଜିକ କରିଦେଲେ। ତେଣୁ  ଏହା କେବଳ ରାଜନୈତିକ ପରାଧୀନତା ନ ଥିଲା। ଏହା ଥିଲା ଏକ ସଭ୍ୟତାର ହତ୍ୟା। ଏଥିପାଇଁ ଆଫ୍ରିକାର ବିଦ୍ୱାନମାନେ ଏହି ନୀତିକୁ ସାସ୍କୃତିକ ବମ୍ ବୋଲି ସଂଜ୍ଞା ଦେଇଛନ୍ତି। ସାମ୍ରାଜ୍ୟବାଦୀମାନଙ୍କ   ସଂସ୍କୃତି ବମ୍ ର ପ୍ରଭାବ ଆଜି ଆଫ୍ରିକା, ଏସିଆ ଓ ଲାଟିନ ଆମେରିକା ଭିନ୍ନ ଭିନ୍ନ ଅନୁପାତରେ ଭୋଗୁଛନ୍ତି।

୯. ୧୦.୧୮

No comments: